ଅଶାନ୍ତ ବ୍ରହ୍ମପୁର: ଦୁଇ ଦୁଇଟି ମରଣାନ୍ତକ ଆକ୍ରମଣ, ଦୁଇ ଗୁରୁତର ନୂଆ ଖଜୁରିଆରେ ଗୁଳିକାଣ୍ଡ , ବନ୍ଥପଲ୍ଲୀରେ ବୁଲିଲା ଖଣ୍ଡା
ବ୍ରହ୍ମପୁର (ୱାଇଏନ୍ଏସ୍): ପୁଣି ବ୍ରହ୍ମପୁର ଅଶାନ୍ତ ହୋଇପଡିଛି ଗୋଟିଏ ଦିନରେ ଦୁଇ ଦୁଇଟି ମରଣାନ୍ତକ ଆକ୍ରମଣ ହୋଇଛି । ଗୋଟିଏ ବ୍ରହ୍ମପୁର ସାନଖଜୁରିଆରେ ଗୁଳିକାଣ୍ଡ ଘଟିଥିବା ବେଳେ ଆଉ ଗୋଟିଏ ବନ୍ଥପଲ୍ଲୀରେ ଦିନ ଦ୍ୱିପ୍ରହରରେ ଜନୈକ ଯୁବକକୁ ଗୋଡାଇ ଗୋଡାଇ ହାଣିଛନ୍ତି ଦୁର୍ବୃତ୍ତ । ସୂଚନା ଅନୁସାରେ ବ୍ରହ୍ମପୁର ଗୋସାଇଁ ନୂଆଗାଁ ଥାନା ଅନ୍ତର୍ଗତ ନୂଆ ଖଜୁରିଆରେ ରାତି ପ୍ରାୟ ୮ଟା ବେଳେ ଫୁଟିଛି ଗୁଳି। ଗୁଳିମାଡ଼ରେ ଗୌରହରି ପ୍ରଧାନ ନାମକ ଜଣେ ଯୁବକ ଗୁରୁତର ହୋଇଛନ୍ତି। ତାଙ୍କର ଅଣ୍ଟାରେ ଗୋଟିଏ ଗୁଳି ବାଜିଛି। ଗୋସାଇଁ ନୂଆଗାଁ ଥାନା ପୁଲିସ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ସମେତ ୪ଜଣଙ୍କୁ ଅଟକ ରଖିଛି ।
ନୂଆ ଖଜୁରିଆ ବିଲସାହିରେ ରହୁଥିବା ଗୌରହରି ଓ ତାଙ୍କ ଭାଇ ବନବାସୀ ପ୍ରଧାନ ଘର ବାହାରେ ବସିଥିଲେ। ଏହି ସମୟରେ ବୁଡ଼ୁ ନାମକ ଜଣେ ଯୁବକ ଓ ତାଙ୍କର ୪ଜଣ ସହଯୋଗୀ ବାଇକ୍ରେ ସେଠାରେ ପହଞ୍ଚିଥିଲେ। କୌଣସି ଏକ ପୂର୍ବ ଶତ୍ରୁତାକୁ ନେଇ ବୁଡ଼ୁ ଓ ଅନ୍ୟମାନେ ଗୌରହରିଙ୍କୁ ଆକ୍ରମଣ କରିଥିଲେ। ସମସ୍ତଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ବୁଡ଼ୁ ଏକ ମାଉଜର୍ ଧରିଥିବା ବେଳେ ୩ ରାଉଣ୍ଡ୍ ଗୁଳି ଫୁଟାଇଥିଲା ବୋଲି ଭାଇ ବନବାସୀ ଅଭିଯୋଗ କରିଛନ୍ତି। ବନବାସୀ ଜୀବନ ବିକଳରେ ଧାଇଁ ପଳାଇଥିବା ବେଳେ ଗୌରହରିଙ୍କ ଅଣ୍ଟାରେ ଗୋଟିଏ ଗୁଳି ବାଜିଥିଲା। ଘଟଣା ପରେ ଅଭିଯୁକ୍ତମାନେ ଚମ୍ପଟ ମାରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୌରହରିଙ୍କୁ ଉଦ୍ଧାର କରି ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ପରେ ବିଭିନ୍ନ ସ୍ଥାନରେ ଚଢ଼ଉ କରି ବୁଡ଼ୁ ସମେତ ୪ଜଣଙ୍କୁ ଥାନାରେ ଅଟକ ରଖିଥିବା ସୂଚନା ମିଳିଛି। ଟାଉନ୍ ଏସ୍ଡିପିଓ ପତି ଓ ଗୋସାଇଁ ନୂଆଗାଁ ଥାନା ଅଧିକାରୀ ସୁମିତ କୁମାର ସୋରେନ୍ ବଡ଼ ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏହି ଘଟଣାକୁ ନେଇ ଗାଁରେ ଉତ୍ତେଜନା ଦେଖା ଦେଇଥିବାରୁ ସେଠାରେ ମଧ୍ୟ ପୁଲିସ ମୁତୟନ କରାଯାଇଛି। ସେହିପରି କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ବନ୍ଥପଲ୍ଲୀ ଗ୍ରାମରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ। ଆହତ ହୋଇଥିବା ଯୁବକ ଜଣକ ଉକ୍ତ ଗ୍ରାମ ବାଲିସାହିର ପଞ୍ଚୁ ଭୂୟାଁ। ଗାଁ ଛକ ମନ୍ଦିର ନିକଟରେ ରାସ୍ତା ଉପରେ କିଛି ଦୁର୍ବୁତ୍ତ ମିଶି ମରଣାନ୍ତକ ଆକ୍ରମଣ କରିଥିବା ଜଣାପଡ଼ିଛି । ପଞ୍ଚୁ ସକାଳେ ନିକଟସ୍ଥ ନାଳ କୁ ଗାଧୋଇବାକୁ ଯାଇଥିବା ବେଳେ ୮ଜଣ ଦୁର୍ବୁତ୍ତ ମିଶି ଆକ୍ରମଣ କରିଥିବା ସୂଚନା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା ଉଦ୍ୟମ। ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର ଏନେଇ ଦିଗପହଣ୍ଡି ଥାନାରେ ଅଭିଯୋଗ ହୋଇଛି ।