ଆବାସ ଯୋଜନା ପଛରେ ଥାଉ; ସବୁଠୁ ଭଲ ଆମର କାଠ ପଟା ଘର
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିକୁ ଆସୁଥିବା ପର୍ଯ୍ୟଟକଙ୍କ ପସନ୍ଦ ହେଉଛି ପ୍ରାକୃତିକ ପଦ୍ଧତିରେ କରାଯାଇଥିବା ଟେଣ୍ଟ ହାଉସ୍ ବା ଶିବିର । ବର୍ତ୍ତମାନ ରାଜ୍ୟ ସରକାରଙ୍କ ପକ୍ଷରୁ ଇକୋରିଟ୍ରିଟ୍ରେ ୨୫ଟି ଶିବିର କରାଯାଇ ତାରକା ହୋଟେଲ୍ର ସୁବିଧା ପ୍ରଦାନ କରାଯାଉଛି । ତେବେ ଏହି ପ୍ରକ୍ରିୟା କନ୍ଧମାଳ ଜିଲାରେ କାହିଁ କେଉଁ କାଳରୁ ରହି ଆସିଛି । ସରକାର କଚ୍ଛା ଘରକୁ ପକ୍କା କରିବାକୁ ଆବାସ ଯୋଜନାରେ ସହାୟତା ଦେଉଥିଲେ ମଧ୍ୟ ବର୍ତ୍ତମାନ ଦାରିଙ୍ଗବାଡିରେ ଅନେକ କାଠପଟ୍ଟାରେ ନିର୍ମାଣ ଘର ରହିଥିବା ଦେଖିବାକୁ ମିଳେ । ଏହି ଘରେ ଶୀତ ସମୟରେ ବେଶୀ ଥଣ୍ଡା ଅନୁଭୂତ ହେଉ ନ ଥିବା ବେଳେ ଖରା ଦିନେ ବେଶୀ ଗରମ ହୁଏ ନାହିଁ ବୋଲି ଟକରମାଲା ଗ୍ରାମର ସଞ୍ଜିତ କୁମାର ପ୍ରଧାନ କହିଛନ୍ତି । ପ୍ରାକୃତିକ ଭାବେ ନିର୍ମାଣ କାଠ ଘରେ ଶୀତତାପ ନିୟନ୍ତ୍ରଣ ରୁହେ । ତାଙ୍କ ପରିବାର ଦୀର୍ଘ ବର୍ଷ ଧରି କାଠ ଘରେ ରହିଆସୁଛନ୍ତି । ବର୍ତ୍ତମାନ ଚାଳ ଛପରକୁ ପରିବର୍ତ୍ତନ କରି ଆଜିବେଷ୍ଟସ ଛପର କରିଛନ୍ତି । ପୂର୍ବଭଳି ଛଣ ମିଳୁ ନାହିଁ । ଏଣୁ ସ୍ଥାୟୀ ଛପର କରାଯାଇଛି । କାଠ ଘରେ କୌଣସି ଖର୍ଚ୍ଚ ହେଉନାହିଁ । ଗୋବର ଏବଂ ଲାଲ୍ ମାଟିରେ ଘରକୁ ଲିପା ଯାଉଥିବା ସେ କହିଛନ୍ତି । ଏହା ଦ୍ୱାରା କୌଣସି ଭୁତାଣୁର ଭୟ ନ ଥାଏ ବୋଲି ପ୍ରକାଶ କରିଛନ୍ତି । ସେହିପରି ଘର ଭିତରେ ଆସବାବ ପତ୍ରଠାରୁ ଚାଉଳ, ଧାନ ଆଦି ରଖିବା ପାଇଁ ବାଉଁଶରେ ତିଆରୀ ଡୁଲିରେ ରଖାଯାଇଥାଏ । ତେବେ ସମୟର ପରିବର୍ତ୍ତନ ଯୋଗୁ ଘରେ କେବଳ ବିଦ୍ୟୁତ୍ ସଂଯୋଗ ସହ ଇଲେଟ୍ରିକାଲ ସାମଗ୍ରୀ ବ୍ୟବହାର କରାଯାଉଛି ବୋଲି ସେ କହିଛନ୍ତି । ମାଟିରେ ତିଆରୀ ଚୁଲ୍ଲୀଠୁ ଆରମ୍ଭ କରି ସମସ୍ତ ସାମଗ୍ରୀ ପ୍ରକୃତି ଦ୍ୱାରା ପ୍ରସ୍ତୁତ ବୋଲି କାଠ ଘରେ ରହୁଥିବା ମାଲିକମାନେ କୁହନ୍ତି । କୋଠା ଘର ଅପେକ୍ଷା କାଠ ଘରେ ରହିବାକୁ ଭଲ ଲାଗୁଥିବା ସ୍ଥାନୀୟ ଲୋକେ କହିଛନ୍ତି ।


