ଦକ୍ଷତା ବିକାଶ ଯୋଜନାରେ ତାଲିମ ପାଇଁ ମନୋନୀତ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରାୟୋଜିତ ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନାରେ ଗ୍ରାମାଞ୍ଚଳ ରେ ଥିବା ଶିକ୍ଷିତ ଯୁବକ ଯୁବତୀଙ୍କୁ ତାଲିମ ପ୍ରଦାନ କରି ଦକ୍ଷତା ବିକାଶ ସହ କର୍ମ ନିଯୁକ୍ତି ନିମନ୍ତେ ବ୍ୟାପକ ସୁଯୋଗ ସୃଷ୍ଟି କରାଯାଇଛି।ଏହି କ୍ରମରେ ସ୍ଥାନୀୟ ହିଞ୍ଜିଳି ବ୍ଲକର ଦୁର୍ବନ୍ଧ ପଞ୍ଚାୟତର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାଲିମ ସହ ନିଯୁକ୍ତି ନିମନ୍ତେ ଶୁକ୍ରବାର ଏକ ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ହିଞ୍ଜିଳି ବ୍ଲକ ପ୍ରକଳ୍ପ ଅଧିକାରୀ ରବୀନ୍ଦ୍ର ନାଥ ପାତ୍ର ଓ ପ୍ରଗତି ସହାୟକ ରାମଚନ୍ଦ୍ର ରଥଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମକୁ ଯୁବ ବିଜେଡି ସମ୍ପାଦକ ରାମହରି ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ।ସ୍ଥାନୀୟ ବ୍ଲକର ଦୁର୍ବନ୍ଧ ସମେତ କଞ୍ଚୁରୁ ଓ ଦୟାପଲ୍ଲୀ ପଞ୍ଚାୟତର ୯୪ ଜଣ ଯୁବକ ଯୁବତୀ ବିଭିନ୍ନ କର୍ମ ନିଯୁକ୍ତି ସଂସ୍ଥାରେ ନାମ ପଞ୍ଜିକୃତ କରିଥିଲେ।ସେଥି ମଧ୍ୟରୁ ଜିଟିଇଟି ରେ ୧୨ ଜଣ, ସାହି ଏକ୍ସପୋର୍ଟ ରେ ୧୪ ଜଣ, ବ୍ଲାକ ପାନ୍ଥର ରେ ୨୦ଜଣ, ସିପେଟ ରେ ୧୮ଜଣ ଓ ଗ୍ରାମ ତରଙ୍ଗ ଆଦି ପ୍ରାୟୋଜିତ ସଂସ୍ଥାରେ ୭୩ ଜଣ ଶିକ୍ଷିତ ଯୁବକ ଯୁବତୀ ତାଲିମ ଓ ନିଯୁକ୍ତି ପାଇଁ ମନୋନୀତ ହୋଇଛନ୍ତି।କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରାୟୋଜିତ ସଂସ୍ଥା ଅନୁପସ୍ଥିତ ଥିବା କାରଣରୁ ଅବଶିଷ୍ଟ ୨୧ ଜଣ ଯୁବକ ଯୁବତୀ ତାଲିମ ଓ ନିଯୁକ୍ତି ବଞ୍ଚିତ ଥିବା ସୂଚନା ମିଳିଛି।ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ପଟ୍ଟନାୟକ ଓ ଇ ଶଙ୍କର ରାଓ ଙ୍କ ସମେତ ଯୁବକ ମାନେ ସହଯୋଗ ଓ ପରିଚାଳନା କରିଥିଲେ।