ପିସିସି ସଭାପତିଙ୍କ ଭବିଷ୍ୟବାଣୀ ; ରାଜ୍ୟରେ ଲୋପ ପାଇବ ବିଜେଡି ଦଳ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ରଣଜିତ ବଳଦେବଜୀଉ ଦାଣ୍ଡ ଠାରେ କଂଗ୍ରେସର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ଲକ କଂଗ୍ରେସ ସଭାପତି ରଜନୀକାନ୍ତ ଚନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବନ୍ଧୁମିଳନ ସଭାରେ ମୁଖ୍ୟ ଅତିଥି ଭାବେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗଦେଇ ଇଂରାଜୀ ନବବର୍ଷ ଅବସରରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ । ଉପସ୍ଥିତ କର୍ମୀମାନଙ୍କୁ ଉଦବୋଧନ ଦେବା ଛଳରେ ଭାବପୂର୍ଣ୍ଣ ଭାବେ ଶ୍ରୀ ପଟ୍ଟନାୟକ ଆଉ ବେଶିଦିନ ରାଜନୀତି କରିବେ ନାହିଁ ବୋଲି କହିଥିଲେ । ବୟସାଧିକ କାରଣ ଯୋଗୁ ସେ ରାଜନୀତିରୁ ସନ୍ୟାସ ନେଇ ଯାଇପାରନ୍ତି ବୋଲି ସୂଚନା ଦେଇଥିବାବେଳେ ଓଡିଶାରେ ବିଜେଡିର ଲୋପ ଘଟିବ ବୋଲି କହିଥିଲେ । ରାଜନୈତିକ ପୃଷ୍ଠଭୂମିରେ କଂଗ୍ରେସ ଓ ବିଜେପି ଦୁଇଗୋଟି ଜାତୀୟ ଦଳ ରହିବ ବୋଲି ସେ କହିଥିବାବେଳେ ଅତିଶ୍ରୀଘ୍ର ବିଜେଡିର ବିଲୟ ନିଶ୍ଚିତ ବୋଲି ଉଦବୋଧନରେ ଭବିଷ୍ୟବାଣୀ କରିଥିଲେ । ଆୟୋଜିତ ସଭାରେ ଅନ୍ୟତମ ଅତିଥି ଭାବେ ଜିଲ୍ଲା ସଭାପତି ସୁବ୍ରତ ଦାସ ଯୋଗଦେଇ ଆଗାମୀ ପଞ୍ଚାୟତ ନିର୍ବାଚନ ସମସ୍ତ କଂଗ୍ରେସ କର୍ମୀମାନେ ଏବେଠାରୁ ନିଷ୍ଠାର ସହିତ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ନରନାରାୟଣ ଜେନା, କୃପାସିନ୍ଧୁ ମହାନ୍ତି, ବରିଷ୍ଠ କଂଗ୍ରେସ ନେତା ଗୋଲକ ଚନ୍ଦ୍ର ବେହେରା, ନଳିନୀକାନ୍ତ ମହାନ୍ତି, ମହିଳାନେତ୍ରୀ ସବିତା ଚନ୍ଦ, ଗଣେଷ ଭାରତୀ, ନାରାୟଣ ଚନ୍ଦ୍ର ଘଡେଇ, ବେଣୁଧର ସାହୁ, ବିଜୟ ସ୍ୱାଇଁ, ମଧୁସୂଦନ ଦତ୍ତ, ଅଜୟ କୁମାର ସାହୁ, ସସ୍ମିତା ବେହେରା, ରମେଶ ଭାରତୀ, ଅକ୍ଷୟ ବେହେରା , ପ୍ରଶାନ୍ତ ସାହୁ, ସୁବାଷ କାଣ୍ଡି, ମନୋଜ ନାୟକ, ଆଇନଜିବୀ ରବିନ୍ଦ୍ର କୁମାର ରାୟ ମାନଗୋବିନ୍ଦ ରାଉତ ପ୍ରମୁଖ ବିଭିନ୍ନ ବକ୍ତବ୍ୟ ଦେଇଥିଲେ । ସରପଞ୍ଚ ବିଜୟ ଶଙ୍କର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଆୟୋଜିତ ବନ୍ଧୁମିଳନ କାର୍ଯ୍ୟକ୍ରମରେ ୨୩ଗୋଟି ପଞ୍ଚାୟତର କଂଗ୍ରେସର ବହୁ ବରିଷ୍ଠ ଓ ଛାମୁଆ କର୍ମୀ ଏଥିରେ ଯୋଗଦେଇଥିଲେ ।


