ହାଇକୋର୍ଟଙ୍କ ନିର୍ଦେଶରେ କଇଁଛ ସୁରକ୍ଷା ତଦନ୍ତ ଦିଶାହୀନ
କେନ୍ଦ୍ରାପଡା, (ଚିତ୍ତରଂଜନ ଦାସ)ଗତ ଫେବୃଆରୀମାସ ୪ତାରିଖରେ ଦିଲ୍ଲୀରୁ ପ୍ରକାଶିତ ଡାଉନ ଟୁ ଆର୍ଥ ମାଗାଜିନରେ ଗହୀରମଥା ସାମୁଦ୍ରୀକ ଅଭୟାରଣ୍ୟ ଓ ତା’ର ନିକଟବର୍ତ୍ତୀ ବେଳାଭୂମୀରେ ୮ଶହରୁ ଉର୍ଦ୍ଧ୍ୱ କଇଁଛ ମୃତ୍ୟୁବରଣ କରିଥିବା ସମ୍ପର୍କରେ ଖବର ପ୍ରକାଶିତ ହୋଇଥିଲା । ସେହି ଖବରକୁ ନେଇ ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ମୁରଲୀଧର ଓ ବିଚାରପତି ବି.କେ. ରାଉତରାୟ ଗତ ଫେବୃଆରୀମାସ ୨୩ତାରିଖରେ ସୋମୋଟ ଏକ ଜନସ୍ୱାର୍ଥ ମାମଲା ଡବ୍ଲୁ.ପି.ସି. ନଂ- ୭୧୧୮/୨୦୨୧ଦାୟରକରି ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ, ରାଜନଗରର ବନଖଣ୍ଡ ଅଧିକାରୀ, ରାଜ୍ୟ ମତ୍ସ୍ୟ ନିର୍ଦେଶକ, କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ସମେତ ଅନ୍ୟମାନଙ୍କୁ ନୋଟିସ କରିଥିଲେ । ହାଇକୋର୍ଟ ସେହି ଘଟଣାର ଉପଯୁକ୍ତ ତଦନ୍ତ କରିବା ପାଇଁ ଏକ ୩ଜଣିଆ ବିଶିଷ୍ଟ କମିଟି କଇଁଛ ଗବେଷକ ଡଃ. କାର୍ତ୍ତିକ ଶଙ୍କର, ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ନିର୍ଦେଶକ ଡଃ. ସୁଶାନ୍ତ ନନ୍ଦ ଏବଂ ଓଡିଶା ହାଇକୋର୍ଟର ବରିଷ୍ଠ ଆଇନଜୀବି ମୋହିତ ଅଗ୍ରୱାଲଙ୍କୁ ନିଯୁକ୍ତି ଦେବା ସଙ୍ଗେ ସଙ୍ଗେ ଖୁବଶୀଘ୍ର ଗହୀରମଥା ଅଚଂଳ ଓ ଅନ୍ୟାନ୍ୟ ବେଳାଭୂମୀ ଗସ୍ତକରି ମାର୍ଚ୍ଚମାସ ୧୦ତାରିଖ ସୁଦ୍ଧା ରିପୋର୍ଟ ହାଇକୋର୍ଟରେ ଦାଖଲ କରିବାକୁ ଗତ ଫେବୃଆରୀମାସ ୨୬ତାରିଖରେ ନିର୍ଦେଶ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ୩ଜଣିଆ କମିଟିର ସଦସ୍ୟମାନେ ଡାଙ୍ଗମାଳ ଠାରେ ପହଁଚି କିଛି ସ୍ୱେଛାସେବୀ ସଂଗଠନ ଓ ମତ୍ସ୍ୟଜୀବି ସଂଗଠନର ନେତାମାନଙ୍କୁ ସାକ୍ଷାତ କରିଥିଲେ । କିନ୍ତୁ ସେମାନେ ଗହୀରମଥା ସାମୁଦ୍ରୀକ କଇଁଛ ଓ ହେନ୍ତାଳବଣ ସୁରକ୍ଷା କମିଟିର ସମ୍ପାଦକ ହେମନ୍ତ ରାଉତଙ୍କୁ ଭେଟିନଥିଲେ କିମ୍ବା ଜଙ୍ଗଲ ବିଭାଗ ପକ୍ଷରୁ ଶ୍ରୀ ରାଉତଙ୍କୁ ମଧ୍ୟ ଏ ସମ୍ପର୍କରେ କୈାଣସି ସୂଚନା ପ୍ରଦାନ କରାଯାଇନଥିଲା । ଶ୍ରୀ ରାଉତଙ୍କ ଅଭିଯୋଗକୁ ଭିତ୍ତିକରି ହାଇକୋର୍ଟ ଜନସ୍ୱାର୍ଥ ମାମଲା ଦାୟର କରିଥିବା ବେଳେ ତଦନ୍ତକାରୀ କମିଟିର ସଦସ୍ୟମାନେ ଶ୍ରୀ ରାଉତଙ୍କୁ ନଭେଟିବା କମିଟିର ଗସ୍ତ ଓ ତଦନ୍ତ ଉପରେ ଗଭୀର ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ଶ୍ରୀ ରାଉତ ଅଭିଯୋଗ କରିଛନ୍ତି । କଇଁଛ ସୁରକ୍ଷା ଓ ହେନ୍ତାଳବଣ ସୁରକ୍ଷା ନାମରେ ଲକ୍ଷ ଲକ୍ଷ ଟଙ୍କାର ସରକାରୀ ଅନୁଦାନକୁ ଜଙ୍ଗଲ ବିଭାଗ ଓ ସ୍ୱେଛାସେବୀ ସଂଗଠନମାନେ ଲୁଟ କରୁଥିବା ଅଭିଯୋଗ ହୋଇଛି । କଇଁଛ ସୁରକ୍ଷା ଓ ହେନ୍ତାଳବଣର ସୁରକ୍ଷା ପ୍ରତି ଆବଶ୍ୟକ ଧ୍ୟାନ ଦିଆଯାଉନଥିବା ଅଭିଯୋଗ କରିଛନ୍ତି ଶ୍ରୀ ରାଉତ ।


