କୃଷକ ବିକାଶ ପରିଷଦ ପକ୍ଷରୁ ରେଳବାଇ ଜମିହରାଙ୍କ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କୃଷକ ବିକାଶ ପରିଷଦ ପକ୍ଷରୁ ହରିଦାସପୁର- ପାରାଦୀପ ରେଳପଥ ପାଇଁ ଜମି ହରାଇଥିବା ଚାଷୀଙ୍କ ସମସ୍ୟା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ଗତ ୨୦୦୦ମସିହାରେ ଏହି ରେଳପଥ ପାଇଁ ଜମି ଅଧିଗ୍ରହଣ କରାଯାଇଥିଲା । ଏବେ କିଛିଦିନ ତଳେ ସେହି ରେଳପଥ ଉପରେ ମାଲଗାଡି ଚଳାଚଳ ଆରମ୍ଭ ହୋଇଥିବା ବେଳେ ଆଗାମୀ ଦିନରେ ସେହି ରେଳପଥ ଉପରେ ଯାତ୍ରୀବାହୀ ରେଳ ଚଳାଚଳ କରିବାକୁ ଯାଉଛି । କିନ୍ତୁ ରେଳପଥ ପାଇଁ ସରକାରଙ୍କ ଦ୍ୱାରା ଅଧିଗ୍ରହଣ ହୋଇଥିବା ସେହି ଜମି ଚାଷୀଙ୍କ ଖାତାରୁ କଟି ଏପର୍ଯ୍ୟନ୍ତ ରେଳବାଇ ନାମରେ ଦରଜ କରାଯାଇନାହିଁ । ଫଳରେ ସେହି ଚାଷୀମାନେ ଅଦ୍ୟାବଧି ସେହି ଅଧିଗୃହିତ ଜମି ଉପରେ ଜଳକର, ଖଜଣା ସରକାରଙ୍କୁ ଦେବା ସହ ସେହି ଖାତାରେ ଥିବା ଅନ୍ୟଜମିକୁ ବିକ୍ରୀବଟା କରିବାରେ ବହୁ ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ ହୋଇଛି । ଅନ୍ୟ ପକ୍ଷରେ ଯେଉଁ ଠାରେ ରେଳବାଇ ଗୋଚର ଜମି ଅଧିଗ୍ରହଣ କଲା ରେଳବାଇ ସେହିଠାରେ ସେତିକି ଜମି କିଣି ସେମିତି ଛାଡିଦେଲା କିନ୍ତୁ ତହସିଲଦାରଙ୍କ ପକ୍ଷରୁ ସେହି ଜମିକୁ ଗୋଚରରେ ବଦଳାଗଲା ନାହିଁ । ତେଣୁ ଗାଇ,ଗୋରୁ ପ୍ରଭୃତି ରଖି ଯେଉଁମାନେ ପରିବାର ପ୍ରତିପୋଷଣ କରୁଥିଲେ ସେମାନେ ଗୋରୁଗାଇ ଚରାଇବାକୁ ଅସୁବିଧାର ସମ୍ମୁଖିନ ହେବାରେ ଲାଗିଛନ୍ତି । ଏହି ଉଚ୍ଚ ରେଳପଥର ଦୁଇ କଡରେ ଅନେକ ପାଟ ସୃଷ୍ଟି ହୋଇଥିବାରୁ ସେଥିପ୍ରତି ପ୍ରଶାସନ ଏବେଠାରୁ ଆବଶ୍ୟକ ଧ୍ୟାନ ନଦେଲେ ସେହି ପାଟ ଗୁଡିକ ନିକଟରେ ଥିବା ଜମିର ଚାଷୀମାନେ ଭବିଷ୍ୟତରେ ବହୁ କ୍ଷତିର ସମ୍ମୁଖିନ ହେବାର ସମ୍ଭାବନା ରହିଛି । ତହସିଲଦାରଙ୍କୁ ଏସବୁ ସମସ୍ୟା ସମ୍ପର୍କରେ ଅବଗତ କରାଯାଇଥିଲେବି ସେ କୈାଣସି ପଦକ୍ଷେପ ଗ୍ରହଣ ନକରିବାରୁ କୃଷକ ବିକାଶ ପରିଷଦର ଅଧ୍ୟକ୍ଷ ବିଜୟ କୁମାର ପରିଡା, ଉପଦେଷ୍ଟା ଅନନ୍ତ ବାସୁଦେବ ବରାଳ, ପୂର୍ଣ୍ଣାନନ୍ଦ ଭଦ୍ର, ନାରାୟଣ ମଳିକ, ନାରାୟଣ ମୁଦୁଲି, ଉମେଶ ଚନ୍ଦ୍ର ସାହୁ, ଶାରଦା ପ୍ରସାଦ ମିଶ୍ର, ଖଗେଶ୍ୱର ଲେଙ୍କା, ମଥୁରାନନ୍ଦ ସାହୁ ପ୍ରମୁଖ ଜିଲ୍ଲାପାଳଙ୍କ ନିକଟରେ ଏସମ୍ପର୍କରେ ଅଭିଯୋଗ କରିଛନ୍ତି । ଏଥିସହିତ କେନ୍ଦ୍ରାଚଂଳ ରାଜସ୍ୱ ଆୟୁକ୍ତ ଓ ରାଜସ୍ୱ ବିଭାଗର ଶାସନ ସଚିବଙ୍କୁ ମଧ୍ୟ ଏ ସମ୍ପର୍କରେ ଅବଗତ କରାଇଥିବା ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ