ଭାରତରେ କାୟା ବିସ୍ତାର କରୁଛି ଜେଏମବି: ଓଡ଼ିଶା ସମେତ ୬ ରାଜ୍ୟରେ ସକ୍ରିୟ, ଏନ୍‌ଆଇଏ ମୁଖ୍ୟ

ନୂଆଦିଲ୍ଲୀ: ବାଂଲାଦେଶୀ ଆତଙ୍କବାଦୀ ଗୋଷ୍ଠୀ ଜେଏମବି(ଜମାତ-ଉଲ୍ ମୁଜାହିଦ୍ଦିନ୍ ବାଂଲାଦେଶ) ଭାରତରେ ଏହାର କାୟା ବିସ୍ତାର କରିବାକୁ ପ୍ରୟାସ କରୁଛି । ଭାରତର ବିଭିନ୍ନ ରାଜ୍ୟଗୁଡ଼ିକରେ ଜେଏମବି ଆତଙ୍କବାଦୀ ଗୋଷ୍ଠୀ ଏହାର କାର୍ଯ୍ୟକଳାପ ବିସ୍ତାର କରୁଛି । ଏନେଇ ପ୍ରାୟ ୧୨୫ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ତାଲିକା ବିଭିନ୍ନ ରାଜ୍ୟମାନଙ୍କୁ ଦିଆଯାଇଛି । ଜେଏମବିି ଝାଡ଼ଖଣ୍ଡ, ବିହାର, ଓଡି଼ଶା, ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ କେରଳରେ ଏହାର କାୟା ବିସ୍ତାର କରୁଥିବା ଜଣାପଡ଼ିଛି । ବାଂଲାଦେଶୀ ଆପ୍ରବାସୀଙ୍କ ବେଶରେ ଜେଏମବିି ଆତଙ୍କବାଦୀ ଗୋଷ୍ଠୀ ଭାରତରେ ବିଭିନ୍ନ ରାଜ୍ୟରେ ଏହାର କାର୍ଯ୍ୟକଳାପ ଜାରି ରଖିଛି ବୋଲି ଏନ୍‌ଆଇଏ ମୁଖ୍ୟ ୱାଇସି ମୋଦୀ ଆଜି ଏଟିଏସ୍ (ଆତଙ୍କବାଦ ନିରୋଧ ସ୍କ୍ୱାର୍ଡ୍‌) ମୁଖ୍ୟମାନଙ୍କ ବୈଠକରେ ଉଦବୋଧନ ଦେଇ କହିଛନ୍ତି । ମୋଦୀ ସ୍ପଷ୍ଟ କରିଛନ୍ତି ଯେ ଜେଏମବି ଆତଙ୍କବାଦୀମାନେ ଓଡ଼ିଶାକୁ ଅନୁପ୍ରବେଶ କରିଛନ୍ତି । ସବୁଠୁ ଚିନ୍ତାଜନକ ହେଉଛି ଆତଙ୍କବାଦୀ ଗୋଷ୍ଠୀ ଆଇଏସର ନଜର ବି ଓଡ଼ିଶା ଉପରେ ରହିଛି ।
ଏ ବାବଦରେ ବିସ୍ତୃତ ସୂଚନା ଦେଇ ଏନ୍‌ଆଇଏ ଆଇଜି ଆଲୋକ ମିତ୍ତଲ କହିଛନ୍ତି, ରାଜ୍ୟମାନଙ୍କୁ ଦିଆଯାଇଥିବା ତାଲିକାରେ ୧୩୦ ଆତଙ୍କବାଦୀ ଅଛନ୍ତି । ୨୦୧୪ରୁ ୨୦୧୮ ମଧ୍ୟରେ ଜେଏମ୍ବି ବେଙ୍ଗାଲୁରୁରେ ୨୦-୨୨ଟି ଗୋପନ ଆଡ଼ା ପ୍ରତିଷ୍ଠା କରିଛି ଏବଂ ଏହାଦ୍ୱାରା ଦକ୍ଷିଣ ଭାରତରେ କାୟା ବିସ୍ତାର କରିବାକୁ ଚେଷ୍ଟା କରିଛି । ଜେଏମ୍ବି ମଧ୍ୟ କର୍ଣ୍ଣାଟକ ସୀମାର କ୍ରିଷ୍ଣାଗିରି ପର୍ବତରେ ଏକ ରକେଟ୍ ଲଞ୍ଚର ପରୀକ୍ଷଣ କରିଛି । ମିଆଁମାରରେ ରୋହିଙ୍ଗ୍ୟା ମୁସଲିମ୍‌ଙ୍କ ଦୁଃଖ ଦୁର୍ଦ୍ଦଶାର ପ୍ରତିଶୋଧ ନେବାକୁ ଯାଇ ଜେଏମବି ବୌଦ୍ଧ ମନ୍ଦିରଗୁଡ଼ିକ ଉପରେ ଆକ୍ରମଣ ଯୋଜନା କରୁଛି ବୋଲି ମିତ୍ତଲ କହିଛନ୍ତି । ଜେଏମ୍ବି ପ୍ରାରମ୍ଭରେ ୨୦୦୭ରେ ପଶ୍ଚିମବଙ୍ଗରେ ଏହାର କାର୍ଯ୍ୟ ଆରମ୍ଭ କରିଥିଲା ଏବଂ ପରେ ଅନ୍ୟ ରାଜ୍ୟମାନଙ୍କରେ ଏହାର କାର୍ଯ୍ୟ ଜାରି ରଖିଛି । ତଦନ୍ତରୁ ଜଣାପଡ଼ିଛି ଯେ ୧୩୦ ସନ୍ଦିଗ୍ଧ ଆତଙ୍କବାଦୀ ଜେଏମବିି ମୁଖ୍ୟ ସଂଚାଳକ ସହ ସହ ନିୟମିତ ଯୋଗାଯୋଗ ରଖିଛନ୍ତି । ମିତ୍ତଲ କହିଛନ୍ତି ବର୍ଷକ ମଧ୍ୟରେ ଆଇଏସ୍ ଲିଙ୍କ୍ ନେଇ ଦେଶରେ ୧୨୭ ଜଣ ଗିରଫ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ସ୍ୱୀକାର କରିଛନ୍ତି ଯେ ଇସଲାମ ଧର୍ମ ପ୍ରଚାରକ ଜାକିର ନାଏକଙ୍କ ଦ୍ୱାରା ସେମାନେ ଅନୁପ୍ରାଣିତ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ