ଟାଟା ଷ୍ଟିଲ ପକ୍ଷରୁ ଯୋଡ଼ାଠାରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ
ଯୋଡ଼ା, (ସମୀର କୁମାର ଦାସ) : ମହିଳାମାନଙ୍କ ଅଦମ୍ୟ ମନୋଭାବକୁ ସଲାମ କରି ଯୋଡ଼ାଠାରେ ସୋମବାରଦିନ ଆନ୍ତର୍ଜାତିକ ମହିଳା ଦିବସ ପାଳନ ଅବସରରେ ଟାଟା ଷ୍ଟିଲ ଏବଂ ଟାଟା ଷ୍ଟିଲ ଫାଉଣ୍ଡେସନ୍ର ମିଳିତ ଉଦ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଯାଇଛି । ଯୋଡ଼ାରେ ଅବସ୍ଥିତ ବୃତ୍ତିଗତ ପ୍ରଶିକ୍ଷଣ କେନ୍ଦ୍ରରେ ‘ଜାଗୃତି’ ନାମକ ଏକ ମେଗା କାର୍ଯ୍ୟକ୍ରମ ସହିତ ମହିଳା ଦିବସ ପାଳନର ଶୁଭାରମ୍ଭ ହୋଇଥିଲା । ଏଥିରେ ସିରଡ଼ି ସାଇ ସେବା ସମିତିର ଟ୍ରଷ୍ଟି ତଥା ସ୍ଥାନୀୟ ଅଞ୍ଚଳର ବିଶିଷ୍ଟ ସାମାଜସେବୀ ଶ୍ରୀମତି ସୁଜାତା ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ଟାଟା ଷ୍ଟିଲ ଯୋଡ଼ା ହସ୍ପିଟାଲର କାର୍ଯ୍ୟବାହକ ମୁଖ୍ୟ ଚିକିତ୍ସାଧିକାରୀ (ସିଏମ୍ଓ) ଡଃ ସୁଚୀସ୍ମିତା ଦାସ ଓ ସ୍ପନ୍ଦନ ମହିଳା ସମିତିର ଉପ ସଭାପତି ଶ୍ରୀମତି ଭିନିତା ସିଂହ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ, ଅତିଥିମାନେ କୋଭିଡ଼-୧୯ ବିରୁଦ୍ଧ ସଂଗ୍ରାମରେ ଯୋଗଦାନ କରିଥିବା ଓ ମହାମାରୀ ସମୟରେ ସ୍ଥାନୀୟ ଲୋକମାନଙ୍କୁ ସହାୟତା ପ୍ରଦାନ କରିଥିବା ଅଞ୍ଚଳର ୨୨ ଜଣ ମହିଳାମାନଙ୍କୁ ସମ୍ମାନିତ କରିଥିଲେ । ଏହି ସମ୍ମାନ ଉତ୍ସବରେ ମହିଳାମାନଙ୍କୁ ଏକ ପ୍ରଶଂସା ପତ୍ର ସହିତ ଉପହାର ମଧ୍ୟ ପ୍ରଦାନ କରାଯାଇଥିଲା । ମହାମାରୀ ସମୟରେ ସ୍ଥାନୀୟ ଲୋକମାନଙ୍କୁ ଉନ୍ନତମାନର ସେବା ପ୍ରଦାନ କରିବା ପାଇଁ ଶ୍ରୀମତି ସୁଜାତା ପଟ୍ଟନାୟକ ଓ ଡଃ ସୁଚିସ୍ମିତା ଦାସଙ୍କୁ ସମ୍ମାନିତ କରିବା ସହ ଉକ୍ତ କାର୍ଯ୍ୟକ୍ରମର ସମାପନ ହୋଇଥିଲା । ଏଠାରେ ସୂଚନା ଯୋଗ୍ୟ ଯେ, ଶ୍ରୀମତି ସୁଜାତା ପଟ୍ଟନାୟକ ସ୍ଥାନୀୟ ଅଞ୍ଚଳର ଅଳ୍ପ କିଛି ବ୍ୟକ୍ତିିମାନଙ୍କ ମଧ୍ୟରୁ ଜଣେ, ଯିଏକି ଯୋଡ଼ାଠାରେ ମହାମାରୀ ସମୟରେ ପୌରପାଳିକା ମାଧ୍ୟମରେ ଅବହେଳିତ ଶ୍ରେଣୀର ଲୋକମାନଙ୍କୁ ଖାଦ୍ୟ ଦେବା ଆରମ୍ଭ କରିଥିଲେ । ସମ୍ପ୍ରତ୍ତି କୋଭିଡ଼-୧୯ ପରିସ୍ଥିତି ଯୋଗୁଁ ବୃତ୍ତିଗତ ପ୍ରଶିକ୍ଷଣ କେନ୍ଦ୍ରରେ ମାତ୍ର ୨୨ ଜଣ ମହିଳାଙ୍କୁ ସମ୍ମାନିତ କରାଯାଇଥିବାବେଳେ ଚଳିତ ସପ୍ତାହ ମଧ୍ୟରେ ଅଙ୍ଗନବାଡ଼ି କର୍ମୀ ଓ ସହଯୋଗୀମାନଙ୍କୁ ମିଶାଇ ୯୨ ଜଣ ମହିଳାଙ୍କୁ ବିଭିନ୍ନ କାର୍ଯ୍ୟକ୍ଷେତ୍ରରେ ଆୟୋଜିତ ହେବାକୁଥିବା ସମାନ ପ୍ରକାର କାର୍ଯ୍ୟକ୍ରମରେ ସମ୍ମାନିତ କରାଯିବ । ବିଛାକୁଣ୍ଡି ମାଙ୍ଗାନିଜ ମାଇନ୍ସ, ଏଫ୍ଏପି ଯୋଡ଼ା, ଖଣ୍ଡବନ୍ଧ ଓ ଗୁରୁଡ଼ାଠାରେ ମଧ୍ୟ ସମାନ ପ୍ରକାର କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଥିଲା । ବିଚ୍ଛାକୁଣ୍ଡିଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମାଙ୍ଗାନିଜ ଗ୍ରୁପ୍ ଅଫ୍ ମାଇନ୍ସର ମୁଖ୍ୟ ଅମିତ କୁମାର ଦୁବେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ଯଥା କୁଇଜ, ରଙ୍ଗୋଲୀ ଓ ମାଟିପାତ୍ରରେ ଚିତ୍ରାଙ୍କନର ବିଜେତାମାନଙ୍କୁ ସମ୍ମାନିତ କରିଥିଲେ । ଏହାବ୍ୟତୀତ ଅତିଥିମାନଙ୍କ ଦ୍ୱାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା । ଏଫ୍ଏପି, ଯୋଡାଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ସହିତ ମହିଳା ଦିବସର ଶୁଭାରମ୍ଭ ହୋଇଥିବାବେଳେ ଟାଟା ଷ୍ଟିଲ ଯୋଡ଼ା ହସ୍ପିଟାଲର କାର୍ଯ୍ୟବାହକ ମୁଖ୍ୟ ଚିକିତ୍ସାଧିକାରୀ ଡଃ ସୁଚିସ୍ମୀତା ଦାସ ଓ ଯୋଡ଼ା ଏଫ୍ଏପି ମୁଖ୍ୟ ଶ୍ରୀ ଜି ପି ସାହୁ ମହିଳା କର୍ମଚାରୀମାନଙ୍କ ସହ ଭାବ ଆଦାନ ପ୍ରଦାନ କରିବା ସହିତ ପୂର୍ବ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କୃତ କରିଥିଲେ । ଟାଟା ଷ୍ଟିଲ ଯୋଡ଼ା ହସ୍ପିଟାଲର ଡାକ୍ତର ଓ ନର୍ସଙ୍କୁ ମିଶାଇ ସମସ୍ତ ମହିଳା କର୍ମଚାରୀମାନଙ୍କୁ ମହାମାରୀ ସମୟରେ ସମାଜ ପ୍ରତି ସେମାନଙ୍କ ଯୋଗାଦାନ ପାଇଁ ପ୍ରଶଂସାପତ୍ର ପ୍ରଦାନ ସହିତ ଆଜି ମହିଳା ଦିବସରେ ଆୟୋଜିତ କାର୍ଯ୍ୟକ୍ରମଗୁଡ଼ିକ ସମାପନ ହୋଇଥିଲା ।