ଦୂର୍ଘଟଣାରେ ଦୁଇ ଆହତ ; ଡ଼ାକ୍ତରଖାନାରେ ଡ଼ାକ୍ତର ନଥିବାରୁ ଉତ୍ତେଜନା ପ୍ରକାଶ

ବେଲଗୁଣ୍ଠା,(ସନ୍ତୋଷ ବିଷୋୟୀ):ଆଜି ଏକ ସଡ଼କ ଦୂର୍ଘଟଣାରେ ଦୁଇଜଣ ବ୍ୟକ୍ତି ଆହତ ହୋଇ ଗାଙ୍ଗପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଡ଼ାକ୍ତରଙ୍କୁ ନ ପାଇବାରୁ ଆହତଙ୍କ ସମ୍ପର୍କୀୟମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି I ସୂଚନା ଥାଉ କି ସୋରଡ଼ା ବ୍ଳକ୍ ଲାଠିପଡା ଗ୍ରାମର ଲମ୍ବୋଦର ସ୍ୱାଇଁ (୬୫) ଏବଂ ଭୋଳାଶଙ୍କର ସ୍ଵାଇଁ (୧୯) ଏକ ମୋଟରସାଇକେଲ୍ ରେ କୌଣସି କାମରେ ଧରାକୋଟ ବ୍ଳକ୍ ଝାଡବନ୍ଧ ପଂଚାୟତର କାଳୁକୁ ଗ୍ରାମକୁ ଯାଇ ଫେରୁଥିବାବେଳେ ୪ ଘଣ୍ଟା ୩୦ ମିନିଟ୍ ସମୟରେ ବାଲିପାଟ ନିକଟରେ ଗାଙ୍ଗପୁର ପଟୁ ଦ୍ରୁତ ଗତିରେ ଆସୁଥିବା ଏକ ଧଳା ରଙ୍ଗର ଇଣ୍ଡିକା ସେମାନଙ୍କୁ ଧକ୍କା ଦେଇ ପଳାଇଯାଇଥିଲା I ଇଣ୍ଡିକା ଧକ୍କାରେ ଉଭୟ ଲମ୍ବୋଦର ଏବଂ ଭୋଳାର ବାମ ଗୋଡ଼ରେ ଗୁରୁତର ଆଘାତ ଲାଗିଥିଲା I କିଛି ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଗାଙ୍ଗପୁର ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିବା ପରେ ସେଠାରେ ଥିବା ଫାର୍ମାସିସ୍ଟ ଯଜ୍ଞସେନ୍ ସୁବୁଦ୍ଧି ଉଭୟଙ୍କର ପ୍ରାଥମିକ ଚିକିତ୍ସା କରିଥିଲେ I କିନ୍ତୁ ସେଠାରେ ଦୁଇ ଆହତଙ୍କ ସମ୍ପର୍କୀୟ ମାନେ ସେଠାରେ ଡ଼ାକ୍ତରଙ୍କୁ ଖୋଜି ନ ପାଇବାରୁ ସେଠାରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା I ଆହତଙ୍କ ସମ୍ପର୍କୀୟ ମାନେ କାର୍ଯ୍ୟରତ ଫାର୍ମାସିସ୍ଟଙ୍କୁ ଡାକ୍ତରଙ୍କ ସମ୍ପର୍କରେ ପଚାରିବାରୁ ସେ ଉତ୍ତର ଦେବାରେ ଅସହାୟତା ପ୍ରକାଶ କରିବା ସହ ଏନେଇ ଉପଖଣ୍ଡ ଚିକିତ୍ସା ଅଧିକାରୀ କିମ୍ବା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ପଚାରିରିଲେ ସଠିକ୍ ଉତ୍ତର ମିଳିବ ବୋଲି ପ୍ରକାଶ କରିଥିଲେ I ପ୍ରକାଶନ ଥାଉକି ଗାଙ୍ଗପୁର ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ଉପରେ ଆଖପାଖ ଶହେ ଖଣ୍ଡ ଗ୍ରାମର ଲୋକେ ନିର୍ଭର କରୁ୍ଥିବା ବେଳେ ଦୀର୍ଘ ଦିନ ହେବ ଏମବିବିଏସ୍ ଡାକ୍ତର ନିଯୁକ୍ତି ପାଇ ନଥିବା ବେଳେ ନିଯୁକ୍ତି ପାଇଥିବା ଆୟୂଷ ଡ଼ାକ୍ତର ଜଣଙ୍କ ମଧ୍ଯ ପ୍ରାୟ ସମୟ ଅନୁପସ୍ଥିତ ରହୁଛନ୍ତି I ଫଳରେ କାର୍ଯ୍ୟରତ ଫାର୍ମାସିଷ୍ଟ ଶ୍ରୀ ସୁବୁଦ୍ଧି ନିଜର ସକ୍ଷମ ପର୍ଯ୍ୟନ୍ତ ହିଁ ଚିକିତ୍ସା କରୁ୍ଥିବା ବେଳେ ଅଧିକାଂଶ ସମୟରେ ରୋଗୀ ଏଠାରୁ ଗୋବରା କିମ୍ବା ଭଞ୍ଜନଗର ମେଡିକାଲକୁ ଯିବାକୁ ବାଧ୍ୟ ହେଉଛନ୍ତି I କହିବାକୁ ଗଲେ ଗାଙ୍ଗପୁର ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରଟି ଫାର୍ମାସିଷ୍ଟ ଶ୍ରୀ ସୁବୁଦ୍ଧିଙ୍କ ଭରସାରେ ହିଁ ଚାଲିଥିବା ବେଳେ ଏଠାରେ ଡାକ୍ତର୍ ପଦବୀ ସମେତ ବହୁ ପଦବୀ ଖାଲି ପଡ଼ିଛି I ସ୍ୱାସ୍ଥ୍ୟ କେନ୍ଦ୍ରଟି ମୁଖ୍ୟ ସଡ଼କ ଉପରେ ଅବସ୍ଥିତ ଥିଲେ ମଧ୍ୟ ଏହି ରାସ୍ତା ଦେଇ ଭଞ୍ଜନଗର, ବ୍ରହ୍ମପୁର ଏବଂ ଛତ୍ରପୁରକୁ ଯିବା ଆସିବା କରୁ୍ଥିବା ପ୍ରାଶାସନିକ ଅଧିକାରୀ, ବିଧାୟକ, ମନ୍ତ୍ରୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରୁ ନଜର ଆଡେ଼ଇ ଚାଲିଯିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି I ଏନେଇ ଅଞ୍ଚଳ ବାସୀ ଡାକ୍ତରଖାନାର ଖାଲି ଥିବା ପଦବୀ ପୂରଣ କରିବା ସହ ଆୟୂଷ ଡ଼ାକ୍ତର ଜଣଙ୍କୁ ଅନ୍ୟତ୍ର ବଦଳି କରି ତାଙ୍କ ସ୍ଥାନରେ ଆୟୂଷ ଡ଼ାକ୍ତର ସରୋଜ ପ୍ରଧାନଙ୍କୁ ଏଠାରେ ଅବସ୍ଥାପିତ କରିବା ପାଇଁ ଦାବି ହୋଇଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ