ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ଚୟନରେ ଅନୀୟମିତତା ଅଭିଯୋଗ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍):ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ଚୟନରେ ବ୍ୟାପକ ଅନୀୟମିତତା ଓ ପାତରଅନ୍ତର ହେଉଥିବା ସୋମବାର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଅଭିଯୋଗରୁ ପ୍ରକାଶ ଯେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପୁରୁଷୋତ୍ତମପୁର ପଂଚାୟତର ଅଧିବାସୀ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ ସରକାରଙ୍କ ପକ୍ଷରୁ ଚାଳଘରେ ବାସକରୁଥିବା ଗରୀବ ଲୋକମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୋଟିଏ ଗୋଟିଏ ପକ୍କାଘର ଯୋଗାଇଦେବା ଉଦେଶ୍ୟରେ ପ୍ରତ୍ୟେକ ପଂଚାୟତର ପ୍ରତ୍ୟେକ ଗ୍ରାମରେ ଥିବା ଚାଳଛପର ଘର ଗୁଡିକର ତଦନ୍ତ କରାଯାଇ ସେମାନଙ୍କୁ ପକ୍କାଘର ଯୋଗାଇଦେବାକୁ ଫଟୋ ଉଠାଯାଇ ଜିଓ ଟ୍ୟାଗିଙ୍ଗ କରାଯିବାକୁ ସରକାରୀ ନିର୍ଦେଶ ଥିବା ବେଳେ ପୁରୁଷୋତ୍ତମପୁର ପଂଚାୟତରେ ଏହା ବାଟବଣା ହୋଇଥିବା ଦେଖିବାକୁ ମିଳିଛି । ବହୁ ସ୍ୱଛଳ ତଥା ପକ୍କାଘର ଥିବା ପରିବାରକୁ ଚଂଚକତା କରାଯାଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ଭାବେ ଚୟନ କରାଯାଇ ସେମାନଙ୍କର ଜିଓ ଟ୍ୟାଗିଙ୍ଗ କରାଯାଉଥିବା ବେଳେ ଚାଳଛପର ଘର ଥିବା ଗରୀବ ଲୋକମାନଙ୍କୁ ଏହି ଯୋଜନାରୁ ବଂଚିତ କରାଯାଉଥିବା ଜିଲ୍ଲାପାଳଙ୍କ ନିକଟରେ ପଂଚାୟତବାସୀଙ୍କ ପକ୍ଷରୁ ବ୍ରହ୍ମାନନ୍ଦ ମଲ୍ଲିକ, ଆଦିକନ୍ଦ ମଲ୍ଲିକ, ସଂଯୁକ୍ତା ସାମଲ, ଗୀତା ମଲ୍ଲିକ, ରବିନ୍ଦ୍ର ରାଉତ, ଶତୃଘନ ରାଉତ, ସୁମନ୍ତ ମଲ୍ଲିକ, ଦୋଳଗୋବିନ୍ଦ ମଲ୍ଲିକ, ଅଭୟ ରାଉତ, ରଶ୍ମି ମଲ୍ଲିକ, ସୁଲୋଚନା ମଲ୍ଲିକ, ସରସ୍ୱତୀ ମଲ୍ଲିକ, ଜୟନ୍ତୀ ମଲ୍ଲିକ ପ୍ରମୁଖ ଶତାଧିକ ପଂଚାୟତବାସୀ ଅଭିଯୋଗ କରିଛନ୍ତି । ସେମାନେ ଆହୁରି ଅଭିଯୋଗ କରିଛନ୍ତି ଯେ ଏହି ଅନୀୟମିତତାରେ ପଂଚାୟତ ଠାରୁ ଆରମ୍ଭକରି ବ୍ଲକର କର୍ମଚାରୀଙ୍କ ପର୍ଯ୍ୟନ୍ତ ସମସ୍ତେ ସଂପୃକ୍ତ ରହି ଅନୈତିକ ଉପାୟରେ ହିତାଧିକାରୀ ଚୟନ କରିଥିବାରୁ ସେହି ଚୟନକୁ ବାତିଲ କରାଯାଇ ନୂତନ ଭାବେ ତଦନ୍ତ ପୂର୍ବକ ହିତାଧିକାରୀ ଚୟନ କରାଯିବାକୁ ଜିଲ୍ଲାପାଳଙ୍କୁ ନିବେଦନ କରିଥିଲେ । ଜିଲ୍ଲାପାଳ ଏହି ଅଭିଯୋଗ ଉପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ ନିମନ୍ତେ କେନ୍ଦ୍ରାପଡା ବିଡିଓଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଛି ।


