ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ବେଳେ କାଟିଦେଲେ ମହିଳାଙ୍କ ଖାଦ୍ୟନଳି
ଛତ୍ରପୁର, ଦେବଦତ୍ତ ମହାରଣା): ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ସମୟରେ ଡାକ୍ତରଙ୍କ ଦ୍ୱାରା ଜଣେ ମହିଳାଙ୍କ ଖାଦ୍ୟ ନଳି କଟାଯାଇଥିବା ଅଭିଯୋଗ ହୋଇଛି । ମହିଳା ଜଣକ ଏବେ ଜୀବନମୃତ୍ୟୁ ସହ ସଂଗ୍ରାମ ଜାରି ରଖିଛନ୍ତି । ଛତ୍ରପୁର ବ୍ଲକ ମୁନିଷିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ୨ ଡାକ୍ତରଙ୍କ ବିରୋଧରେ ଉକ୍ତ ମହିଳା ଏବଂ ତାଙ୍କରି ସ୍ୱାମୀ ସଙ୍ଗୀନ୍ନ ଅଭିଯୋଗ କରିଛନ୍ତି । ଅସ୍ତ୍ରୋପଚାର କରିଥିବା ୨ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ କ୍ଷତିପୂରଣ ଦେବା ଲାଗି ଦାବି ହୋଇଛି । ଏହି ସଂକ୍ରାନ୍ତରେ ମହାଲକ୍ଷ୍ମୀଙ୍କ ଅଭିଯୋଗ କ୍ରମେ ଛତ୍ରପୁର ଥାନାରେ ୨ ଡାକ୍ତରଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଠାରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି । ମୃତ୍ୟୁ ସହ ସଂଗ୍ରାମ କରୁଥିବା ମହିଳା ମହାଲକ୍ଷ୍ମୀ ନାୟକ ଓ ତାଙ୍କରି ସ୍ୱାମୀ ପ୍ରଭାକର ନାୟଙ୍କ ଅଭିଯୋଗ ଅନୁସାରେ, ସେମାନଙ୍କର ୧୨ ବର୍ଷ ବୟସର ଗୋଟିଏ ଝିଅ ଏବଂ ୯ ବର୍ଷ ବୟସର ଗୋଟିଏ ପୁଅ ଅଛନ୍ତିା ସେଥି ସକାଶେ ମହାଲକ୍ଷ୍ମୀଙ୍କ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର କରିବା ଲାଗି ନିଷ୍ପତ୍ତି ନେଇଥିଲେ । ଚଳିତ ବର୍ଷ ଫେବୃୟାରୀ ୨୨ ତାରିଖରେ ମୁନିଷିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚାଲିଥିବା ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ଶିବିରରେ ମହାଲକ୍ଷ୍ମୀଙ୍କ ଅସ୍ତ୍ରୋପଚାର କରାଯାଇଥିଲା । ଉକ୍ତ ଶିବିରରେ ଦୁଇଜଣ ଡାକ୍ତର ଅସ୍ତ୍ରୋପଚାର କରିଥିଲେ । ଅସ୍ତ୍ରୋପଚାରର ଅଳ୍ପ ସମୟ ପରେ ମହାଲକ୍ଷ୍ମୀଙ୍କୁ ବାନ୍ତି ହୋଇଥିଲା । ଡାକ୍ତର ତାଙ୍କୁ ଚିକିତ୍ସା କରି କୌଣସି ଅସୁବିଧା ନାହିଁ କୁହାଯାଇ ଘରକୁ ପଠାଇ ଦେଇଥିଲେ । ସେହିଦିନ ରାତିରେ ଅସ୍ତ୍ରୋପଚାର ହୋଇଥିବା ସିଲାଇ ପଡିଥିବା ସ୍ଥାନରୁ ରକ୍ତ, ପାଣି ଓ ମଇଳା ବାହାରିବା ଦେଖି ପରିବାର ଲୋକେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ଜରୁରୀ ଚିକିତ୍ସା ନିମନ୍ତେ ଆଣିଥିଲେ । ସଙ୍କଟାପନ୍ନ ଥିବାରୁ ସେଠାରେ ଥିବା ଡାକ୍ତର ବ୍ରହ୍ମପୁର ଡାକ୍ତରଖାନାକୁ ତୁରନ୍ତ ସ୍ଥାନାନ୍ତର କରିଥିଲେ । ବ୍ରହ୍ମପୁର ଏମ୍କେସିଜି ମେଡିକାଲରେ ତାଙ୍କରି ବିଭିନ୍ନ ପରୀକ୍ଷା କରିବା ପରେ ମହାଲକ୍ଷ୍ମୀଙ୍କ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ବେଳେ କିପରି ଖାଦ୍ୟ ନଳି କଟିଯାଇଛି । ଏଣୁ ଉଚ୍ଚସ୍ତରୀୟ ଚିକିତ୍ସା ପରେ ମାର୍ଚ୍ଚ ୧୦ ତାରିଖରେ ଡାକ୍ତରଖାନାରୁ ଘରକୁ ଫେରିଥିଲେ । ଗତ ୧୩ ତାରିଖରେ ଛତ୍ରପୁର ଥାନାରେ ଡାକ୍ତରଙ୍କ ବିରୋଧରେ ମହାଲକ୍ଷ୍ମୀଙ୍କ ଅଭିଯୋଗ କରିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଠାରେ ୨ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଏବଂ କ୍ଷତିପୂରଣ ଲାଗି ଦାବି କରିଥିଲେ ।


