ବେଲଗୁଣ୍ଠା ମିଡ଼ିଆ କ୍ଲବର ବନ୍ଧୁମିଳନ ଓ ସାଙ୍ଗଠନିକ ଆଲୋଚନା ନିର୍ଭୀକ ଓ ନିରପେକ୍ଷ ସାମ୍ବାଦିକତା ଉପରେ ଗୁରୂତ୍ୱାରୋପ
ବେଲଗୁଣ୍ଠା,(ସନ୍ତୋଷ ବିଷୋୟୀ): ବୁଧୁବାର ଦିନ ଭଞ୍ଜନଗର ନିକଟ ଜାମପଲ୍ଲୀ ମା ଝାଙ୍କରେଇ ଓ ମା ରାମଚଣ୍ଡୀଙ୍କ ପୀଠରେ ବେଲଗୁଣ୍ଠା ମିଡ଼ିଆ କ୍ଲବର ବନ୍ଧୁମିଳନ ଓ ସାଙ୍ଗଠନିକ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବେଲଗୁଣ୍ଠା ମିଡ଼ିଆ କ୍ଲବ ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ମାଗୁଣି ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ବେଲଗୁଣ୍ଠା ଥାନାର ପ୍ରଥମ ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ଯୋଗ ଦେଇ ପୋଲିସ ଓ ସାମ୍ବାଦିକ ଉଭୟେ ପରସ୍ପର ପରିପୁରକ ଏବଂ ସୁସ୍ଥ ସମାଜ ଗଠନ ପାଇଁ ସାମ୍ବାଦିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । କାର୍ଯ୍ୟକ୍ରମର ଅନ୍ୟତମ ଅତିଥି ବେଲଗୁଣ୍ଠାର ପୂର୍ବତନ ନଗରପାଳ ଚନ୍ଦ୍ରମଣି ସାମଲ ସାମ୍ବାଦିକ ମାନେ ସମାଜର ସାମାଜିକ ସଂସ୍କାର କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଆସୁଛନ୍ତି ବୋଲି କହିଥଲେ । ସେହିଭଳି ଭଞ୍ଜନଗର ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଫକୀର ମୋହନ ମାଝି ,ବେଲଗୁଣ୍ଠା ଥାନା ସେକେଣ୍ଡ ଅଫିସର ପ୍ରକାଶ କୁମାର ସାହୁ, ଭଞ୍ଜନଗର ଥାନା ସେକେଣ୍ଡ ଅଫିସର ସମୀର କୁମାର ବେହେରା ,ସବଇନ୍ସପେକ୍ଟର ଟୁନା ପିଡ଼ିକା , ବେଲଗୁଣ୍ଠା ଥାନା ଏଏସଆଇ କୃଷ୍ଣ ଚନ୍ଦ୍ର ସେଠୀ ପ୍ରମୁଖ ଯୋଗଦେଇ ସାମ୍ବାଦିକ ମାନେ ନିରପେକ୍ଷ ଓ ନିର୍ଭୀକ ସମ୍ବାଦ ପରିବେଷଣ ସହ ସମାଜର ଅବହେଳିତ ବର୍ଗର ଲୋକଙ୍କ ସ୍ୱର ହୋଇ ପ୍ରଶାସନ ନିକଟରେ ସେମାନଙ୍କ ସମସ୍ୟା ଉପସ୍ଥାପିନ କରିବା ଆବଶ୍ୟକ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅତିଥି ମାନେ କରୋନା କାଳରେ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କ ସେବା ନିଃସ୍ୱାର୍ଥପର ଭାବରେ କରିଥିବା ଯୋଗୁଁ ମିଡ଼ିଆ କ୍ଲବ ତରଫରୁ କରୋନା ଯୋଦ୍ଧାଙ୍କୁ କୃତଜ୍ଞତା ଜ୍ଞାପନ କରାଯିବା ସହ ଧନ୍ୟବାଦ ଅର୍ପଣ କରାଯାଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଉପସ୍ଥିତ ଅତିଥିଙ୍କୁ ମିଡ଼ିଆ କ୍ଲବ ସଭାପତି ଏଲ.ସତୀଶ ରେଡ୍ଡୀ ପୁଷ୍ପଗୁଛ ଓ ଉପଢୌକନ ଦେଇ ସ୍ୱାଗତ କରିଥିବା ବେଳେ କୁମାର କାର୍ତ୍ତିକେଶ୍ୱର ପ୍ରଧାନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।


