କେନ୍ଦ୍ରୀୟ ବଜେଟ ୨୦୨୧-୨୨ରେ ଏସ.ସି/ଏସ୍.ଟି ବର୍ଗଙ୍କ ପାଇଁ ବ୍ୟୟବରାଦ ଯଥେଷ୍ଟ ନୁହେଁ
ଭୁବନେଶ୍ୱର,(ଓ୍ବାଇଏନ୍ଏସ୍) : କେନ୍ଦ୍ରୀୟ ବଜେଟ ୨୦୨୧-୨୨ର ଦଳିତ-ଆଦିବାସୀବର୍ଗଙ୍କ ପରିପ୍ରେକ୍ଷୀରୁ ବିଶ୍ଲେଷଣ ରିପୋର୍ଟ ଆମ୍ବେଦକର ଲୋହିଆ ବିଚାର ମଞ୍ଚ ଓ ଏନ୍.ସି.ଡ଼ି.ଏଚ୍.ଆର (ନୂଆଦିଲ୍ଲୀ) ପକ୍ଷରୁ ଆଜି ଉପସ୍ଥାପନ କରାଯାଇଛି । ଚଳିତବର୍ଷ ବଜେଟରେ ଅନୁସୂଚିିତ ଜାତି ଓ ଅନୁସୂଚିତ ଜନଜାତିମାନଙ୍କ ନିମନ୍ତେ କମ୍ ବ୍ୟୟବରାଦ କରାଯାଇଥିବା ବେଳେ ଏମାନଙ୍କ ସିଧାସଳଖ ବିକାଶ ପାଇଁ ବହୁତ କମ୍ ଅର୍ଥ ବରାଦ କରାଯାଇଛି । ଏହି ଦୃଷ୍ଟିରୁ ଏସ୍ସି, ଏସ୍ଟି ଜନଗୋଷ୍ଠୀମାନଙ୍କ ପାଇଁ ଏହା ଏକ ଫିକା ବଜେଟ ବୋଲି କୁହାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଚଳିତବର୍ଷ ମୋଟ ୩୪,୮୩,୨୩୭କୋଟି ଟଙ୍କାର ବଜେଟ ଆକଳନ କରାଯାଇଥିବା ବେଳେ ଅନୁସୂଚିତ ଜାତିମାନଙ୍କ ପାଇଁ ୧,୨୬,୨୫୯କୋଟି ଟଙ୍କା ଓ ଅନୁସୂଚିତ ଜନଜାତିମାନଙ୍କ ପାଇଁ ୭୯,୯୪୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି; ଏଥିମଧ୍ୟରୁ ଯଥାକ୍ରମେ ୪୮୩୯୭ କୋଟି ଓ ୨୭୮୩୦ କୋଟି ସିଧାସଳଖ ବିକାଶ ପାଇଁ ଉଦ୍ଦିଷ୍ଟ । ବିଭିନ୍ନ ଦୃଷ୍ଟିରୁ ଦେଖାଗଲେ ପୋଷ୍ଟମାଟ୍ରିକ ସ୍କଲାରସିପ ସ୍କିମ୍ରେ ଅନୁସୂଚିତ ଜାତିର ଶିକ୍ଷାର୍ଥୀମାନଙ୍କ ପାଇଁ ୩୪୧୫.୬୨କୋଟି ଓ ଅନୁସୂଚିତ ଜନଜାତିର ଶିକ୍ଷାର୍ଥୀମାନଙ୍କ ପାଇଁ ୧୯୯୩ କୋଟି ଟଙ୍କା ମାତ୍ର ବରାଦ କରାଯାଇଛି । ନିକଟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ବାର୍ଷିକ ୭୦୦୦କୋଟି ଟଙ୍କା ପ୍ରଦାନ କରାଯିବ ବୋଲି ଦିଆଯାଇଥିବା ପ୍ରତିଶ୍ରୁତି ସତ୍ତ୍ୱେ ଚଳିତବର୍ଷ ଏହି ସ୍କିମ୍ ପାଇଁ ଏତେ କମ୍ ପରିମାଣର ବ୍ୟୟବରାଦ କରାଯାଇଛି । ଦେଶର ଦରିଦ୍ର ଓ ଅତି ଦରିଦ୍ର ବର୍ଗର ୬୦ଲକ୍ଷ ଛାତ୍ରଛାତ୍ରୀ ଏହି ଯୋଜନାରେ ଉପକୃତ ହୋଇ ଶିକ୍ଷା ଅଧିକାର ହାସଲ କରିପାରିବେ । ଏହି ବର୍ଗର ଛାତ୍ରଛାତ୍ରୀମାନଙ୍କ ସଂଖ୍ୟା କମ୍ରଗତ ଭାବରେ ବଢି ଚାଲୁଥିଲା ବେଳେ ଏତେ କମ୍ ପରିମାରଣର ବଜେଟ ଆବଣ୍ଟନ ଅତ୍ୟନ୍ତ ଚିନ୍ତାଜନକ ବୋଲି ଦୁଇ ସଂଗଠନ ପକ୍ଷରୁ ଉଦବେଗ ପ୍ରକାଶ କରାଯାଇଛି । ସେହିଭଳି କେନ୍ଦ୍ର ସରକାରଙ୍କ ୪୧ଟି ମନ୍ତ୍ରଣାଳୟ ଓ ବିଭାଗଗୁଡ଼ିକ ଦ୍ୱାରା ରୁପାନ୍ୱିତ ହେଉଥିବା ୩୩୦ଟି ସ୍କିମ୍ ଗୁଡ଼ିକରେ ଅନୁସୂଚିତ ଜାତି ଓ ଜନଜାତି ସମ୍ପ୍ରଦାୟଗୁଡ଼ିକ ପାଇଁ ଯଥାକ୍ରମେ ୧୬୧୨୬୦ କୋଟଙ୍କ ଟଙ୍କା ଓ ୮୮୦୭୭ କୋଟି ଟଙ୍କା ବ୍ୟୟ ବରାଦ ହେବା କଥା; କିନ୍ତୁ ୧୨୬୨୫୯ କୋଟି ଓ ୭୯୯୪୨ କୋଟି ଟଙ୍କା ବରାଦ ହୋଇଛି । ଦଳିତ-ଆଦିବାସୀବର୍ଗର ମହିଳାମାନଙ୍କ ଉପରେ ନିର୍ଯ୍ୟାତନା ଓ ହିଂସାର ଭୟାବହତା ଓ ସଂଖ୍ୟା ବଢିଚାଲିଥିଲା ବେଳେ ନାଗରିକ ଅଧିକାର ସୁରକ୍ଷା ଆଇନ ଓ ନିର୍ଯ୍ୟାତନା ନିବାରଣ ଆଇନର କାର୍ଯ୍ୟକାରିତା ପାଇଁ ମାତ୍ର ୬୦୦କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । କୋଭିଡ଼-୧୯ର ସମ୍ମୁଖ ଯୋଦ୍ଧା ସଫେଇ କର୍ମଚାରୀମାନଙ୍କ ପାଇଁ ମାତ୍ର ୧୦୦କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ଯାହା ଅତିମାତ୍ରାରେ ନଗଣ୍ୟ ।
ଉପରୋକ୍ତ ତଥ୍ୟ ଆଧାରରେ ଚଳିତବର୍ଷର ବଜେଟ ଦଳିତ-ଆଦିବାସୀବର୍ଗଙ୍କ ପାଇଁ ଆଦୌ ଉତ୍ସାହଜନକ ନୁହେଁ ବୋଲି ବଶ୍ଲେଷଣ ରିପୋର୍ଟରେ ଉପସ୍ଥାପନ କରାଯାଇଛି । ଏହି ଦୁଇ ବଂଚିତ ବର୍ଗ ଓ ସାଧାରଣବର୍ଗ ମଧ୍ୟରେ ସାମାଜିକ, ଅର୍ଥନୈତିକ ବ୍ୟବଧାନ ହ୍ରାସ କରିବା ନିମନ୍ତେ କେନ୍ଦ୍ର ସରକାର ପ୍ରତିବଦ୍ଧତା ସହିତ ନୂତନ ସ୍କିମ, ଯୋଜନା, ଆଇନ ପ୍ରଣୟନ ଓ ସେଗୁଡ଼ିକର କାର୍ଯ୍ୟକାରିତା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଦାବୀ କରାଯାଇଛି । ଭୁବନେଶ୍ୱରସ୍ଥିତ ଲୋହିଆ ଏକାଡ଼େମୀ ପରିସରରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ଆମ୍ବେଦକର ଲୋହିଆ ବିଚାରମଞ୍ଚର ରାଜ୍ୟ ସଭାପତି ସଂଗ୍ରାମ ମଲିକ, ସାଧାରଣ ସମ୍ପାଦକ କିସାନ ପଟ୍ଟନାୟକ, ସମ୍ପାଦକ ତପନ ସାମଲ ଓ ଏନ୍ସିଡ଼ିଏଚ୍ଆର ସଂଗଠନର ଆଦିକନ୍ଦ ସିଂ ଏହି ରିପୋର୍ଟ ଉପସ୍ଥାପନ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସନ୍ଦୀପ ପଟ୍ଟନାୟକ, ଗିରୀଶ ଚନ୍ଦ୍ର ନାୟକ, ସଞ୍ଜୟ କୁମାର ମଲ୍ଲିକ, ଅଭିମନ୍ୟୁ ସେଠୀ, ଅରବିନ୍ଦ ମଲିକ, ମାଧବାନନ୍ଦ ଭୋଇ, କଣ୍ଢେଇ ରାଉତ, ବସନ୍ତ ନାୟକ, ବିଜୟ ଲକ୍ଷ୍ମୀ, ମିନତୀ ମଲ୍ଲିକ, ଧନଞ୍ଜୟ ଭୋଇ, ଜୟନ୍ତ କୁମାର ସେଠୀ, ସୁକାନ୍ତ ତିଆଡ଼ି, ବିଶ୍ୱଜିତ ସ୍ୱାଇଁ, ଶ୍ରଦ୍ଧାଞ୍ଜଳି ପଣ୍ଡା, ମହେନ୍ଦ୍ର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।


