ସାର୍ନା ଧର୍ମକୋଡ ଦାବି ନେଇ ଶୋଭାଯାତ୍ରାରେ ଦାବିପତ୍ର ପ୍ରଦାନ କରାଯିବାକୁ ନେଇ ପ୍ରସ୍ତୁତି ବୈଠକ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଗିଦିଘାଟୀ ଗ୍ରାମ ସ୍ଥିତ ଜୁଆନ୍ ଯୁମିଦ୍ ମାର୍ସାଲ କ୍ଲବ ସାଂସ୍କୃତିକ ସଂଘ ଭବନରେ ଚଳିତ ମାସ ୧୧’ତାରିଖ ଗୁରୁବାର ଦିନ ଆଦିବାସୀ ମାନଙ୍କ ସ୍ବତନ୍ତ୍ର ସାର୍ନା ଧର୍ମକୋଡ ଦାବିରେ ଏକ ଶୋଭାଯାତ୍ରାରେ ବହଳଦା ତହସିଲ କାର୍ଯ୍ୟାଳୟରେ ଦାବିପତ୍ର ପ୍ରଦାନ କରାଯିବାକୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି ।  ଆସନ୍ତା ଜନଗଣନାରେ ଆଦିବାସୀ’ଙ୍କୁ ସାର୍ନା ଧର୍ମକୋଡ ପ୍ରଦାନ କରାଯିବାକୁ ନେଇ ବିଭିନ୍ନ ସଂଗଠନ ପକ୍ଷରୁ ଦାବି କରାଯାଇ ଆସୁଥିବାବେଳେ ମୟୁରଭଞ୍ଜ ଜିଲ୍ଲା ପେସା ଗ୍ରାମସଭା ସଂଯୋଜକ ସମିତି ଏବଂ ମାଝୀ ପାର୍ଗାନା ମାହାଲ ପକ୍ଷରୁ ଏକ ଶୋଭାଯାତ୍ରାରେ ବହଳଦା ପଞ୍ଚାୟତ ସମିତି କାର୍ଯାଳୟ ଓ ବହଳଦା ତହସିଲ କାର୍ଯ୍ୟାଳୟରେ ରାଷ୍ଟ୍ରପତି’ଙ୍କ ଉଦ୍ଧେଶ୍ୟରେ ଦାବିପତ୍ର ପ୍ରଦାନ କରାଯିବାର କାଯ୍ର୍ୟକ୍ରମ ରହିଛି ।ଏହି ବୈଠକ ବହଳଦା ବ୍ଲକ ପେସା ଗ୍ରାମସଭା ସଂଯୋଜକ ବସନ୍ତ ସାଣ୍ଡିଲ ଓ ପାଳସା ପିଳ୍ ପାର୍ଗାନା ଭାଗୀରଥି ହାଁସଦାଃ’ଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲାବେଳେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଲକ୍ଷ୍ମଣ ମାଝୀ,ଆଦିବାସୀ ସାମାଜିକ ଶିକ୍ଷା ଏବଂ ସାସ୍କୃତିକ ପରିଷଦ ଅଧ୍ୟକ୍ଷ ସୂର୍ଯ୍ୟ ହେମ୍ବ୍ରମ,ଆସେକା ର ବିଜାତଳା ଶାଖା ସଭାପତି ଲକ୍ଷ୍ମଣ କିସ୍କୁ,ବାବା ତିଲକା ପାଠାଗାର ପ୍ରତିଷ୍ଠାତା ତଥା ବରିଷ୍ଠ ସାମ୍ବାଦିକ ରାମଦାସ ମୁର୍ମୁ,ତାରଣା ମାଝୀବାବା ରାମଚନ୍ଦ୍ର ହେମ୍ବ୍ରମ ପ୍ରମୁଖ ବୈଠକରେ ଯୋଗ ଦେଇ କାର୍ଯ୍ୟକ୍ରମ ଆୟୋଜନ ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ବହଳଦା ବ୍ଲକ କାର୍ଯାଳୟ ନିକଟସ୍ଥ କାଙ୍କି ଖେଳ ପଡିଆରେ ଏକତ୍ରୀତ ହେବାପରେ ଏକ ଶୋଭାଯାତ୍ରାରେ ବାହାରି ବହଳଦା ବ୍ଲକ କାର୍ଯାଳୟ ଓ ବହଳଦା ତହସିଲ କାର୍ଯ୍ୟାଳୟ ରେ ଦାବିପତ୍ର ପ୍ରଦାନ କରାଯିବା ପରେ ଉକ୍ତ କାଙ୍କି ଖେଳ ପଡିଆରେ ଏକ ସାଧାରଣ ସଭାର ଆୟୋଜନ କରାଯିବାର କାର୍ଯ୍ୟକ୍ରମ ଚୁଡାନ୍ତ ହୋଇଛି। ଅନୁଷ୍ଠିତ ହୋଇଯାଇଥିବା ପ୍ରସ୍ତୁତି ବୈଠକରେ ବହଳଦା ବ୍ଲକର ବିଭିନ୍ନ ପେସା ଗ୍ରାମସଭାର ସଦସ୍ୟ’ଙ୍କ ସହିତ ପାଳସା ପିଳ୍ ପାରଗାନା’ଙ୍କ ଦ୍ବାରା ଆମନ୍ତ୍ରିତ ପାଳସା ପିଳ୍ ୫୩’ ମୌଜାର ମାଝୀବାବା ଓ ନାଏକେ’ଙ୍କ ସହିତ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ।ଏହି ବୈଠକରେ ଦାବିପତ୍ର ପ୍ରଦାନ କରାଯିବା ସମ୍ବନ୍ଧରେ ଆଲୋଚନା କରାଯିବା ସହିତ ଗ୍ରାମ ମାଝୀବାବା ଓ ନାଏକେ ମାନଙ୍କୁ ଆସେକା ପକ୍ଷରୁ ପରିଚୟ ପତ୍ର ପ୍ରଦାନ ଓ ଆଦିବାସୀ ମାନଙ୍କ ପୂଜାସ୍ଥଳ ଜାହେର୍ ଗାଳ୍ ଓ ମଶାଣୀ ଗୁଡିକର ପଞ୍ଜିକରଣ କରାଯିବା ସମ୍ବନ୍ଧରେ ଆଲୋଚନା କରାଯାଇଥିଲା।ପାଳ୍ସା ପିଳ୍ ପାରଗାନା ମାହାଲ ଓ ମୟୁରଭଞ୍ଜ ଜିଲ୍ଲା ପେସା ଗ୍ରାମସଭା ସଂଯୋଜକ ସମିତି ପକ୍ଷରୁ ସାର୍ନା ଧର୍ମକୋଡ ଦାବିରେ ଦାବିପତ୍ର ପ୍ରଦାନ କରାଯିବା କାର୍ଯ୍ୟକ୍ରମରେ ଅଞ୍ଚଳର ଆଦିବାବାସୀ ପୁରୁଷ ଓ ମହିଳାମାନେ ସ୍ବେଚ୍ଛାକୃତ ଭାବେ ଅଂଶ ଗ୍ରହଣ କରି ସଫଳତାର ସହିତ କାର୍ଯ୍ୟକ୍ରମକୁ ଆୟୋଜନ କରିବାରେ ସହଯୋଗ ପ୍ରଦାନ କରାଯିବାକୁ ଅନୁରୋଧ କରାଯାଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ