ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଜଳ ଯୋଗାଣ ପାଇଁ ଦାବି

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ସରସଦା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଟି ଅଞ୍ଚଳବାସୀଙ୍କ ପାଇଁ ଗୁରୁତ୍ୱ ବହନ କରିଥାଏ । ଉକ୍ତ ମେଡିକାଲ ଉପରେ ସରସଦା ସମେତ ଉତ୍ତରାଗଡିଆ, କୁରିକଣା, ନେନ୍ତିପୁର ପ୍ରମୁଖ ଗ୍ରାମର ପ୍ରାୟ ୪ହଜାର ଲୋକ ନିର୍ଭର କରିଥାଆନ୍ତି । ନୂତନ ପ୍ରାଥମିକ ମେଡିକାଲଟି ନିର୍ମାଣ ହେବାପରେ ଅନେକ ଦିନ ଧରି ଚିକିତ୍ସକ ଆସୁନଥିଲେ । ହେଲେ ଅଞ୍ଚଳବାସୀଙ୍କ ଦାବି ପରେପରେ ନିୟମିତ ଡାକ୍ତର ଓ କର୍ମଚାରୀ ଆସୁଥିଲେ ସୁଦ୍ଧା ଆବଶ୍ୟକୀୟ ଭିତ୍ତିଭୂମିର ଅଭାବ ଥିବାରୁ ରୋଗୀ ଓ ସେମାନଙ୍କ ସମ୍ପର୍କିୟଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ମିଳିଥିବା ସୂଚନା ଅନୁସାରେ ମେଡିକାଲକୁ ଜଳ ଯୋଗାଣ ପାଇଁ ଆରଡି(ପିଏଚଡି) ବିଭାଗ ପକ୍ଷରୁ ଏକ ବକ୍ସ ନଳକୂପ ଖୋଳା ଯାଇଥିଲା । ପରବର୍ତ୍ତୀ ସମୟରେ ବିଭାଗ ପକ୍ଷରୁ ମେଡିକାଲର ସମସ୍ତ ଗୃହକୁ ଜଳଯୋଗାଣ ପାଇଁ ପାଇପ ଲଗାଯାଇଥିବାବେଳେ ଛାତ ଉପରେ ମଧ୍ୟ ଏକ ପାଣି ଟାଙ୍କି ନିର୍ମାଣ ହୋଇଥିଲା । ହେଲେ ପାଣି ଟାଙ୍କିରେ ଜଳ ଭରିବା ପାଇଁ ନଳକୂପ ଠାରୁ କୌଣସି ପାଇପ ସଂଯୋଗ କରାଯାଇନଥିଲା । ଏପରିକି ପାଣିଟାଙ୍କିକୁ ଜଳ ଯୋଗାଣ ପାଇଁ ମୋଟର ବ୍ୟବସ୍ଥା ହୋଇଥିଲେ ସୁଦ୍ଧା ପିଏଚଡି କାମ କରୁଥିବା ଠିକାଦାର କାମକୁ ଅସମ୍ପୂର୍ଣ୍ଣ କରିଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ଯେଉଁଥିପାଇଁ ଦୀର୍ଘ ଦୁଇବର୍ଷ ହେବ ସବୁଥାଇ ସୁଦ୍ଧା ମେଡିକାଲକୁ ଜଳ ଯୋଗାଣ ହୋଇପାରୁନାହିଁ । ଏପରିକି ରୋଗୀ କଲ୍ୟାଣ ସମିତି ଜରିଆରେ ଆସୁଥିବା ଅର୍ଥକୁ ଲଗାଇଯାଇ କାମଟିକୁ ସମ୍ପୂର୍ଣ୍ଣ କରିବା ପାଇଁ ଦାବି ଜଣାଯାଉଥିଲେ ସୁଦ୍ଧା କେହି କର୍ଣ୍ଣପାତ କରୁନାହାଁନ୍ତି । ଏଥିପାଇଁ ବୃଦ୍ଧିଜୀବିଙ୍କ ଅସନ୍ତୋଷ ଦେଖାଦେଇଥିବା ବେଳେ ଏହା ଉପରେ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ଦାବି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ