ସମସ୍ତଙ୍କ ପାଇଁ ୨ ସନ୍ତାନ ଆଇନ ପ୍ରଣୟନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ପତ୍ର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ସବୁ ନାଗରିକ ମାନଙ୍କ ପାଇଁ ଦୁଇଟି ସନ୍ତାନ ଆଇନ ପ୍ରଣୟନ କରିବା ପାଇଁ ଦାବୀ ହୋଇଛି । “ଜନସଂଖ୍ୟା ସମାଧାନ ଫାଉଣ୍ଡେସନ୍” ଓଡିଶା ପ୍ରଦେଶ ଗଜପତି ଜିଲ୍ଲା ଶାଖାର ସଭାପତିଙ୍କ ସମେତ ଜିଲ୍ଲାର କାର୍ଯ୍ୟକର୍ତ୍ତା ଓ ଓଡିଶା ପ୍ରଦେଶର ପଦାଧିକାରୀ ଏବଂ କାର୍ଯ୍ୟକାରୀଣୀ ସଦସ୍ୟ ସଦସ୍ୟ ମାନେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗଜପତି ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି । ସେମାନେ ଜଣାଇଛନ୍ତି ଯେ ଭାରତରେ ପୃଥିବୀର ସ୍ଥଳଭାଗ ମଧ୍ୟରୁ ମାତ୍ର ଶତକଡା ୨.୪ଭାଗ ଅଞ୍ଚଳ ରହିଥିବା ବେଲେ ପୃଥିବୀର ଜନସଂଖ୍ୟାରେ ଶତକଡା ୧୬.୭ ଭାଗ କେବଳ ଭାରତରେ ରହୁଛନ୍ତି । ବର୍ତ୍ତମାନ ଦେଶରେ ୧୩୮ କୋଟି ନାଗରିକ ବାସ କରୁଥିବାବେଳେ ବିଭିନ୍ନ ଅଞ୍ଚଳରେ ମୁକ୍ତ ବାୟୁ ମିଳିବା କଷ୍ଟକର ହେଲାଣି । ରାଜଧାନୀ ଦିଲ୍ଲୀର ବାସିନ୍ଦାମାନେ ବାୟୁ ପ୍ରଦୂଷଣରୁ ମୁକ୍ତି ପାଇଁ ମାନ୍ୟବର ସୁପ୍ରିମ୍ କୋର୍ଟରେ ଆଶ୍ରୟ ନେଲେଣି । ପାନୀୟ ଜଳ ସମେତ ଦୈନନ୍ଦିନ ବ୍ୟବହୃତ ପାଣିର ସମସ୍ୟା ଏକ ଜାତୀୟ ସମସ୍ୟା ଭାବେ ଉଭା ହୋଇଛି । ବିସ୍ଫୋରିତ ଜନସଂଖ୍ୟା ଯୋଗୁଁ ଜଙ୍ଗଲ ନଷ୍ଟ ହେବା ସାଙ୍ଗକୁ ପର୍ଯ୍ୟାବରଣ ନଷ୍ଟ ହେଉଛି । ଚାଷ ଜମିର ଅଭାବ ପରିଲକ୍ଷିତ ହେଲାଣି । ବେକାରୀ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଉଛି । କୁ ପୋଷଣ, ଖାଦ୍ୟାଭାବ, ଗମନାଗମନ ଅସୁବିଧା, ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହେଉଛି ଏହାସହ ବେକାରୀ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇ ୨୩.୬ ପ୍ରତିଶତରେ ପହଞ୍ôଚଲାଣି । ପ୍ରତ୍ୟେକ ମିନିଟ୍ରେ ଆମ ଦେଶରେ ୫୦ଜଣ ପିଲା ଜନ୍ମ ଗ୍ରହଣ କରୁଛନ୍ତି ।ଏପରି ଭାବେ ଦେଖିବାକୁ ଗଲେ ଦେଶରେ ମାସିକ ୨,୬.୦୦୦ନବଜାତ ଶିଶୁ ଜନ୍ମ ନେଉଛନ୍ତି । ଆର୍ଥାତ୍ ଆମ ଦେଶରେ ବାର୍ଷିକ ୨,୬.୦୦୦ ବେକାରୀ ସୃଷ୍ଟି ହେଉଛନ୍ତି । ଯଦି ଏହି ହିସାବରେ ଆମ ଦେଶର ଜନ୍ମହାର ବୃଦ୍ଧି ପାଏ ତେବେ ଆସନ୍ତା ୨୦୪୦ ମସିହା ବେଳକୁ ଦେଶର ଜନସଂଖ୍ୟା ୨ଶହ କୋଟି ୪୦ଲକ୍ଷରୁ ଅଧିକ ହେବ । ସେତେ ବେଳେ ଏତେ ବଡ ଜନସଂଖ୍ୟାକୁ ବାସଗୃହ ନିର୍ମାଣ ନିମନ୍ତେ ଜମି ଯୋଗାଇବା ଅସନ୍ଭବ ହେବ । ପାନୀୟ ଜଳ ମିଳିବ ନାହିଁ । ଜଙ୍ଗଲ ନଷ୍ଟ ହୋଇ ପର୍ଯ୍ୟାବରଣ ସଂପୂର୍ଣ୍ଣ ଭାବେ ଧ୍ୱଂସ ହୋଇଯିବ । କୁପୋଷଣ, ଅପରାଧ, ଆତଙ୍କବାଦ ପ୍ରବଳ ମାତ୍ରାରେ ବୃଦ୍ଧି ପାଇବ । ସ୍ୱାସ୍ଥ୍ୟ, ଶିକ୍ଷା, ଖାଦ୍ୟ ଯୋଗାଇବା କିମ୍ବା ବ୍ୟବସ୍ଥା କରିବା ସାଧାରଣ ଜନତା କିମ୍ବା ଯେକୌଣସି ନିର୍ବାଚିତ ସରକାର ପକ୍ଷରେ ସମ୍ପୂର୍ଣ୍ଣ ଅସମ୍ଭବ ହୋଇପଡିବ ଏବଂ ଦେଶରେ ସେତବେଳକୁ ଗୃହଯୁଦ୍ଧ ପରିସ୍ଥିତି ହେବ ବୋଲି କହିଛନ୍ତି । ଏଣୁ ଆଗାମୀ ଦିନରେ ଦେଶକୁ ସୁରକ୍ଷିତ ରଖିବାପାଇଁ ଆମଦେଶରେ କଠୋର ଜନ୍ମ ନିୟନ୍ତ୍ରଣ ଆଇନ ପ୍ରଣୟନ କରିବାକୁ ଜନସଂଖ୍ୟା ସମାଧାନ ଫାଉଣ୍ଡେସନ୍ ଗଜପତି ଜିଲ୍ଲା ଶାଖା ତରଫରୁ ଦୃଢ ଦାବୀ କରାଯାଇଛି । ଏହି ଦାବୀ ପତ୍ର ପ୍ରଦାନ ବେଳେ ଜନସଂଖ୍ୟା ସମାଧାନ ଫାଉଣ୍ଡେସନର ରାଜ୍ୟ ସମ୍ପାଦକ ସତ୍ୟନାରାୟଣ ଦାଶ, ଗଜପତି ଜିଲ୍ଲା ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ଶାଖାର ସଭାପତି ପ୍ରଶାନ୍ତ କୁମାର ପାଳ, ବାସୁଦେବ ସାହୁକାର, ଅମିତାବ ଗନ୍ତାୟତ, ବାବୁନା ବେହେରା, ଜଗନ୍ନାଥ ମହାପାତ୍ର ପ୍ରମୁଖ ଉପସ୍ଥିତଥିଲେ ।


