କଟକର ସଙ୍ଗମ ମଲ୍ଟିପ୍ଲେକ୍ସ ଜାନୁଆରୀ ୮ରେ ଖୋଲୁଛି
କଟକ,(ଦୀପକ୍ କୁମାର ବେଉରା): ରିଲିଜ୍ ପାଇଁ ୪୦ରୁ ଅଧିକ ଓଡ଼ିଆ ସିନେମା ପ୍ରସ୍ତୁତ। କିନ୍ତୁ ସେନ୍ସର୍ ହୋଇ ନଥିବାରୁ ଏବେ ସିନେମା ହଲ୍ରେ ଚାଲିବା ସମ୍ଭବନା କମ୍। ତେଣୁ ଇଂରାଜୀ ଚଳଚ୍ଚିତ୍ର ‘ପିସେସ୍ ଅଫ୍ ଏ ୱିମେନ୍’କୁ ନେଇ ସଙ୍ଗମ ମଲ୍ଟିପ୍ଲେକ୍ସ ଜାନୁଆରୀ ୮ରେ ଖୋଲୁଛି । ପ୍ରଥମ ସିନେମା ହଲ୍ ଭାବେ ସଙ୍ଗମ ଖୋଲିବା ପରେ ବାକି ସିନେମା ହଲ୍ ୧୪ ତାରିଖରେ ଖୋଲିବ ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ, ଜାନୁଆରୀ ୮ରେ ‘ସଙ୍ଗମ’ ହଲ୍ ଖୋଲିବା ପରେ ଚଳିତ ମାସ ଆଇନକ୍ସ, ଗ୍ରାଣ୍ଡ୍, ବୃନ୍ଦାବନ, ସମ୍ରାଟ ହଲ୍ ଖୋଲିବାକୁ ଯାଉଛି । ଏସବୁ ହଲ୍ ଖୋଲିବାର କିଛିଦିନ ଭିତରେ ବିଭିନ୍ନ ଓଡ଼ିଆ ଚଳଚ୍ଚିତ୍ର ରିଲିଜ୍ ହେବ । ସେପଟେ କେଉଁ ପ୍ରଯୋଜକ ସେମାନଙ୍କ ସିନେମା ଆଗେ ରିଲିଜ୍ କରିବେ ତାକୁ ନେଇ ପ୍ରତିଯୋଗିତା ଆରମ୍ଭ ହୋଇଗଲାଣି । କାରଣ ବର୍ତ୍ତମାନ ୩୦ ଫିଲ୍ମ ସୁଟିଂ ସରି ରିଲିଜ୍ ପାଇଁ ପ୍ରସ୍ତୁତ ଥିବାବେଳେ ୧୦ରୁ ଅଧିକ ଚଳଚ୍ଚିତ୍ରର ସୁଟିଂ ଜୋର୍ଦାର ଚାଲିଛି । ସେଥିରୁ କିଛି କମ୍ ବଜେଟ୍ର ଫିଲ୍ମ ଥିବାବେଳେ ଆଉ କିଛି ହାଇ ବଜେଟର ରହିଛି ।


