ସ୍ମିତାରାଣୀଙ୍କ ରହସ୍ୟଜନକ ମୃତ୍ୟୁ ମାମଲା

ଭୁବନେଶ୍ୱର : ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁକୁ ନେଇ କଂଗ୍ରେସ ବି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି । ବିଧାୟକ ମହମ୍ମଦ ମୋକିମ୍‌ଙ୍କ ନେତୃତ୍ୱରେ କଂଗ୍ରେସର ଏକ ଅନୁସନ୍ଧାନକାରୀ ଦଳ ଗତକାଲି ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କଲା ପରେ ଆଜି ରାଜ୍ୟ ମାନବାଧିକାର କମିସନ୍ ଓ ମହିଳା କମିସନ୍‌ଙ୍କୁ ଭେଟିଥିଲେ । ଏହି ଘଟଣାର ସାକ୍ଷୀମାନଙ୍କୁ ଓ  ତାଙ୍କ ପରିବାରବର୍ଗଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ଯୋଗାଇ ଦେବା ସହ ସ୍ମିତାରାଣୀଙ୍କ ୭ ବର୍ଷର ଝିଅକୁ କିପରି ଲାଳନ ପାଳନ କରାଯାଇପାରିବ, ସେ ନେଇ ମାନବାଧିକାର କମିସନ୍‌ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଯାଜପୁର ଏସ୍‌ପିଙ୍କ ବୟାନକୁ ତୀବ୍ର ବିରୋଧ କରି ମହମ୍ମଦ ମୋକିମ୍ ଓ ସତ୍ୟପ୍ରକାଶ ନାୟକ କହିଛନ୍ତି, ଏହା ଏସପିଙ୍କ ମନଗଢ଼ା କାହାଣୀ । ଯେଉଁ ଅତିଥି ଭବନରେ ସ୍ମିତାରାଣୀଙ୍କ ମୃତ୍ୟୁ ହୋଇଛି, ତାହା ରାମକୋ ସିମେଣ୍ଟ କମ୍ପାନିର ଅତିଥି ଭବନ । ଏହାକୁ ବ୍ୟବହାର କରିବା ପାଇଁ ସରପଞ୍ଚଙ୍କ ସ୍ୱାମୀଙ୍କୁ କାହିଁକି ଦିଆଯାଇଥିଲା ? ଅନୁସନ୍ଧାନର ସମସ୍ତ ଦିଗକୁ ବାଟବଣା କରିବା ପାଇଁ ଏସ୍ପି ଅତି ଚତୁରତାର ସହ ମୃତ ମହିଳାଙ୍କ ଚରିତ୍ର ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ଏହା ଅତ୍ୟନ୍ତ ନିନ୍ଦନୀୟ । ଅତିଥି ଭବନରେ ସିସି ଟିଭି ଲାଗିଥିଲେ ମଧ୍ୟ ତାହାକୁ ଭଙ୍ଗାଯାଇଛି । କିଏ କେଉଁ ପରିସ୍ଥିତିରେ ଏହାକୁ ଭାଙ୍ଗିଲେ, ତାହାର ତଦନ୍ତ କରାଯାଉ । କେଉଁ ପରିସ୍ଥିତିରେ ସ୍ମିତାରାଣୀ ଉପର ମହଲାକୁ ଯାଇ ଆତ୍ମହତ୍ୟା କଲେ, ତାହାର ପର୍ଦ୍ଦାଫାସ ହେବାର ଆବଶ୍ୟକତା ରହିଛି । ଯଦି ସ୍ମିତାରାଣୀ ଫ୍ୟାନରେ ଝୁଲି ପଡ଼ିଛନ୍ତି ବୋଲି ସରପଞ୍ଚଙ୍କ ସ୍ୱାମୀ ଦେଖିଲେ, ତେବେ ତାଙ୍କୁ ସେଠାରେ ଖୋଲିବା ପାଇଁ କାହାର ସାହାଯ୍ୟ ନେଇଥିଲେ ? ପୁଲିସକୁ ନ ଜଣାଇ ତାଙ୍କୁ କିପରି ଡାକ୍ତରଖାନା ନେଇଗଲେ ? ମହିଳାଙ୍କ ପରିବାରକୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରା ନ ଗଲେ ସାରା ରାଜ୍ୟରେ ଜନ ଆନ୍ଦୋଳନ ଜାରି ରହିବ ବୋଲି କଂଗ୍ରେସ ଚେତାଇ ଦେଇଛି । ତଥ୍ୟ ଅନୁସନ୍ଧାନକାରୀ ଦଳରେ ରଜନୀ କୁମାର ମହାନ୍ତି, ସୁଦର୍ଶନ ଦାସ, ବିଶ୍ୱଜିତ ଦାସ, ଅମୀୟ ପାଣ୍ଡବ, ସ୍ମୃତିରେଖା ପହି, ପଦ୍ମାକର ଗୁରୁ, ମନୋଜ ରାଉତ, ନିକୁଞ୍ଜ ପଶାୟତ ଓ ଦୀପକ ମହାପାତ୍ର ପ୍ରମୁଖ ସାମିଲ ହୋଇଥିଲେ । ସ୍ମିତାରାଣୀଙ୍କ ପରିବାର ଓ ସାକ୍ଷୀମାନଙ୍କୁ ସୁରକ୍ଷା ପ୍ରଦାନ କରିବା ସହ ଘଟଣାର ସମସ୍ତ କେସ୍ ରେକର୍ଡ ଓ କେସ୍ ଡାଏରିକୁ ଅକ୍ଟୋବର ୩୦ ତାରିଖ ସୁଦ୍ଧା କମିସନ୍‌ଙ୍କ ନିକଟରେ ଉପସ୍ଥାପନ କରିବା ପାଇଁ ମାନବାଧିକାର କମିସନ୍ ଜିଲ୍ଲାପାଳ ଓ ଏସ୍ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ