କୃଷି ଦ୍ୱାରା ଆର୍ଥିକ ସ୍ଥିତି ସୁଦୃଢ ପାଇଁ ଶବର ସମାଜ କଲ୍ୟାଣ ସମିତି ପକ୍ଷରୁ କୃଷକ ସମ୍ମିଳନୀ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଆର୍.ଉଦୟଗିରି ବ୍ଲକ ସଦର ନିକଟସ୍ଥ ଶ୍ରୀରାମପୁର ଶବର ସମାଜ କଲ୍ୟାଣ ସମିତି ରାଜ୍ୟ କାର୍ଯ୍ୟାଳୟ ପରିସରରେ ଶବର ସମାଜ ସମିତି ପକ୍ଷରୁ ଜିଲ୍ଲା କୃଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀକୁ ଶବର ସମାଜ ଗଜପତି ଜିଲ୍ଲା ସବାପତି ଦଣ୍ଡପାଣି ବଡମୁଣ୍ଡି ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ଅତିଥି ଭାବେ କୌଳାସ ଚନ୍ଦର ସାମନ୍ତରାୟ ମାର୍ଗଦର୍ଶନ ଦେଇଥିଲେ । ସମ୍ମାନୀତ ଅତିଥିଭାବେ ଉଦ୍ୟାନ ଉପନିର୍ଦ୍ଦେଶକ ସୁଦର୍ଶନ ପାତ୍ର, ଓର୍ମାସ ନିର୍ବାହୀ ଅଧିକାରୀ ଦିଲ୍ଲୀପ ସାହୁ, ଶବର ସମାଜ ସାଧାରଣ ସମ୍ପାଦକ କୃଷ୍ଣ ଚନ୍ଦ୍ର ଗମାଙ୍ଗ, ଏ.ଜଗନ୍ନାଥ ରାଜୁ, ଶବର ସମାଜ ସର୍ବୋଚ୍ଚ ସଭାପତି ଝାମ୍ପୁରା ରଇତ ପ୍ରମୁଖ ମଞ୍ଚାସୀନ ହୋଇଥିଲେ । ଏହି ସମ୍ମିଳନୀର ଉଦ୍ଦେଶ୍ୟ ହେଲା ଶବର ସମାଜର କୃଷକ ମାନଙ୍କର ଆର୍ଥିକ ସ୍ଥିତି ସୁଦୃଢ ତଥା ସେମାନେ କିପରି ଆତ୍ମନିର୍ଭରଶୀଳ ହୋଇ ପାରିବେ ଏବଂ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ବିଭିନ୍ନ କୃଷକ ଯୋଜନା କାର୍ଯ୍ୟକାରୀ କିଭଳି କରିପାରିବେ ସେ ବିଷୟରେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥିମାନେ ବିଭିନ୍ନ ବୃକ୍ଷରୋପଣ ସମ୍ବନ୍ଧରେ ଏବଂ କେଉଁ କେଉଁ ଋତୁରେ କେଉଁ ପ୍ରକାରର ବୃକ୍ଷରୋପଣ ହୋଇପାରିବ ସେ ବିଷୟରେ ଆଲୋଚନା ହୋଇଥିଲା । ଏହା କିଭଳି କଲେ ଚାଷୀ ଅଧିକ ଅମଳକ୍ଷମ ହେବା ସହ ଆତ୍ମ ନିର୍ଭରଶୀଳ ହୋଇଥାନ୍ତି ଏ ସମସ୍ତ ବିଷୟରେ ଆଲୋଚନା କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ବିଜୁ ଚାଷୀକୂଳ ଯୋଗଦେଇଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ଶବର ସମାଜ ଜିଲ୍ଲା ସମ୍ପାଦକ ଅର୍ଜୁନ ରଇତ ପରିଚାଳନା କରିଥିବାବେଳେ ସ୍ୱାଗତ ଭାଷଣ ରାମଚନ୍ଦ୍ର ମଣ୍ଡଳ ଦେଇଥିଲେ । କାର୍ଯ୍ୟକ୍ରମରେ ସମସ୍ତ ଶବର ସମାଜର କାର୍ଯ୍ୟକର୍ତ୍ତା ଏବଂ କର୍ମକର୍ତ୍ତାମାନେ ଉପସ୍ଥିତଥିଲେ ।