ନାତିର ଚିକିତ୍ସା ପାଇଁ ଜିଲ୍ଲାପାଳଙ୍କୁ ଭେଟିଲେ ଅଜା ଓ ଆଇ
କେନ୍ଦ୍ରାପଡା ,(ଯୁଗାବ୍ଦ ନ୍ୟୁଜ୍): ଏକ ୭ବର୍ଷ ବୟସ ନାବାଳକର ୨ଟି ଜାକ କିଡନୀ ନଷ୍ଟ ହୋଇଯାଇଥିବାରୁ ତା’ର ଚିକିତ୍ସା ନିମନ୍ତେ ନାବାଳକଟିର ଅଜା ଓ ଆଇ ସୋମବାର ଅପରାହ୍ନରେ ଜିଲ୍ଲାପାଳଙ୍କୁ ଭେଟି ନିବେଦନ କରିଥିବା ଦେଖାଯାଇଛି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକ ଅନ୍ତର୍ଗତ ପାଟଳିପଙ୍କ ଗ୍ରାମର ଶ୍ରୀଚରଣ ମଲ୍ଲିକ ଓ ସେବତୀ ମଲ୍ଲିକଙ୍କ ଝିଅ ସହିତ ବୀନ ମଲ୍ଲିକଙ୍କର ବିବାହ ହୋଇଥିଲା । କିନ୍ତୁ ଆଜକୁ ପ୍ରାୟ ୧୦ବର୍ଷ ତଳେ ବୀନ ସଶ୍ମିତାଙ୍କୁ ଘରେ ଛାଡିଦେଇ କେଉଁଆଡେ ପଳାଇ ଗଲେ ଯେ ଆଜି ପର୍ଯ୍ୟନ୍ତ ତାଙ୍କର କୈାଣସି ଖୋଜଖବର ମିଳିନାହିଁ । ସ୍ୱାମୀ ଛାଡି ଚାଲିଯିବା ପରେ ସଶ୍ମିତାଙ୍କର ପୁଅଟିଏ ଜନ୍ମ ହୋଇଥିଲା । ୭ବର୍ଷ ବୟସର ଶୁଭମ ନାମକ ସେହି ପୁଅଟିର ୨ଟି ଜାକ କିଡନୀ ଆଜକୁ ପ୍ରାୟ ୭ବର୍ଷ ହେବ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଡାକ୍ତର କହିଛନ୍ତି ବୋଲି ଶୁଭମର ଅଜା ଶ୍ରୀଚରଣ ସୂଚନା ଦେଇଥିଲେ । ସ୍ୱାମୀ ଛାଡି ପଳାଇବା ଓ ପୁଅର ଏଭଳି ଅବସ୍ଥା ଦେଖି ମା ସଶ୍ମିତା ମାନସିକ ଭାରସାମ୍ୟ ହରାଇ ପାଗଳି ହୋଇଯାଇଛନ୍ତି ବୋଲି ଶ୍ରୀଚରଣ କହିଛନ୍ତି । ଏ ଅବସ୍ଥାରେ ବୃଦ୍ଧ ଅଜା ଶ୍ରୀଚରଣ ଓ ବୃଦ୍ଧା ଆଇ ସେବତୀ ନିଜର ଝିଅ ସଶ୍ମିତା ଏବଂ ନାତି ଶୁଭମର ଚିକିତ୍ସା ନିମନ୍ତେ ବହୁ ଧାର ଉଧାରକରି ନୟାନ୍ତ ହେବା ପରେ ଶେଷରେ ଆଉ କୈାଣସି ଉପାୟ ନପାଇ ଚିକିତ୍ସା ସହାୟତା ନିମନ୍ତେ ଜିଲ୍ଲାପାଳଙ୍କୁ ଭେଟି ଆକୁଳ ନିବେଦନ କଲରିଛନ୍ତି । ଜିଲ୍ଲାପାଳ ସେମାନଙ୍କର ସବୁକଥା ଶୁଣିବା ପରେ ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିବା ଜଣାପଡିଛି ।


