ଦିଗପହଣ୍ଡି ରେ ଭାଜପା ପକ୍ଷରୁ ଶୋଭାଯାତ୍ରା ; ଆଇନମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ
ଦିଗପହଣ୍ଡି, (ଓ୍ବାଇଏନ୍ଏସ୍) :ଦିଗପହଣ୍ଡି ରେ ମଙ୍ଗଳବାର ଭାଜପା ପକ୍ଷରୁ ପ୍ରତିବାଦ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ଶୋଭାଯାତ୍ରା ପୁଞ୍ଜିକଁୟା ଚାରିଛକ ଠାରେ ପହଞ୍ଚିବା ପରେ ସେଠାରେ ଦଳୀୟ କର୍ମୀ ମାନେ ଆଇନମନ୍ତ୍ରୀ ପ୍ରତାପ ଜେନା ଙ୍କ କୁଶପୁତ୍ତଳିକା ଦାହ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କଟକ ଜିଲା ମାହାଙ୍ଗା ବ୍ଲକ ର ପୂର୍ବତନ ଅଧ୍ୟକ୍ଷ ତଥା ଭାଜପା କାର୍ଯ୍ୟକର୍ତ୍ତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳ ଙ୍କୁ ସେଠାକାର ନୃତାଙ୍ଗ ଗାଁ ରେ ଶାସକ ଦଳର ନେତା ଓ କିଛି ସମର୍ଥକ ହତ୍ୟା କରିଥିବା ଅଭିଯୋଗ ରେ ଏହି ବିକ୍ଷୋଭ କରାଯାଇଥିଲା। ନିହତ କୁଳମଣି ଙ୍କ ପୁଅ ରମାକାନ୍ତ ବରାଳ ମାହାଙ୍ଗା ଥାନାରେ ମନ୍ତ୍ରୀ ଜେନା ଙ୍କ ନାଁ ରେ ଏତଲା ଦେଇଥିବାରୁ ତାଙ୍କୁ ତୁରନ୍ତ ଗିରଫ କରାଯିବା ପାଇଁ ସ୍ଥାନୀୟ ଭାଜପା ପକ୍ଷରୁ ଦାବୀ କରାଯାଇଥିଲା। ଭାଜପା ଯୁବ ମୋର୍ଚ୍ଚା ରାଜ୍ୟ କମିଟି ର ଡାକରା କ୍ରମେ ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲା ଯୁବ ମୋର୍ଚ୍ଚା ସଭାପତି ସିଦ୍ଧାନ୍ତ ଗଙ୍ଗଦେବ, ଭାଜପା ର ପୂର୍ବତନ ରାଜ୍ୟ ସମ୍ପାଦକ ଶ୍ରୀକାନ୍ତ ପାଢ଼ୀ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମହନ୍ତ ଚିନ୍ମୟା ନନ୍ଦ ଦାସ, ଜିଲା ଉପସଭାପତି ପରେଶ ଚନ୍ଦ୍ର ରଥ,ଦିଗପହଣ୍ଡି ନଗର କମିଟି ସଭାପତି ଭବାନୀ ଶଙ୍କର ପଣ୍ଡା,କାର୍ଯ୍ୟକର୍ତ୍ତା ଟୁନା ଚୌଧୁରୀ,ପ୍ରଶାନ୍ତ ପୂଜାରୀ, ସିମାଞ୍ଚଳ ସାସମଲ ଙ୍କ ସମେତ ବହୁସଂଖ୍ୟକ ଦଳୀୟ କର୍ମୀ ଉପସ୍ଥିତ ଥିଲେ।


