ଓଡ଼ିଶା ଲୋକାୟୁକ୍ତ ଅଧ୍ୟକ୍ଷଙ୍କ ନାମ ଚୂଡାନ୍ତ
ଭୁବନେଶ୍ୱର: ସର୍ବ ସମ୍ମତି କ୍ରମେ ଓଡ଼ିଶା ଲୋକାୟୁକ୍ତ ଅଧ୍ୟକ୍ଷଙ୍କ ନାମ ଚୂଡାନ୍ତ କରାଯାଇଥିବା ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ।
ଏହି ବୈଠକରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର , ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ କେଏସ୍ ଜାଭେରୀ, ବିଧାନସଭା ବାଚସ୍ପତି ପ୍ରଦୀପ ଆମାତ ଓ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅନଙ୍ଗ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ବୈଠକରେ ଚୟନ କରାଯାଇଥିବା ନାମକୁ ରାଜ୍ୟପାଳଙ୍କ ନିକଟକୁ ପଠାଯିବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି । ରାଜ୍ୟପାଳଙ୍କ ଅନୁମୋଦନ ମିଳିବା ପରେ ନାମକୁ ପ୍ରକାଶ କରାଯିବ ଓ ଏଥିପାଇଁ ଆଉଏକ ବୈଠକ ବସିବ ବୋଲି ସେ କହିଛନ୍ତି ।
୨୦୧୪ ମସିହାରେ ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଲୋକାୟୁକ୍ତ ବିଲ୍ ପାରିତ କରିଥିଲା । ମାତ୍ର ଦୀର୍ଘ ୫ ବର୍ଷ ଧରି ଲୋକାୟୁକ୍ତଙ୍କୁ ନିଯୁକ୍ତି ଦିଆଯାଇ ନଥିବାରୁ ସୁପ୍ରିମକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା । ଏ ସମ୍ପର୍କରେ ଖୁବ ଶୀଘ୍ର ପଦକ୍ଷେପ ଗ୍ରହଣ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଥିଲେ ।