୨୩ ଜାନୁୟାରୀ ଆଜାଦ କିଷାନ ଅଭିଯାନ ଏବଂ ୨୬ ଜାନୁୟାରୀ କୃଷକ ଶ୍ରମିକ ପରେଡ଼ ପାଇଁ କୃଷକ ସଂଘର୍ଷ ସମନ୍ୱୟ ସମିତିର ଆହ୍ୱାନ
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ରାଜ୍ୟ ଆବାହକ ମଣ୍ଡଳୀର ବୈଠକ ଏବଂ ସାମ୍ବାଦିକ ସମ୍ମିଳନୀ ଭୁବନେଶ୍ୱରସ୍ଥିତ ଲୋହିଆ ଏକାଡ଼େମୀଠାରେ ଅନୁଷ୍ଠିତ ହୋଇଯାଇଛି । ଦିଲ୍ଲୀ ଚଲୋ ଐତିହାସିକ କୃଷକ ଆନ୍ଦୋଳନକୁ ସମର୍ଥନ କରି ସଂଯୁକ୍ତ କିଷାନ ମୋର୍ଚ୍ଚା ଏବଂ ଅଖିଳ ଭାରତ ସଂଘର୍ଷ ସମନ୍ୱୟ ସମିତିର ସମସ୍ତ ଡ଼ାକରାଗୁଡ଼ିକୁ ଓଡ଼ିଶାରେ ସଫଳତାର ସହ କାର୍ଯ୍ୟକାରୀ କରିବା ନିମନ୍ତେ ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗୃହିତ ହୋଇଛି । ବୈଠକ ପୂର୍ବରୁ କୃଷକ ଆନ୍ଦୋଳନରେ ସହିଦ ହୋଇଥିବା ୬୦ରୁ ଉର୍ଦ୍ଧ୍ୱ ସହିଦଙ୍କ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ଶୋକ ପ୍ରସ୍ତାବ ଗୃହିତ ହୋଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ କୃଷକ ସଂଘର୍ଷ ସମିତି ତରଫରୁ କୁହାଯାଇଛି ଯେ, ଜାନୁୟାରୀ ୧୩ ତାରିଖରେ ସାରା ରାଜ୍ୟରେ ରାଜ୍ୟ ରାଜଧାନୀଠାରୁ ଗାଁ ପର୍ଯ୍ୟନ୍ତ କୃଷକ ବିରୋଧୀ କେନ୍ଦ୍ରୀୟ କୃଷି ଆଇନଗୁୁଡ଼ିକୁ ପୋଡ଼ି ଦିଆଯିବ । ଜାନୁୟାରୀ ୧୮ ତାରିଖରେ ବ୍ଲକସ୍ତରରେ ମହିଳା କୃଷକ ଦିବସ ପାଳନ କରାଯିବ । ଜାନୁୟାରୀ ୨୩ ନେତାଜୀ ସୁବାଷ ବୋଷଙ୍କ ଜୟନ୍ତୀ ଅବସରରେ ରାଜଭବନ ସମ୍ମୁଖରେ ଗଣଧାରଣା କରାଯାଇ ଆଜାଦ କିଷାନ ଅଭିଯାନ କାର୍ଯ୍ୟକ୍ରମକୁ ସଂଗଠିତ କରାଯିବ । ଜାନୁୟାରୀ ୨୬ ତାରିଖ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଅପରାହ୍ନରେ କିଷାନ-ମଜଦୂରମାନଙ୍କ ସମାନ୍ତରାଳ ପରେଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏତଦବ୍ୟତୀତ ଜାନୁୟାରୀ ୫ ଠାରୁ ଗ୍ରାମୀଣସ୍ତରରେ ଚାଲିଥିବା ପ୍ରଚାର ଅଭିଯାନ ଏବଂ ବ୍ଲକସ୍ତରୀୟ ଆନ୍ଦୋଳନ ଜାନୁୟାରୀ ୨୦ ପର୍ଯ୍ୟନ୍ତ ଜାରି ରହିବ । ଏହି ସମସ୍ତ କାର୍ଯ୍ୟକ୍ରମ ମଧ୍ୟରେ ଜାନୁୟାରୀ ୨୩ ରାଜଭବନ ସମ୍ମୁଖ ରାଜ୍ୟସ୍ତରୀୟ ଗଣଧାରଣା କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବିଶେଷ ଯୋଜନା ଗ୍ରହଣ କରାଯାଇଛି । ଏହିଦିନ ପଶ୍ଚିମ ଓଡ଼ିଶାର ବରଗଡ଼ ଜିଲ୍ଲାରେ ମଧ୍ୟ ଏକ ବିଶାଳ କୃଷକ ଧାରଣା ସଂଗଠିତ କରାଯିବ ।କୃଷକ ସର୍ବନାଶକାରୀ-କୃଷି ଧ୍ୱଂସକାରୀ ଏବଂ କର୍ପୋରେଟ ସପକ୍ଷବାଦୀ ତିନୋଟି କୃଷି ଆଇନ୍କୁ ରଦ୍ଦ କରିବା, ସମସ୍ତ କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ ନିମନ୍ତେ ଏମ୍.ଏସ୍. ସ୍ୱାମୀନାଥନ କମିଶନଙ୍କ ସୁପାରିଶକୁ କାର୍ଯ୍ୟକାରୀ କରିବା ନିମନ୍ତେ ଆଇନ ପ୍ରଣୟନ କରିବା, ଓଡ଼ିଶାରେ ପ୍ରତି ଧାନ କୁଇଣ୍ଟାଲରେ କେରଳ ଏବଂ ଛତିଶଗଡ଼ ସରକାର ଭଳି ୭୫୦ ଟଙ୍କା ବୋନସ ପ୍ରଦାନ କରିବା, ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ପୂର୍ବରୁ କୃଷି ସମ୍ପର୍କୀୟ କୃଷକ ବିରୋଧୀ ଅଧ୍ୟାଦେଶ ଆଣିବା ପାଇଁ ରାଜ୍ୟ କ୍ୟାବିନେଟରେ ଗୃହିତ ପ୍ରସ୍ତାବକୁ ରଦ୍ଦ କରିବା ଏବଂ କେନ୍ଦ୍ରୀୟ କୃଷି ଆଇନକୁ ଓଡ଼ିଶାରେ କାର୍ଯ୍ୟକାରୀ ନକରିବା ପାଇଁ ଓଡ଼ିଶା ବିଧାନସଭାରେ ବିଲ୍ ଆଗତ କରିବା ଇତ୍ୟାଦି ଦାବିଗୁଡ଼ିକୁ ନେଇ ଏହି ଅଭିଯାନ ଜାରି ରହିବ । ଦିଲ୍ଲୀ ଚଲୋ କୃଷକ ଆନ୍ଦୋଳନ ସମର୍ଥନରେ ଓଡ଼ିଶାରେ କୃଷକମାନଙ୍କର ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଆଜିକାର ଆବାହକମଣ୍ଡଳୀ ବୈଠକ ଏବଂ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି ।ବିଶିଷ୍ଟ କୃଷକନେତା ଲିଙ୍ଗରାଜଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକ ଏବଂ ସାମ୍ବାଦିକ ସମ୍ମିଳନୀରେ ସର୍ବଶ୍ରୀ ପ୍ରଫୁଲ୍ଲ ସାମନ୍ତରା, ସୁରେଶ ପାଣିଗ୍ରାହୀ, କ୍ଷୀରୋଦ ସିଂହଦେଓ, ଅଶୋକ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ପାଢୀ, ଭାଲଚନ୍ଦ୍ର, ଶଙ୍କର ସାହୁ, ନରେନ୍ଦ୍ର ମହାନ୍ତି, ଶଶୀଭୂଷଣ ସ୍ୱାଇଁ, ପ୍ରମୋଦିନୀ ସାହୁ, ଜୟନ୍ତ ଦାସ, ଦେବପ୍ରସାଦ ରାୟ, ମହେନ୍ଦ୍ର ପରିଡ଼ା, ସୁଧୀର ପଟ୍ଟନାୟକ, ମାନସ ପଟ୍ଟନାୟକ, ବିଜୟ ମହାନ୍ତି, ଦେବାଶିଷ ପରିଜା ପ୍ରମୁଖ ବହୁ ନେତୃବୃନ୍ଦ ଉପସ୍ଥିତ ଥିଲେ ।


