ନୂତନ ବର୍ଷକୁ ନିଆରା ଢଙ୍ଗରେ ପାଳନ କଲେ ସମାଜସେବୀ ପ୍ରତାପ ସାହୁ ୨୮୦ ଦିନରେ ପହଞ୍ଚିଲା ପ୍ରତାପଙ୍କ କରୋନା ସେବା

ଭୁବନେଶ୍ୱର,(ଓ୍ବାଇଏନ୍ଏସ୍) : ସାଧାରଣତଃ ନୂତନ ବର୍ଷକୁ ଜାକଜମକରେ ପାଳନ କରିବା ପାଇଁ ସାଙ୍ଗମାନଙ୍କ ମେଳରେ ଭୋଜିଭାତର ଆସର ଜମାଉଥିବା ବେଳେ ଆଉ କେହି କେହି ପଞ୍ଚତାରକା ହୋଟେଲରେ ସାଙ୍ଗମାନଙ୍କ ସାଥୀରେ କେକ୍ କାଟି ନୂତନ ବର୍ଷର ଭରପୁର ମଜା ଉଠାଇଥାନ୍ତି ତ ଆଉ କେହି କେହି ସାଙ୍ଗମାନଙ୍କ ସହ ମିଠା, ଫୁଲତୋଡ଼ା ଦିଆନିଆରେ ନୂତନବର୍ଷକୁ କଟାଇଥାନ୍ତି । ଚଳିତବର୍ଷ ମହାମାରୀ କରୋନା ଯୋଗୁ ସରକାର ନୂତନ ବର୍ଷ ପାଳନରେ ରୋକ ଲଗାଇଥିଲେ ମଧ୍ୟ ଲୋକମାନେ ପରସ୍ପର ମଧ୍ୟରେ ଫୁଲତୋଡ଼ା ଓ ମିଠା ଦିଆନିଆରେ ନବବର୍ଷକୁ ସ୍ୱାଗତ କରିଥିବା ବେଳେ ସମାଜସେବୀ ପ୍ରତାପ ସାହୁ ନୂତନ ବର୍ଷକୁ ଏକ ନିଆରା ଢଙ୍ଗରେ ପାଳନ କରିଛନ୍ତି । ନୂତନ ବର୍ଷର ନୂଆ ସକାଳରେ ଶ୍ରୀଯୁକ୍ତ ସାହୁ ପ୍ରଥମେ ପଶୁପକ୍ଷୀମାନଙ୍କୁ ଖାଦ୍ୟ ଦେବା ପରେ ୪୫୦ଜଣ ପିଲା ଓ ବ୍ୟକ୍ତିମାନଙ୍କୁ ଉପମା ଓ ଗୁଗୁନି ସହିତ ବିଭିନ୍ନ ପ୍ରକାର ଫଳ ବଣ୍ଟନ କରି ସେମାନଙ୍କ ସହ ନୂତନ ବର୍ଷଟିକୁ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳନ କରିଥିଲେ ।ଏଠାରେ ସୂଚନାଯୋଗ୍ୟ, ମହାମାରୀ କରୋନା ଓଡ଼ିଶାରେ ମାର୍ଚ୍ଚ ମାସରେ ପ୍ରବେଶ କରିବା ଦିନ ଠାରୁ ଆଜି ପର୍ଯ୍ୟନ୍ତ ଦୀର୍ଘ ୨୮୦ ଦିନ ଧରି ଶ୍ରୀଯୁକ୍ତ ସାହୁ ଲୋକମାନଙ୍କୁ ମାସ୍କ, ସାନିଟାଇଜର, ସାବୁନ, ସର୍ଫଗୁଣ୍ଡ ପ୍ରଦାନ କରିଥିଲେ ଏବଂ ବିଭିନ୍ନ ସରକାରୀ ଓ ବେସରକାରୀ ଅଫିସ୍‌, ବସ୍‌ଷ୍ଟାଣ୍ଡ, କଣ୍ଟେନମେଣ୍ଟ ଜୋନ ଓ ଗାଁ ଗହଳିକୁ ସାନିଟାଇଜର କରିଆସିଛନ୍ତି । ଏହା ସହିତ ମହାମାରୀ କରୋନା ସମୟରେ ରାଜଧାନୀରେ ହୋଟେଲଗୁଡ଼ିକ ବନ୍ଦ ରହିବା ଫଳରେ ଖାଦ୍ୟପଦାର୍ଥ ଘୋର ଅଭାବ ଦେଖା ଦେଇଥିଲା । ଏହି ସମୟରେ ଶ୍ରୀଯୁକ୍ତ ସାହୁ ଚିକେନ, ମାଛ, ଅଣ୍ଡା, ଚିଙ୍ଗୁଡ଼ି ଓ ସାଧା ଡ଼ାଲମା ଆଦି ଖାଦ୍ୟ ପ୍ରସ୍ତୁତ କରି ରାସ୍ତାକଡ଼ରେ ଥିବା ଗରିବ, ଅସହାୟ ଲୋକମାନଙ୍କୁ ପ୍ରଦାନ କରିଥିଲେ । ଏତଦ୍‌ବ୍ୟତୀତ ନିରାଶ୍ରୟ ଲୋକମାନଙ୍କୁ ଲୁଙ୍ଗି, ଗାମୁଛା, ମହିଳାମାନଙ୍କୁ ଶାଢୀ, ସାୟା ଓ ପିଲାମାନଙ୍କୁ ନୂତନ ପୋଷାକ ପ୍ରଦାନ କରିବା ସହ ଭିଡ଼ାମିନ୍‌-ସି ଟାବଲେଟ, ହର୍ଲିକ୍ସ, ଚାବନପ୍ରାସ, ଚା, କଫି ଆଦି ପ୍ରଦାନ କରିଥିବାର ନିଜର ରହିଛି । ଖାଲି ସେତିକି ନୁହେଁ ଶ୍ରୀଯୁକ୍ତ ସାହୁ କରୋନା ସମୟରେ ନିଜ ଦେହ ଗୁରୁତର ଅସୁସ୍ଥ ଥିଲେ ମଧ୍ୟ ଅସୁସ୍ଥତାକୁ ଖାତିର ନକରି ଲୋକମାନଙ୍କ ସେବାରେ ନିଜକୁ ଏଭଳି ଭାବରେ ନିୟୋଜିତ କରିଥିଲେ ଯେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବୁଦ୍ଧିଜୀବି ଓ ବରିଷ୍ଠ ନାଗରିକଙ୍କ ମହଲରୁ ପ୍ରଶଂସା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ