ଦୀର୍ଘ ଦିନ ଧରି ବଦଳି ହେଉ ନାହାନ୍ତି ଗାରୋଇ ଫାଣ୍ଡି କନେଷ୍ଟବଳ
ନାଉଗାଁ,(ଓ୍ବାଇଏନ୍ଏସ୍): ସରକାରୀ ନିୟମାନୁସାରେ ସରକାରୀ କର୍ମଚାରୀ ଗୋଟିଏ ସ୍ଥାନରେ ୩ବର୍ଷରୁ ଅଧିକ ଦିନ ରହି ପାରିବେ ନାହିଁ । କିନ୍ତୁ ନାଉଗାଁ ଥାନା ଅନ୍ତର୍ଗତ ଗାରୋଇ ଫାଣ୍ଡିରେ ଜୈନିକ କନେଷ୍ଟବଳ ଦୀର୍ଘ ୪ବର୍ଷରୁ ଉର୍ଦ୍ଧ ସମୟ ହେବ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି । ମିଳିଥିବା ତଥ୍ୟ ଅନୁସାରେ ଉକ୍ତ ଫାଣ୍ଡିର କନେଷ୍ଟବଳ ପ୍ରଦିପ୍ତ କୁମାର ମହାନ୍ତି ଅଗଷ୍ଟ ୨୦୧୬ରେ ଏହି ଫାଣ୍ଡିରେ ଯୋଗ ଦେଇଥିଲେ । କିନ୍ତୁ ଏଯାବତ ସେ ଅନ୍ୟ କେଉଁ ଆଡକୁ ସ୍ଥାନାନ୍ତର ହେଉ ନଥିବା ଜଣାଯାଇଛି । ଦୀର୍ଘଦିନ ରହିବା ଫଳରେ ଫାଣ୍ଡିଟିକୁ ସେ ନିଜ କବଜାରେ ରଖିଛନ୍ତି । ତାଙ୍କ ଇଙ୍ଗିତରେ ବହୁ ଚୋରା ସାମଗ୍ରୀ ଫାଣ୍ଡି ବାଟ ଦେଇ ଯାଉଥିବା ଜଣାଯାଇଛି । ଫାଣ୍ଡିଟି ନାଉଗାଁ କୋକିଢିଅ-ତେଲସରା ଓ ଗାରୋଇ-ମାଛଗାଁ ରାସ୍ତା ପାଶ୍ୱର୍ରେ ଅବସ୍ଥିତ । ସେହିପରି ନିକଟରେ ପ୍ରବାହିତ ଦେବୀନଦୀରେ ଡାହାଣୀଖିଆ, ତାଳଦା ନିକଟରେ ସେତୁ ହେବା ଫଳରେ ଅସ୍ତରଙ୍ଗ, କାକଟପୁର, ଶିଖରଘାଟ ଆଦିକୁ ସଂଯୋଗୀକରଣ ସହଜ ହୋଇ ପଡିଛି । ରାତି ସମୟରେ ଏହି ରାସ୍ତା ଦେଇ ଚୋରା ମଦ, ପଥର ବୋଝେଇ ଗାଡି, ଅନ୍ୟାନ୍ୟ ଚୋରା ସାମଗ୍ରୀ ସହଜରେ ଏହି ବାଟ ଦେଇ ଯାଉଥିବା ସ୍ଥାନୀୟ ଲୋକ ମତବ୍ୟକ୍ତ କରୁଛନ୍ତି । ଉକ୍ତ କନେଷ୍ଟବଳ ଜଣଙ୍କ ଦୀର୍ଘ ଦିନ ରହିବାରୁ ଚୋରା ବେପାରୀଙ୍କ ସହ ତାଙ୍କର ସୁସଂପର୍କ ରହିଥିବା ଜଣାଯାଇଛି । ଯାହାଫଳରେ ଚୋରା ବେପାରୀମାନଙ୍କର ପୋଲିସ ଭୟ ନଥିବା ବେଳେ ଏହି ସ୍ଥାନରେ ଆଦୌ ପାଟ୍ରୋଲିଂ କରାଯାଉନାହିଁ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଉକ୍ତ ଫାଣ୍ଡିଟି ବାଲିକୁଦା ବ୍ଲକ ସିମାରେ ରହିଥିବା ବେଳେ ସଂପୃକ୍ତ କନେଷ୍ଟବଳଙ୍କ ଘର ଠାରୁ ଗାରୋଇ ଫାଣ୍ଡିଟି ପାଖାପାଖି ୮ କିମି ହେବ । ସେହିପରି କୋଭିଡ ସମୟରେ ଉକ୍ତ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ଜଣାପଡିଥିଲା । ସରକାରୀ ନିୟମ ଅନୁସାରେ ତାଙ୍କୁ କ୍ୱରେଂଟାଇନରେ ରହିବା ପାଇଁ ନିର୍ଦ୍ଦେଶ ମଧ୍ୟ ରହିଥିଲା । କ୍ୱାରେଂଟାଇନରେ ରହିଥିବା ବେଳେ ଦୁର୍ଗା ପୂଜା ସମୟରେ ନିକଟସ୍ଥ ଗଙ୍ଗଦାହାଟ ଓ ଚୋରା ମଦ ବେପାରୀଙ୍କ ଠାରୁ ବୁଲି ଚାନ୍ଦା ଆଦାୟ କରିବା ସେହି ସମୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଉକ୍ତ କର୍ମଚାରୀଙ୍କ ଇଙ୍ଗିତରେ ଫାଣ୍ଡି ଚାଲୁଥିବା ବେଳେ ସ୍ଥାନୀୟ ଅଂଚଳରେ ଅରାଜକତା ବୃଦ୍ଧି ପାଇବାରେ ଲାଗିଛି । କାହା ନିର୍ଦ୍ଦେଶରେ ଉକ୍ତ କର୍ମଚାରୀଙ୍କୁ ଦର୍ଘ ଦିନ ରଖା ଯାଇଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏବିଷୟରେ ଏସଡିପିଓ ପ୍ରିୟରଂଜନ ଶତପଥୀଙ୍କର ମତାମତ ନୋବା ପାଇଁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇ ପାରି ନଥିଲା ।