ଅଧିକ ସମୟ ବସିରହିଲେ ବଢ଼ିପାରେ ମୃତ୍ୟୁ ଆଶଙ୍କା
ଆଜିକାଲିର ବ୍ୟସ୍ତବହୁଳ ଦୁନିଆରେ ସମସ୍ତଙ୍କୁ ଅନେକ ସମୟ ବସି ରହି କାମ କରିବାକୁ ପଡୁଛି । ଅଫିସ୍ରେ ଦୈନିକ ଆଠ ଘଣ୍ଟା ବସିବା ବାଧ୍ୟତାମୂଳକ । ତେବେ ଏତେ ସମୟ ବସିରହିଲେ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବିପଦ ହୋଇପାରେ । ଏହା ଦ୍ୱାରା ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯିବ । ନିକଟରେ ହୋଇଥିବା ଏକ ଗବେଷଣାରୁ ଏହି ବିଷୟରେ ତଥ୍ୟ ଜଣାପଡ଼ିଛି ।
ଏହି ଗବେଷଣାର ତଥ୍ୟ ଅନୁଯାୟୀ, ୯ ଘଣ୍ଟାରୁ ଅଧିକ ସମୟ ବସି ରହିବା ଦ୍ୱାରା ପ୍ରତ୍ୟେକ ଘଣ୍ଟା ହିସାବରେ ଶୀଘ୍ର ମୃତ୍ୟୁ ଆଶଙ୍କା ସେହି ଅନୁପାତରେ ବଢ଼ିଥାଏ । ଗବେଷଣା ଫଳାଫଳ ମୁତାବକ ଶୋଇବା ସମୟକୁ ଛାଡ଼ି ସାରା ଦିନରେ ୯ ଘଣ୍ଟାରୁ ଅଧିକ ସମୟ ଯାଏ ବସି ରହିବା ଫଳରେ ଶୀଘ୍ର ମୃତ୍ୟୁ ଆଶଙ୍କା ଦେଖାଯାଇଥାଏ । ନରୱେର ଓସ୍ଲୋସ୍ଥିତ ନରୱେଜିଆନ୍ ସ୍କୁଲ୍ ଅଫ୍ ସ୍ପୋର୍ଟସ୍ ସାଇନ୍ସରେ ଏହି ଗବେଷଣା କରାଯାଇଥିଲା । ଏହି ଗବେଷଣା ପାଇଁ ଶତାଧିକ ପ୍ରତିଯୋଗୀଙ୍କ ଉପରେ ଅନେକ ସମୟ ଧରି ନଜର ରଖାଯାଇଥିଲା । ଏହି ଲୋକଙ୍କ ହାରାହାରି ବୟସ ୬୨.୬ ବର୍ଷ ଥିଲା । ଏହି ଗବେଷଣା ପାଇଁ ଅକିସ୍ଲରୋମିଟରର ଉପଯୋଗ କରାଯାଇଥିଲା । ଏହା ଶରୀରରେ ପିନ୍ଧା ଯାଉଥିବା ଏକ ଉପକରଣ ଅଟେ । ଯାହା ଚାହିଁବା ସମୟରେ ଗତିବିଧି, ମାତ୍ରା ଓ ଏହାର ତୀବ୍ରତାକୁ ଟ୍ରାକ୍ କରିଥାଏ । ଡାକ୍ତରଙ୍କ କହିବାନୁସାରେ, ଯଦି ଆମେ ଦିନରେ ଅନେକ ଘଣ୍ଟା ବସି ବସି ବିତାଉଛେ, ତେବେ ଏହାର ପ୍ରଭାବ ପୁରା ଶରୀର ଉପରେ ପଡ଼ିଥାଏ । ଦୀର୍ଘ ଦିନ ଯାଏ ଏଭଳି ଜୀବନଶୈଳୀ ଅବଲମ୍ବନ କରିବା ଫଳରେ ଶରୀରରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖାଯାଇଥାଏ । ପିଠି ଯନ୍ତ୍ରଣା, ଅଣ୍ଟା ଯନ୍ତ୍ରଣା ଭଳି ଅନେକ ସମସ୍ୟା ହୋଇଥାଏ । ଅଧିକ ସମୟ ବସି ବସି ବିତାଇବା ଫଳରେ ଶରୀରର ମେଟାବଲିଜମ୍ ମଧ୍ୟ କମ୍ ହୋଇଯାଏ । ଏହାକୁ ମେଟାବଲିକ୍ ସିଣ୍ଡ୍ରୋମ୍ ବୋଲି ମଧ୍ୟ କୁହାଯାଏ । ଏହି କାରଣରୁ ମଧୁମେହ, ଉଚ୍ଚ ରକ୍ତଚାପ, କୋଲେଷ୍ଟ୍ରଲ୍ ଓ ହୃଦ୍ରୋଗର ଆଶଙ୍କା ବଢ଼ିଥାଏ । ଯଦି ଆପଣ କମ୍ପ୍ୟୁଟର କିମ୍ବା ଟିଭି ସାମ୍ନାରେ ବସି ରହୁଛନ୍ତି, ତେବେ ଆଖି ମଧ୍ୟ ଦୁର୍ବଳ ହୋଇଯାଏ । ଦୀର୍ଘ ସମୟ ଯାଏ ସୂର୍ଯ୍ୟକିରଣ ନ ପାଇବା ଫଳରେ ଶରୀରରେ ଭିଟାମିନ୍ ଡି’ର ଅଭାବ ହୋଇପାରେ । ଏହା ଫଳରେ ହାଡ଼ ମଧ୍ୟ ଦୁର୍ବଳ ହେବାରେ ଲାଗିଥାଏ । ଏହି ଗବେଷଣାରୁ ଆହୁରି ମଧ୍ୟ ଜଣାପଡ଼ିଛି ଯେ ସାରା ଦିନ ଭିତରେ ୩୦୦ ମିନିଟ୍ ଅର୍ଥାତ୍ ୫ ଘଣ୍ଟା ହାଲୁକା ଫୁଲ୍କା ଶାରୀରିକ କାର୍ଯ୍ୟକଳାପ ଅର୍ଥାତ୍ ଧିରେ ଧିରେ ଚାଲିବା, ଖାଦ୍ୟ ରାନ୍ଧିବା, ବାସନ ସଫା କରିବା ଭଳି କାମ କରିବା ଦ୍ୱାରା ଆମ ଶରୀର ସୁସ୍ଥ ରହିବ । ଯଦି ଆପଣ ଅଫିସ୍ରେ କାମ କରୁଛନ୍ତି ତେବେ କାମରୁ କିଛି ସମୟ ବାହାର କରି ଛୋଟ ଛୋଟ ବ୍ୟାୟାମ କରନ୍ତୁ, ଯେପରି ବାହାରେ ବୁଲିବା, କିଛି ସମୟ ପାଇଁ ନିଜ ସିଟ୍ରୁ ଉଠି ଅଲଗା କିଛି କାର୍ଯ୍ୟ କରିବା ଆଦି । ଯାହା ଫଳରେ ଆପଣ ଉପରୋକ୍ତ ସମସ୍ୟାକୁ ଏଡ଼ାଇ ପାରିବେ ।


