କୋଭିଡ୍ କଟକଣାରେ ହୋଲି ପର୍ବକୁ ପାଳନ କଲେ ଛତ୍ରପୁରବାସୀ
ଛତ୍ରପୁର (ଦେବଦତ୍ତ ମହାରଣା): କରୋନାର ଦ୍ୱିତୀୟ ଲହରୀକୁ ଦୃଷ୍ଟିରେ ରଖି ଜିଲ୍ଲାବାସୀଙ୍କ ସୁରକ୍ଷା ନିମନ୍ତେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଏହା ସହ ଲୋକମାନେ କିପରି ସୁରକ୍ଷିତ ରହିବେ ସେଥି ନିମନ୍ତେ ଗଞ୍ଜାମ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ଅଧିକାରୀ ମାନେ ବିଭିନ୍ନ କାର୍ଯ୍ୟ କରିଆସୁଛନ୍ତି । ଏଥି ନିମନ୍ତେ ଦଣ୍ଡନାଚ, ମା ତାରାତାରିଣୀଙ୍କ ଚୈତ୍ର ମେଳା, ବ୍ରହ୍ମପୁର ମା ବୁଢି ଠାକୁରାଣୀଙ୍କ ଯାତ୍ରା, ଦୋଳ ପୁର୍ଣ୍ଣିମା ଯାତ୍ରା ସମେତ ବିଭିନ୍ନ ଯାନିଯାତ୍ରା କୋଭିଡ୍ କଟକଣା ମଧ୍ୟରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ର ନିୟମ ମୁତାବକ କରିବା ନିମନ୍ତେ ଗଞ୍ଜାମ ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏହା କିପରି ବ୍ୟତିକ୍ରମ ନ ହେବ ସେଥିନିମନ୍ତେ ଉଭୟ ପ୍ରଶାସନ ଓ ପୋଲିସ୍ ଅଧିକାରୀ ମାନେ ତୁହାକୁ ତୁହା ଅନୁଧ୍ୟାନ କରୁଛନ୍ତି । ସେହିପରି ଜିଲ୍ଲାବାସୀ ହୋଲି ପର୍ବ ନିଜ ଘରେ କିମ୍ବା କୋଭିଡ୍ କଟକଣା ମଧ୍ୟରେ ପାଳନ କରିବା ନିମନ୍ତେ ନିର୍ଦ୍ଦେଶ ରହିଛି । ସୋମବାର ପବିତ୍ର ହୋଲି ଅବସରରେ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହର ଆଖପାଖ ଅଂଚଳରେ ଲୋକେ ହୋଲିପର୍ବ ପାଳନ କରୁଥିବା ଦେଖିବାକୁ ମିଳୁଛି । ଏହା ସହ ପୂର୍ବରୁ ଦୋଳ ପୁର୍ଣ୍ଣିମା ଯାତ୍ରା ମଧ୍ୟ କୋଭିଡ୍ କଟକଣା ରେ ପାଳନ ହୋଇଛି । ହୋଲି ଏକ ଭାଇଚାରା ର ପର୍ବ ହୋଇଥିବାରୁ ସମସ୍ତେ ଏହାକୁ ନିଜ ନିଜ ମଧ୍ୟରେ ପାଳନ କରିଥାନ୍ତି । ତେବେ ଗତ ବର୍ଷ କରୋନା ମହାମାରୀ ଯୋଗୁଁ ହୋଲି ପର୍ବ ପାଳନ ନ ହୋଇପାରିଥିବା ବେଳେ ଚଳିତ ବର୍ଷ ଏହା କୋଭିଡ୍ କଟକଣା ମଧ୍ୟରେ ପାଳନ ହୋଇଛି ।


