ଛତ୍ରପୁର ଓକିଲ ସଂଘର ନିର୍ବାଚନ: ପ୍ରଥମ ଦିନରେ ୯ ଜଣଙ୍କ ନାମାଙ୍କନ ଦାଖଲ
ଛତ୍ରପୁର,(ପ୍ରଶାନ୍ତ ମହାରଣା): ଛତ୍ରପୁର ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ଆସନ୍ତା ୨୭ ତାରିଖରେ ଅନୁଷ୍ଠିତ ହେବ । ଏଥିଲାଗି ଆଜିଠୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହା ତିନିଦିନ ଧରି ଅର୍ଥାତ୍ ୮ତାରିଖ ପର୍ଯ୍ୟନ୍ତ ଚାଲିବ । ଆଜି ପ୍ରଥମ ଦିନରେ ୯ଜଣ ନାମାଙ୍କନ ଦାଖଲ କରିଛନ୍ତି । ସଂଘର ସଭାପତି ପଦବି ଲାଗି ପ୍ରଦୀପ କୁମାର ପାଢୀ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ସମ୍ପାଦକ ପାଇଁ ଡି.ପଦ୍ମନାଭ ପ୍ରଧାନ, ଉପସଭାପତି ପାଇଁ ବାବୁ ନାହାକ, ସହ ସଂପାଦକ ପାଇଁ ଏସ୍.ବିଜୟ କୁମାର ଆଚାରୀ ଓ ଅପସରା ଜାନ୍, ଯୁଗ୍ମ ସଂପାଦକ ପାଇଁ ସଞ୍ଜୟ କୁମାର ବେହେରା, ଲାଇବ୍ରେରୀ ଏଣ୍ଡ୍ ସେମିନାର ସମ୍ପାଦକ ପାଇଁ ସୁରେଶ କୁମାର ପଟ୍ଟନାୟକ ଏବଂ କାର୍ଯ୍ୟକାରୀ ସଦସ୍ୟ ଲାଗି ଭୈରବୀ ପଟ୍ଟନାୟକ ଓ ସୁରେଶ କୁମାର ପଣ୍ଡା ନାମାଙ୍କନ ଦାଖଲ କରିଥିଲେ । ନିର୍ବାଚନ ପରିଚାଳନା ନିମନ୍ତେ ନିର୍ବାଚନ ଅଧିକାରୀ ସିଏଚ୍.ସୂର୍ଯ୍ୟନାରାୟଣ ରେଡ୍ଡୀ ଏବଂ ସହକାରୀ ନିର୍ବାଚନ ଅଧିକାରୀ ଭାବେ ସନ୍ତୋଷ କୁମାର ସାହୁ ନିଯୁକ୍ତ ହୋଇଛନ୍ତି । ଛତ୍ରପୁର ଓକିଲ ସଂଘର ସକ୍ରିୟ ସଭ୍ୟ ତଥା ଭୋଟର ଭାବେ ୧୬୬ ଜଣ ରହିଥିବା ସହକାରୀ ନିର୍ବାଚନ ଅଧିକାରୀ ଶ୍ରୀ ସାହୁ ସୂଚନା ଦେଇଛନ୍ତି । ୧୧ ତାରିଖରେ ପ୍ରାର୍ଥୀ ପତ୍ର ଯାଞ୍ଚ, ୧୩ରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ଏବଂ ୧୫ରେ ଚୂଡାନ୍ତ ତାଲିକା ପ୍ରକାଶ ପାଇବ ।


