ଗଜପତିରେ ଅଭିନବ ଡାକ୍ତରୀ ସେବା ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାରରେ ମହିଳାଙ୍କ ମୂତ୍ରାଶୟ ନଳୀ କାଟିଦେଲେ ଡାକ୍ତର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ ଅଭିନବ ପ୍ରଣାଳୀରେ ସରକାରୀ ଡାକ୍ତରୀ ସେବା ଚାଲୁ ରହିଛି । ପରିବାର ନିୟନ୍ତ୍ରଣ ଅସ୍ତ୍ର ପ୍ରଚାର ସମୟରେ ଜଣେ ମହିଳାଙ୍କ ମୁତ୍ରାଶୟର ନଳୀକୁ ଜଣେ ଡାକ୍ତର କାଟି ଦେଇଥିବା ଅଭିଯୋଗ ହୋଇଛି । ଏହି ଜିଲ୍ଲାର ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଭାବନୀୟ ଘଟଣା ଘଟିଛି । ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ବେଳେ ମହିଳାଙ୍କ ମୃତ୍ରାଶୟ ନଳୀ କାଟି ଦେଇଥିବାର ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ, ମୋହନା ବ୍ଲକ ଅନ୍ତର୍ଗତ ଢେପାଗୁଡା ଗ୍ରାମର ଭାଗ୍ୟଲକ୍ଷ୍ମୀ ଗୌଡ ୪ ମାସ ପୂର୍ବେ ଏକ ଶିଶୁପୁତ୍ର ଜନ୍ମ ଦେଇଥିଲେ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରିବାର କଲ୍ୟାଣ ଯୋଜନା ମାଧ୍ୟମରେ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର କରିବାକୁ ୧୫ ତାରିଖରେ ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପରିବାର ବର୍ଗଙ୍କ ସହ ସ୍ଥାନୀୟ ଆଶା ଦିଦିଙ୍କ ସହ ଆସି ଭର୍ତ୍ତି ହୋଇଥିଲେ । ହେଲେ ଅସ୍ତ୍ରୋପଚାର ବେଳେ ଡାକ୍ତର ଜଣକ ଛୁଆଘରା ନଳୀ ସହ ମୂତ୍ରାଶୟ ନଳୀଟିକୁ କାଟି ଦେଇଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି । ବାର୍ତ୍ତମାନ ସେ ୬ ଦିନ ହେଲା ଚିକିତ୍ସାଧୀନ ରହି ବିଭିନ୍ନ କଷ୍ଟ ପାଉଥିବା ପରିବାର ବର୍ଗ ଅଭିଯୋଗ କରିଛନ୍ତି । ଏ ନେଇ ଚନ୍ଦ୍ରଗିରି ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସା ଅଧିକାରିଣୀ ଡ.ନମିତା ପଣ୍ଡାଙ୍କୁ ପଚାରିବାରୁ, ସେ ଅସ୍ତ୍ରୋପଚାର କରିଥିବା ଡାକ୍ତରଙ୍କ ଭୁଲକୁ ଘୋଡାଇବା ପାଇଁ ଉଦ୍ୟମ କରି କହିଛନ୍ତି ଫେମିଲି ପ୍ଲାନିଂଙ୍ଗ ଅପରେସ ବେଳେ କେତେକ କେସରେ ମୂତ୍ରାଶୟର ନଳୀ କଟିଯାଏ । ବର୍ତ୍ତମାନ ମଧ୍ୟ ଏହି ମହିଳାଙ୍କ ମୂତ୍ରାଶୟ ନଳୀର ମାତ୍ର କିଛି ଅଂଶ କଟିଯାଇଛି । ଏହା ଏକ ସାଧାରଣ ଘଟଣା ବୋଲି କହି ଡାକ୍ତର ପଣ୍ଡା ପ୍ରକାଶ କରିଛନ୍ତି । ଡାକ୍ତର ଆହୁରି କହିଛନ୍ତି ଯେ, ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଅଛି । ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସମସ୍ତ ଖର୍ଚ୍ଚ ଓ ସୁବିଧା ଯୋଗାଇ ଦିଆଯାଉଛି । ଅପରପକ୍ଷରେ ଗଜପତି ଜିଲ୍ଲାରେ ଏଭଳି ସମ୍ବେଦନଶୀଳ ଘଟଣା ଘଟୁଥିଲେ ମଧ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ପ୍ରଦୀପ କୁମାର ପାତ୍ର ଏ ସମ୍ପର୍କରେ ଅବଗତ ନଥିବା କହିଛନ୍ତି । ଏଭଳି ଘଟଣା ଗୁଡିକୁ କାହିଁକି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ମୁଖ୍ୟଙ୍କୁ ନଜଣାଇ ଗୋପନରେ ରଖାଯାଉଛି । ଏହାର ତଦନ୍ତ କରାଯାଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସାଧାରଣରେ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ