ଖଣିଜ ଚୋରି ବେଳେ ପୋଲିସ୍ ଧରିଲା ଟ୍ରକ
ଯୋଡା,(ସମୀର କୁମାର ଦାସ): ଯୋଡା ଖଣିମଣ୍ଡଳ ଅନ୍ତର୍ଗତ ବାଂଶପାଣି ଠାରେ ୨୦୦୯-୧୦ ମସିହାରେ ଖଣିବିଭାଗ ଦ୍ୱାରା ଜବତ ହୋଇଥିବା ଲୁହାପଥରକୁ ଚୋରି କରୁଥିବାବେଳେ ଏକ ଟ୍ରକ୍କୁ ଯୋଡା ପୋଲିସ ବୁଧବାର ବିଳମ୍ବିତ ରାତ୍ରିରେ ଜବତ କରିଛି । ଯୋଡା ଥାନା ଅଧିକାରୀ ରାଇସେନ ମୁର୍ମୁ ଏ ସଂକ୍ରାନ୍ତରେ କହିଛନ୍ତି ଯେ, ବୁଧବାର ରାତି ୨ଟା ସମୟରେ ଏକ ବଡ ଟ୍ରକ ନଂ-ଇଉପି ୩୨ ଏନ୍ଏନ୍ ୪୮୪୯ ସେଠାରେ ଥିବା ଜବତ ଖଣିଜକୁ ବେଆଇନ ଭାବେ ଲୋଡ୍ କରୁଥିବାବେଳେ ପେଟ୍ରୋଲିଂ କରୁଥିବା ପୋଲିସ୍ ସଂଦିଗ୍ଧ ଅବସ୍ଥାରେ ଟ୍ରକ୍ଟି ଠିଆ ହୋଇଥିବାରୁ ସେଠାରେ ପହଁଚିଥିଲେ । ପୋଲିସ୍ ଗାଡି ଦେଖି ଖଣିଜ ଚୋରମାନେ ସେଠାରେ ଛତ୍ରଭଙ୍ଗ ଦେଇ ଦୌଡି ପଳାଇଥିଲେ । ଯୋଡା ପୋଲିସ ଘଟଣାସ୍ଥଳରୁ ଟ୍ରକ୍ଟିକୁ ଜବତ କରିଛି । ଏହାର ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଅଟକ ରଖିଥିଲେ ହେଁ, ଅଧିକ ତଦନ୍ତ ପାଇଁ ତାଙ୍କର ନାମକୁ ଗୁପ୍ତ ରଖିଛି । ତେବେ ଯୋଡା ଖଣିମଣ୍ଡଳର ବିଭିନ୍ନ ସ୍ଥାନରେ ଖଣିବିଭାଗ ଦ୍ୱାରା ୨୦୦୮ ରୁ ୨୦୧୦ ମଧ୍ୟରେ ଜବତ ହୋଇଥିବା ଚୋରା ଲୁହାପଥର ପୁଣି ଚୋରି ହେବାରେ ଲାଗିଛି । ନିୟମ ମୁତାବିକ ଏହି ଜବତ ଖଣିଜକୁ ଓଡିଶା ଖଣି ନିଗମକୁ (ଓଏମ୍ସି) ହସ୍ତାନ୍ତର କରାଯାଇ ଏହାକୁ ନିଲାମ ପ୍ରକ୍ରିୟା ଦ୍ୱାରା ବିକ୍ରି କରାଯାଇଥାଏ । ହେଲେ ଏହାର ରକ୍ଷଣାବେକ୍ଷଣ ଅଭାବ ହେତୁ ଜବତ ଖଣିଜ ଉପରେ ଚୋରଙ୍କର ଲୋଲୁପ ଦୃଷ୍ଟି ପଡିଛି । ଏ ନେଇ ଯୋଡା ଖଣି ଯୁଗ୍ମ ନିର୍ଦେଶକ ସଲିଲ କୁମାର ବେହେରା କହିଛନ୍ତି ଯେ, ଜବତ ଖଣିଜକୁ କଷ୍ଟୋଡିଆନ୍ ଅଧିନରେ ରଖାଯାଇଛି । ଉକ୍ତ ଖଣିଜର ସୁରକ୍ଷା ଦାୟିତ୍ୱ ସମ୍ପୃକ୍ତ କଷ୍ଟୋଡିଆନ୍ଙ୍କର ଅଟେ । ତେଣେ ଖଣିମଣ୍ଡଳରେ ଲକ୍ଷଲକ୍ଷ ମେଟ୍ରିକ୍ ଟନ୍ ଖଣିଜ ଜବତ ହୋଇଥିଲେ ହେଁ, ଏହି ଜବତ ଖଣିଜ ବ୍ୟାପକ ଭାବେ ଚୋରି ହେବାରେ ଲାଗିଛି । ଏପରିକି ଖଣିବିଭାଗ ନିକଟରେ କେତେ ପରିମାଣରେ ଖଣିଜ ଜବତ ହୋଇଥିଲା ଓ କେତେ ପରିମାଣର ଖଣିଜ ବର୍ତମାନ ରହିଛି ତାହାର ହିସାବ ଖଣିବିଭାଗ ପାଖରେ ନାହିଁ । ଏହି ଖଣିଜକୁ ରାଜ୍ୟ ସରକାର ଓଏମ୍ସି ମାଧ୍ୟମରେ ବିକ୍ରି କଲେ ହଜାର ହଜାର କୋଟି ଟଙ୍କାର ରାଜସ୍ୱ ରାଜକୋଷ କୁ ଆସିପାରିବ । ବିଭାଗୀୟ ଅବହେଳା ପାଇଁ ସରକାର ଏହି ରାଜସ୍ୱ ହରାଉଛନ୍ତି ଏବଂ ଖଣିଜ ଚୋରମାନଙ୍କ ସହ ମେନ୍ଟ କରି କିଛି ସରକାରୀ ଅସାଧୁ ଖଣି ଅଧିକାରୀ ନିଜ ସ୍ୱାର୍ଥ ଚରିତାର୍ଥ କରୁଛନ୍ତି ।


