ସ୍ମଶାନ କିସମରୁ ମାଟିଚୋରି ଅଭିଯୋଗ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ତହସିଲ ଅଞ୍ଚଳରେ ଦିନକୁ ଦିନ ମାଟି ଓ ବାଲି ଚୋରା ଚାଲାଣ ହେଉଥିବାବେଳେ ଅଧିକାରୀ ମାନଙ୍କ ଅପାରଗତା କାରଣରୁ ଏଥିପାଇଁ ସ୍ମଶାନ ମଧ୍ୟ ଗାଡିଆରେ ପରିଣତ ହୋଇଯାଉଛି । ମିଳିଥିବା ସୂଚନା ମୁତାବକ ରାମଚନ୍ଦ୍ରପୁର ପଞ୍ଚାୟତ ପର୍ବତୀ ରାଜସ୍ୱ ଅଞ୍ଚଳର ଚାରିଗଡିଆ ଠାରୁ ଦୀର୍ଘ ଚାରିଦିନ ହେବ ବେଆଇନ ମାଟି ଖୋଳା ଓ ଚାଲାଣ ଚାଲିଛି । ଏପରିକି ରଣଜିତ ରାଜସ୍ୱନିରୀକ୍ଷକଙ୍କ କାର୍ଯ୍ୟାଳୟ ଠାରୁ ୨୦୦ମିଟର ଦୂରରେ ଦିବାଲୋକରେ ଜେସିବି ଦ୍ୱାରା ମାଟି ଖୋଳାଯାଇ ଟ୍ରାକ୍ଟର ଯୋଗେ ଚାଲାଣ ହେଉଥିଲେ ସୁଦ୍ଧା ଏହାକୁ ରୋକିବାରେ ରାଜସ୍ୱ ଅଧିକାରୀ ତତ୍ପରତା ପ୍ରକାଶ କରୁନାହାଁନ୍ତି । ପ୍ଲଟ ନଂ ୧୨୭୯ ସ୍ମଶାନ କିଶମ ପ୍ରାୟ ୩.୫ଏକର ଜାଗାରୁ ଅସାଧୁ ବ୍ୟକ୍ତିମାନେ ଚାରିଦିନ ହେବ ମାଟି ଖୋଳୁଛନ୍ତି । ଏହି ସ୍ଥାନକୁ ଲାଗି ପୂର୍ତ୍ତବିଭାଗ ରାସ୍ତାରେ ଦୈନନ୍ଦିନ ରାଜସ୍ୱ ଅଧିକାରୀ କାର୍ଯ୍ୟାଳୟକୁ ଯାଇଥାଆନ୍ତି । କିନ୍ତୁ ୪ଦିନ ହେବ ବେଧଡକ ଭାବେ ମାଟି ଖୋଳାଯାଇ ଚାଲାଣ ହେଉଥିଲେ ସୁଦ୍ଧା ଅଧିକାରୀମାନେ ଏକାକୁ କାହିଁକି ରୋକିଲେ ନାହିଁ ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଉକ୍ତ ବେଆଇନ କାର୍ଯ୍ୟ ସମ୍ପର୍କରେ ସ୍ଥାନୀୟ ଲୋକେ ରାଜସ୍ୱ ଅଧିକାରୀଙ୍କ ସମେତ ତହସିଲଦାରଙ୍କୁ ଜଣାଇଥିôଲେ ସୁଦ୍ଧା କାର୍ଯ୍ୟାନୁଷ୍ଠାନ କିନ୍ତୁ ଶୂନ ରହିଛି । ଦିନ ସହିତ ଏବେ ରାତିବେଳା ମଧ୍ୟ ମାଟି ଖୋଳାଯାଉଥିବା ଜଣାଯାଇଛି । ଅଧିକାରୀଙ୍କ କାର୍ଯ୍ୟ ତତ୍ପରତା ହେଉ କିମ୍ବା ଅସାଧୁ ବ୍ୟକ୍ତିଙ୍କ ସହିତ ଅଘୋଷିତ ଚୁକ୍ତିଭିତ୍ତିକ ସମ୍ପର୍କ ହେଉ ଯେଉଁଥି ପାଇଁ ସ୍ମଶାନ କିଶମ ଜମି ପୋଖରୀରେ ପରିଣତ ହେବାକୁ ଯାଉଛି । ଉକ୍ତ ବେଆଇନ ଘଟଣା ସମ୍ପର୍କରେ ରାଜସ୍ୱ ଅଧିକାରୀଙ୍କ ମତାମତ ନେବାରୁ ସେ ନିଜ କାର୍ଯ୍ୟର ଅବହେଳାକୁ ଘଣ୍ଟ ଘୋଡାଇ ଏବିଷୟରେ ତହସିଲଦାରଙ୍କୁ ଜଣାଇଥିବା କହିଛନ୍ତି । ଅନୁରୂପ ଭାବେ ତହସିଲଦାର ମଧ୍ୟ ଘଟଣା ସମ୍ପର୍କରେ ଜାଣିବା ପାଇଁ ରାଜସ୍ୱ ଅଧିକାରୀଙ୍କୁ କହିଥିବା ସୂଚନା ଦେଇଛନ୍ତି । ସେ ଯାହାବି ହେଉ ସରକାରୀ ଅଧିକାରୀଙ୍କ ଅପାରଗତା ଯୋଗୁ ମାଟି ଚାଲାଣ ଜନିତ ଲକ୍ଷଲକ୍ଷ ଟଙ୍କା ରାଜସ୍ୱ ହାନୀ ହେଉଥିବାବେଳେ ଗାଁ ସ୍ମଶାନ ଲୀନ ହୋଇଯାଉଛି । ଏହାକୁ ନେଇ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।