କରୋନା ପାଇଁ ୪୮୦ କୋଟି ଖର୍ଚ୍ଚ କରିଛନ୍ତି ଘରୋଇ ହସ୍ପିଟାଲ
ଭୁବନେଶ୍ୱର, (ୱାଇଏନ୍ଏସ୍ ) : କରୋନା ଚିକିତ୍ସା ବାବଦକୁ ଘରୋଇ ହସ୍ପିଟାଲ ରେ ୪୭୯ କୋଟି ୯୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ସେଥିରୁ ୩୪୪ କୋଟି ୫୫ ଲକ୍ଷ ୫୪ ହଜାର ୬୬୨ ଟଙ୍କା ମିଳିଛି ବୋଲି ବିଧାନସଭାରେ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । କରୋନା ରୋଗୀଙ୍କ ପାଇଁ କିମ୍ସ ସର୍ବାଧିକ ୫୯ କୋଟି ୪୧ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ବେଳେ ୩୮ କୋଟି ଟଙ୍କା ପାଇଛି । ଦ୍ୱିତୀୟରେ ରହିଛି ସମ୍ ହସ୍ପିଟାଲ୍ ୫୮ କୋଟି ୫୯ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଦର୍ଶାଇବା ବେଳେ ସେଥିରୁ ପାଇଛି ୨୮ କୋଟି ଟଙ୍କା । ସେହିପରି ହାଇଟେକ୍ ୩୩ କୋଟି ୩୮ ଲକ୍ଷ ଦର୍ଶାଇଥିବା ବେଳେ ପାଇଛି ୧୯ କୋଟି ୧୦ ଲକ୍ଷ । କଟକ ଅଶ୍ୱିନୀ ହସ୍ପିଟାଲ୍ ୩୨ କୋଟି ୩୫ ଲକ୍ଷ ଦର୍ଶାଇଥିବା ବେଳେ ୨୭ କୋଟି ୬୬ ଲକ୍ଷ ଟଙ୍କା ପାଇଛି । ସନ ହସ୍ପିଟାଲ୍ ୭ କୋଟି ୩୦ ଲକ୍ଷ ଟଙ୍କା ଦର୍ଶାଇଥିବା ବେଳେ ପାଇଛି ୭ କୋଟି ୧୯ ଲକ୍ଷ । କଟକ ସଦ୍ଗୁରୁ ହସ୍ପିଟାଲ ଖର୍ଚ୍ଚ ବାବଦକୁ ଦର୍ଶାଇଛି ୭ କୋଟି ୫୪ ଲକ୍ଷ ଏବଂ ପାଇଛି ସବୁ ଟଙ୍କା । ସେହିପରି କଟକ ମହାନଗର ନିଗମ(ସିଏମ୍ସି) ଅଂଚଳରେ ଅଦ୍ୟାବଧି କୋଭିଡ୍ ଆକ୍ରାନ୍ତ ହୋଇଥିବା ପ୍ରତ୍ୟେକ ଲୋକ ପିଛା ୧୬ ହଜାର ୨୭୯ ଟଙ୍କା ୩୨ ଖର୍ଚ୍ଚ ହୋଇଥିବା ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି । କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍ଙ୍କ ପ୍ରଶ୍ନର ଉତରରେ ସେ ଏକଥା କହିଛନ୍ତି । ମନ୍ତ୍ରୀ କହିଛନ୍ତି, ଘରୋଇ ହସ୍ପିଟାଲ ଗୁଡିକୁ ୨୪ କୋଟି ୮୬ ଲକ୍ଷ ୧୬ ହଜାର ୧୧୪ ଟଙ୍କା ଦିଆଯାଇଛି । କେବଳ କଟକ ମହାନଗର ନିଗମକୁ ୨୬ କୋଟି ୭୪ ଲକ୍ଷ ୫୨ ହଜାର ୮୬୮ ଟଙ୍କା ଦିଆଯାଇଛି । ୨୦୨୧ ଫେବ୍ରୁଆରୀ ୧୩ ତାରିଖ ସୁଦ୍ଧା ରାଜ୍ୟରେ ୮୦,୨୩,୯୭୮ ଜଣଙ୍କର କରୋନା ଟେଷ୍ଟ ହୋଇଛି । ସେଥିରୁ ୧୬,୯୭,୨୩୪ ଜଣଙ୍କର ଆରଟିପିସିଆର୍ ଓ ୬୨,୯୯,୭୧୬ ଜଣଙ୍କର ଆଂଟିଜେନ୍ ଟେଷ୍ଟ ହୋଇଥିବା ମନ୍ତ୍ରୀ କହିଛନ୍ତି ।


