ଫେକ୍ ଆଇଡି ଖୋଲି ବନ୍ଧୁତା କରିଥିଲା ଅଭିଯୁକ୍ତ ଅଶଫାକ୍
ନୂଆଦିଲ୍ଲୀ: ହିନ୍ଦୁବାଦୀ ନେତା କମଲେଶ ତିୱାରୀଙ୍କ ହତ୍ୟାକାଣ୍ଡ ବାବଦରେ ବହୁ ଅକୁହା କଥା ବର୍ତ୍ତମାନ ସାମ୍ନାକୁ ଆଣୁଛି ପୁଲିସ୍ । ମିଳିଥିବା ସୂଚନର ଅନୁଯାୟୀ, ଏହି ହିନ୍ଦୁ ସମାଜପାର୍ଟି ନେତାଙ୍କୁ ହତ୍ୟା କରିବା ଆଗରୁ ଅଶଫାକ୍ ନାମକ ଜଣେ ଅଭିଯୁକ୍ତ ଏକ ହିନ୍ଦୁ ନାମ “ରୋହିତ ସୋଲାଙ୍କି ନାମରେ ଫେସବୁକରେ ଏକ ଫେକ୍ଆଇଡି ଖାଲିଥିଲା । ଏହି ଆଇଡି ଯୋଗେ ହିଁ କମଲେଶଙ୍କ ସହ ବନ୍ଧୁତା କରିଥିଲା । ଏହି ଫେସବୁକ୍ ଆଇଡି ଜରିଆରେ ଅଶଫାକ୍ କମଲେଶ ତିୱାରୀଙ୍କ ସହ ଘନିଷ୍ଠ ହୋଇଥିଲା । ନିୟମିତ ଦୁହେଁ କଥାବାର୍ତ୍ତା କରୁଥିଲେ । ହତ୍ୟା ପୂର୍ବରୁ ଅଶଫାକ୍ ଓରଫ୍ ରୋହିତ କମଲେଶଙ୍କ ସଂଗଠନରେ ମିଶିବା ପାଇଁ ରାଜି ହେବାରୁ ଦୁହେଁ ଫୋନରେ କଥା ହୋଇଥିଲେ । ଏହି କଥାବାର୍ତ୍ତାରୁ ହିଁ ଉଭୟଙ୍କ ଭେଟ ପାଇଁ ସମୟ ନିର୍ଦ୍ଧାରଣ କରାଯାଇଥିଲା । କମଲେଶ ତିୱାରୀଙ୍କ ଘରେ କାମ କରୁଥିବା ସ୍ୱରଜିତ ସିଂହ ଗଣମାଧ୍ୟମକୁ କହିବା ଅନୁଯାୟୀ, ହତ୍ୟାକାରୀ କମଲେଶଙ୍କ ପାଖକୁ ଆସିବା ପୂର୍ବରୁ ୧୦ ମିନିଟ୍ ଯାଏ କଥା ହୋଇଥିଲେ । ଏହି ଭେଟ ବାବଦରେ ନିଷ୍ପତ୍ତି ହେବା ପରେ ଅଶଫାକ୍ କମଲେଶଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା । ଦୁହେଁ ସେଠାରେ ୩୦ ମିନିଟ୍ ଧରି କଥା ହୋଇଥିଲେ । ଏହାପରେ ଅଭିଯୁକ୍ତ ସ୍ୱରଜିତଙ୍କୁ ସିଗାରେଟ୍ ଆଣିବାକୁ ପଠାଇ ଦେଇ କମଲେଶଙ୍କ ଉପରେ ଆକ୍ରମଣ କରିଥିଲା । ତିୱାରୀଙ୍କ କାର୍ଯ୍ୟାଳୟକୁ ଅଶଫାକ୍ ଏବଂ ତାଙ୍କ ସହଯୋଗୀ ମିଠା ପ୍ୟାକେଟ୍ ଭିତରେ ଛୁରି ଏବଂ ବନ୍ଧୁକ ନେଇ ଆସିଥିଲେ । ଏଥିରେ ହିଁ ହତ୍ୟାକାଣ୍ଡ ଭିଆଇଥିବା କୁହାଯାଉଛି । ଅନ୍ୟପକ୍ଷରେ, ଆଜି କମଲେଶ ତିୱାରୀଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ତିୱାରୀଙ୍କ ମା ‘, ପତ୍ନୀ ଏବଂ ପୁଅ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନଠାରେ ୩୦ ମିନିଟ୍ ଧରି ଆଲୋଚନା କରିଥିଲେ । ସୂଚନାଯୋଗ୍ୟ ଯେ, ହିନ୍ଦୁତ୍ୱ ସମର୍ଥନରେ ବହୁ ମନ୍ତବ୍ୟ ଦେଇ ସେ ଚର୍ଚ୍ଚାରେ ରହିଆସିଥିଲେ । ତେବେ ୨୦୧୫ ମସିହାରେ ପ୍ରଫେଟ୍ ମହମ୍ମଦଙ୍କ ବାବଦରେ ସେ ଦେଇଥିବା ମନ୍ତବ୍ୟ କାରଣରୁ ତାଙ୍କୁ ହତ୍ୟା କରାଯାଇଥିବା କୁହାଯାଉଛି । ତେବେ ତାଙ୍କ ହତ୍ୟା ପରେ ତାଙ୍କର ଅନ୍ତିମ ସଂସ୍କାର ବିଳମ୍ବିତ ହୋଇଥିଲା । ତିୱାରୀଙ୍କ ପରିବାର ଲୋକେ ୯ଟି ଦାବି ସହ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଜିଦ୍ ଧରିଥିଲେ । ସେମାନେ ଏନ୍ଆଇଏ ତଦନ୍ତ, ଜଣଙ୍କୁ ସରକାରୀ ଚାକିରି ଏବଂ ସୁରକ୍ଷା ଆଦି ଦାବି କରିଥିଲେ । ଏହାପରେ ତିୱାରୀଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଯୋଗୀ ଏହି ହତ୍ୟାକାଣ୍ଡକୁ “ଭୟ ସୃଷ୍ଟି ‘ ଉଦ୍ଦିଷ୍ଟ ବୋଲି କହିଥିଲେ । ସେ କହିଥିଲେ, ଏହି ମାମଲାରେ ୫ ଜଣଙ୍କୁ ପୁଲିସ୍ ହେପାଜତକୁ ନିଆଯାଇଛି । ୩ ଜଣଙ୍କୁ ଗୁଜରାଟରୁ ଏବଂ ୨ ଜଣଙ୍କୁ ଉତ୍ତରପ୍ରଦେଶରୁ ପୁଲିସ୍ ନିଜ ହେପାଜତକୁ ଆଣିଛି । ଏହି ମାମଲାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ତଦନ୍ତ ଟିମ୍ (ଏସ୍ଆଇଟି) ଗଠନ କରାଯାଇଛି । ତେବେ କମଲେଶଙ୍କ ମା’ କୁସୁମ ତିୱାରୀ ଯାଗୀଙ୍କ ସହ ବୈଠକରେ ହୋଇଥିବା ଆଲୋଚନାରେ ସନ୍ତୁଷ୍ଟ ହୋଇନାହାନ୍ତି । ସେ କହିଛନ୍ତି ଚାପରେ ପଡ଼ି ସେ ଯୋଗୀଙ୍କୁ ଭେଟିବାକୁ ଯାଇଥିଲେ । ଯୋଗୀଙ୍କୁ ଭେଟିବା ପାଇଁ ପୁଲିସ୍ ତାଙ୍କ ଉପରେ ଚାପ ପକାଇଥିବା ସେ ଅଭିଯୋଗ କରିଛନ୍ତି ।


