ହୃଦଘାତ ରେ ମୃତ୍ୟୁ ବରଣ କଲେ ଗାଡ଼ି ଚାଳକ

ଦିଗପହଣ୍ଡି,(ଓ୍ବାଇଏନ୍ଏସ୍): ଦିଗପହଣ୍ଡି ବ୍ଳକ କଇଠଡା ଗ୍ରାମ ମୁଖ୍ୟରାସ୍ତା କଡ ପୋଖରୀ ନିକଟ ଗଛ ମୂଳ ରେ ବଲେ ରୋ ଗାଡ଼ି ର ଷ୍ଟିୟରିଂ ଧରିଥିବା ଅବସ୍ଥାରେ ଜଣେ ଗାଡି ଚାଳକ ଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଗାଡ଼ି ଟି ଦିଗପହଣ୍ଡି ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ରେ ଭଡ଼ା ସୂତ୍ର ରେ ନିୟୋଜିତ ଥିଲା।ଉକ୍ତ ଗାଡ଼ି ରେ ଦିଗପହଣ୍ଡି ଥାନା ଆଙ୍କୋରଡ଼ା ଗ୍ରାମ ର ଏଲ. ପୁରୁଷୋତ୍ତମ ଦାସ ଚାଳକ ଭାବେ କାର୍ଯ୍ୟ କରୁଥିଲେ।ଶୁକ୍ରବାର ସକାଳ ପ୍ରାୟ ୧୦ ଟା ସମୟରେ ବିଦ୍ୟୁତ ବିଭାଗ କର୍ମଚାରୀ ମାନଙ୍କୁ ନେଇ ଉକ୍ତ ଗାଡ଼ି ଚାଳକ କଇଠଡା ଗ୍ରାମ କୁ ବିଦ୍ୟୁତ ଟିକସ ଆଦାୟ ପାଇଁ ଯାଇଥିଲେ। କର୍ମଚାରୀ ମାନେ ଗାଁ ରେ ଥିବା ବେଳେ ଚାଳକ ଜଣକ ଗାଡ଼ିଟିକୁ ନେଇ ଏକ ପୋଖରୀ ପାଖ ଗଛ ମୂଳରେ ରଖି ଗାଡ଼ି ରେ ହିଁ ବସିରହିଥିଲେ।ସେ ଗାଡ଼ିରେ ଷ୍ଟିୟରିଂ ଧରି ବସିଥିବା ସମୟରେ ହୃଦଘାତ ଯୋଗୁଁ ତାଙ୍କର ଜୀବନ ଚାଲିଯାଇଥିବା ଜଣାପଡ଼ିଛି।ବିଦ୍ୟୁତ ବିଭାଗ କର୍ମଚାରୀ ମାନେ ଗାଡି ଚାଳକ ଙ୍କ ମୃତ୍ୟୁ ହୋଇଥିବା ଖବର କାହାରିକୁ କିଛି ନ ଜଣାଇ ସେଠାରୁ ଚମ୍ପଟ ମାରିଥିବା ଜଣାପଡ଼ିଛି। ଅପରାହ୍ନ ପ୍ରାୟ ୪ ଟା ସମୟରେ ଜଣେ ସ୍ଥାନୀୟ ବ୍ୟକ୍ତି ପୁରୁଷୋତ୍ତମ ଙ୍କ ସାନଭାଇ ଏଲ .କହ୍ନେୟା ଦାସ ଙ୍କୁ ଫୋନ କରି ଏନେଇ ସବିଶେଷ ସୂଚନା ଦେଇଥିଲେ।ଖବର ପାଇ ଭାଇ କହ୍ନେୟା ତାଙ୍କ ଗାଁ ରୁ କିଛି ସାଙ୍ଗ ସାଥୀ ଙ୍କୁ ନେଇ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ସେ ସେଠାରେ ପହଞ୍ଚି ଦେଖିଲା ବେଳକୁ ବିଦ୍ୟୁତ ବିଭାଗ ର କୌଣସି କର୍ମଚାରୀ ସେଠାରେ ନ ଥିଲେ।ସେଠାରୁ ସେ ଭାଇଙ୍କୁ ଗାଡି ମଧ୍ୟରୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ। ଉପସ୍ଥିତ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।ବିଦ୍ୟୁତ ବିଭାଗ କର୍ମଚାରୀ ଙ୍କ ଏଭଳି ଅମାନବୀୟ କାର୍ଯ୍ୟ ଯୋଗୁଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଏନେଇ ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଟେକ୍ସି ଚାଳକ ସଂଘ ସଭାପତି ଅଳକ ନାଥ ମିଶ୍ର ନିଜ ପ୍ରତିକ୍ରିୟା ରେ କହିଛନ୍ତି ଯେ ଗାଡ଼ି ଚାଳକ ଙ୍କ ପରିବାର ଲୋକଙ୍କୁ ବିଦ୍ୟୁତ ବିଭାଗ ଟାଟା ପାୱାର କର୍ମକର୍ତ୍ତା ଙ୍କ ସହ ଆଲୋଚନା କରି ତୁରନ୍ତ କ୍ଷତିପୂରଣ ଦିଅନ୍ତୁ। ନଚେତ ଗାଡି ଚାଳକ ସଂଘ ନେତୃତ୍ୱରେ ଆନ୍ଦୋଳନ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ଦିଗପହଣ୍ଡି ସ୍ଥିତ ଦକ୍ଷିଣାଞ୍ଚଳ ବିଦ୍ୟୁତ୍ ବିଭାଗ ନିର୍ବାହୀ ଯନ୍ତ୍ରୀ ଇଂ. କାମା ସେଠୀ ଙ୍କୁ ପଚାରିବାରୁ ବିଦ୍ୟୁତ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ଙ୍କ ସହ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ଅପରପକ୍ଷରେ ସହକାରୀ ଯନ୍ତ୍ରୀ ଇଂ. ପ୍ରଶାନ୍ତ ପଟ୍ଟନାୟକ ତାଙ୍କ ପ୍ରତିକ୍ରିୟା ରେ କହିଛନ୍ତି ଯେ, ଘଟଣା ସମ୍ପର୍କରେ ଗାଡି ମାଲିକ ଙ୍କୁ ଆମେ ସୂଚନା ଦେଇଥିଲୁ। ଭଡ଼ା ଗାଡି ଯୋଗୁଁ ବିଭାଗ ପକ୍ଷରୁ କୌଣସି କ୍ଷତିପୂରଣ ପାଇଁ ବ୍ୟବସ୍ଥା ନଥିବା ଉଲ୍ଲେଖ କରିଛନ୍ତି। ଖବର ଲେଖାହେବା ସୁଦ୍ଧା ଗାଡି ଚାଳକ ଙ୍କ ମୃତଦେହ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ପଡିରହିଥିବା ଜଣାପଡ଼ିଛି। ଗ୍ରାମବାସୀ ଶନିବାର ସ୍ଥାନୀୟ ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ କରିବା ପାଇଁ ଚେତାବନୀ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ