ମହାଲେଖା ନିୟନ୍ତ୍ରକ ଭାବେ ଜେପିଏସ ଚାୱଲାଙ୍କ ଦାୟିତ୍ୱ ଗ୍ରହଣ
ଶ୍ରୀ ଜେପିଏସ ଚାୱଲା ଆଜି ଅର୍ଥ ମନ୍ତ୍ରଣାଳୟ ବ୍ୟୟ ବିଭାଗରେ ନୂତନ ମହାଲେଖା ନିୟନ୍ତ୍ରକ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ୧୯୮୫ ବ୍ୟାଚର ଭାରତୀୟ ସିଭିଲ ଲେଖା ସେବା ଅଧିକାରୀ ଶ୍ରୀ ଚାୱଲାଙ୍କୁ ଭାରତ ସରକାର ନିୟମିତ ଆଧାରରେ ଅକ୍ଟୋବର ୧୫ରୁ ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗରେ ମହାଲେଖା ନିୟନ୍ତ୍ରକ ଭାବେ ନିଯୁକ୍ତ କରିଛନ୍ତି । ସେ ଦିଲ୍ଲୀ କଲେଜ ଅଫ ଇଞ୍ଜିନିୟରିଂରୁ ମେକାନିକାଲ ଇଞ୍ଜିନିୟରିଂରେ ସ୍ନାତକ କରିଥିଲେ । ସିଭିଲ ସେବାକୁ ଆସିବା ପୂର୍ବରୁ ସେ ଚାରି ବର୍ଷ ପାଇଁ ଇଞ୍ଜିନିୟରିଂ ଇଣ୍ଡିଆ ଲିମିଟେଡରେ କାର୍ଯ୍ୟ କରିଛନ୍ତି । ନିଜର ୩୪ ବର୍ଷର କ୍ୟାରିଅରରେ ସେ ପ୍ରସାର ଭାରତୀ, ସହରୀ ବିକାଶ, ନାଗରିକ ଉନ୍ନୟନ ଏବଂ ପର୍ୟ୍ୟଟନ ଓ କୃଷି ଭଳି ଅନେକ ମନ୍ତ୍ରଣାଳୟର ବିଭିନ୍ନ ପଦରେ କାର୍ୟ୍ୟ କରିଛନ୍ତି । ଏହା ସହିତ ସେ ବିକାଶ ପ୍ରାଧିକରଣ , ଇନ୍ଦ୍ରପ୍ରସ୍ଥ ପାୱାର ଜେନେରେସନ କମ୍ପାନୀ ଲିମିଟେଡ ଓ ପ୍ରଗତି ପାୱାର ଲିମିଟେଡ (ପିପିଏଲ)ରେ ନିର୍ଦ୍ଦେଶକ (ଅର୍ଥ) ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ସେ ସରକାରୀ ଆର୍ଥିକ ପ୍ରବନ୍ଧନ ପ୍ରଣାଳୀ (ପିଏଫଏମଏସ) ସହିତ ସିବିଆଇସିର ଆଇଜିଏସଟି ରିଫଣ୍ଡ ଦେୟ ନେଟୱର୍କ ଏକୀକରଣରେ ଏକ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ, ଯାହାକି ଭାରତ ସରକାରଙ୍କ ନିର୍ଣ୍ଣୟର ଅଂଶବିଶେଷ ଭାବେ ସମସ୍ତ ସରକାରୀ ରସିଦ ଓ ଦେୟକୁ ମହାଲେଖା ନିୟନ୍ତ୍ରକ କାର୍ଯ୍ୟଳୟର ପିଏଫଏମଏସ ପୋର୍ଟାଲ ମାଧ୍ୟମରେ ଡିଜିଟାଲାଇଜେସନ କରିବା ପାଇଁ କରାଯାଇ ଥିଲା ।


