ଲାପ୍ସ ଟୋକନକୁ ପୁନଃ କାର୍ଯ୍ୟକ୍ଷମ କରିବା ଦାବୀରେ ସେଣ୍ଢତୀରା ଧାନ ମଣ୍ଡି ଆଗରେ ଚାଷୀଙ୍କ ଧାରଣା
ବନ୍ତ, (ଚାନ୍ଦିନୀ ମହାନ୍ତି):ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ, ବନ୍ତ ଶାଖା ଅଧିନ ସେଣ୍ଢତୀରା ସମବାୟ ସମିତି ଆଗରେ ଚାଷୀ ମାନେ ଲାପ୍ସ ଟୋକନକୁ ପୁନଃ କାର୍ଯ୍ୟକ୍ଷମ କରିବା ସହ ଧାନ କିଣାରେ ହୋଇଥିବା ଦୁର୍ନୀତି ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀରେ ଧାରଣାରେ ବସିଥିବା ଦେଖାଯାଇଛି । ପ୍ରକାଶ ଯେ, ଉକ୍ତ ସମିତିର ସଂପାଦକ, ଡିଇଓ, ଅଫିସ ପିଅନ ଓ ଧାନକିଣା କମିଟିରେ ଥିବା ସଦସ୍ୟ ମାନେ ଚଳିତ ଖରିଫ ଋତୁରେ ଚାଷୀ ମାନଙ୍କ ଠାରୁ ଧାନ କିଣିବା ବେଳେ ସରକାରୀ ନୀତିନିୟମକୁ ପାଳନ କରିନାହାନ୍ତି । କ୍ଷୁଦ୍ର ଓ ନାମମାତ୍ର ଚାଷୀ ମାନଙ୍କ ଠାରୁ ଧାନ କିଣା ନଯାଇ ବଡ ଚାଷୀ ମାନଙ୍କ ଠାରୁ ଧାନ କିଣାଯାଇଛି । ଫଳରେ ପଞ୍ଜୀକୃତ ଶତାଧିକ ଚାଷୀଙ୍କର ଟୋକନ ଲାପ୍ସ କରିଯାଇଛି । ଧାନ କିଣା ବେଳେ ପ୍ରିୟାପ୍ରିତି ତୋଷଣ କରାଯାଇଛି । ଉପରୋକ୍ତ ଚାଷୀ ମାନେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ଧାନ ବିକ୍ରୟ କରିନପାରି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଚାଷୀ କମିଟି ଗଠନ ବେଳେ ସରକାରଙ୍କର ସମସ୍ତ ଗାଇଡ୍ ଲାଇନକୁ ଉଲଂଘନ କରାଯାଇଛି । ଟୋକନ୍ ଲାପ୍ସ ହେବା ଫଳରେ ଅସାଧୁ ବେପାରୀ ମାନେ ଚାଷୀଙ୍କ ଠାରୁ କମ୍ ଦରରେ ଧାନ କିଣିବା ପାଇଁ ବାଧ୍ୟ କରୁଛନ୍ତି । ଉକ୍ତ ସମିତିର ବ୍ୟାପକ ଦୁର୍ନୀତି ସଂପର୍କରେ ବିଧିବଦ୍ଧ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ କରାଯାଇଛି । ଧାରଣାରେ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା କୋଷାଧ୍ୟକ୍ଷ ଶଙ୍କର୍ଷଣ ଜେନା, କାର୍ଯ୍ୟକାରିଣୀ ସଦସ୍ୟା ସୁମିତ୍ରା ପାଣି, ଯୁବ ସମାଜସେବୀ ବନମାଳୀ ଜେନା, ନିରଞ୍ଜନ ଧଳ, ଅଜୟ କୁମାର ସ୍ୱାଇଁ, ଶୁଭେନ୍ଦୁ କୁମାର ବାରିକ, ବାସନ୍ତୀ ଜେନା, ସୁବାଷ ଚନ୍ଦ୍ର ଜେନା, ବନମାଳୀ ବାରିକ, ବଳରାମ ସାହୁ, ଭୀକାରୀ ଚରଣ ଦାସ, ରମେଶ ଚନ୍ଦ୍ର ସାହୁ, ରବିନ୍ଦ୍ର ବାରିକ, ଯଦୁମଣି ସାହୁ, ମଦନ ମୋହନ ଖଟୁଆ, ଧ୍ରୁବ ଚରଣ ବାରିକ, ରବିନ୍ଦ୍ର ମହାଳିକ, ନଟବର ମୁଦୁଲି, ପଙ୍କଜ ମଲ୍ଲିିକ, ଗଣେଶ ଶଂଖୁଆ, ସାଗର ଭୋଇ, ଗୋଲକ ମହାପାତ୍ର, ଋଷିକେଶ ବାରିକ, ଭଗବତୀ ଜେନା, ସୁକୁମାର ଜେନା, କ୍ଷେତ୍ରବାସୀ ରାଉତଙ୍କ ସମେତ ବହୁ ଚାଷୀ ସାମିଲ ଥିଲେ । ଖବର ପାଇ ବ୍ଲକ ଯୋଗାଣ ଅଧିକାରୀ ଅଶୋକ କୁମାର ବେହେରା ଧାରଣା ସ୍ଥଳରେ ପହଞ୍ôଚ ରାଜ୍ୟ ସରକାରଙ୍କ ଠାରୁ ଟୋକନ୍ ମଞ୍ଜୁର ହେଲେ ସର୍ବପ୍ରଥମେ ୩୭୩ ଜଣ ଚାଷୀଙ୍କ ଧାନ କିଣା ଯିବ ବୋଲି ପ୍ରତିଶୃତି ଦେବାରୁ ଧାରଣା ପ୍ରତ୍ୟାହୃତ ହୋଇଥିଲା । ପ୍ରକାଶ ଥାଉକି, ଉକ୍ତ ସମିତିରେ ମୋଟ ୯୦୩ ଜଣ ଚାଷୀ ଅନଲାଇନ୍ ପଞ୍ଜୀକରଣ କରିଥିବା ବେଳେ ୪୮ ହଜାର ଟାର୍ଗେଟର ଆବଶ୍ୟକତା ଥିଲା । ଏପରିସ୍ଥଳେ ମାର୍ଚ୍ଚ ୩୧ ସୁଦ୍ଧା ୩୬ ହଜାର ୧୪୪ କୁଇଁଣ୍ଟାଲ ଧାନ କିଣାଯାଇଛି । ପ୍ରାୟ ୩୭୫ ଟୋକନ୍ର ୧୨ ହଜାର କୁଇଁଣ୍ଟାଲ ଧାନ ଲାପ୍ସ ହୋଇଥିବା ଜଣାଯାଇଛି ।