ତହସିଲଦାରଙ୍କ ବିରୁଦ୍ଧରେ ତାତିଲେ ଗ୍ରାମବାସୀ, ପଦାରେ ପଡିଲା ଠିକାଦାର ଓ ତହସିଲଦାରଙ୍କ ମଧୁଚନ୍ଦ୍ରିକା

ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ତହସିଲ ମହାନ୍ତିପଡା ପଞ୍ଚାୟତରେ ସାଳନ୍ଦୀ ନଦୀ ପଠାରୁ ବେଆଇନ ବାଲି ଚୋରା ଚାଲାଣ ହେଉଥିବା ନେଇ ଗୁରବାର ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀ ମାନେ ଗଣଧାରଣାରେ ବସିଥିଲେ । ଏସଂପର୍କରେ ବାରମ୍ବାର ତହସିଲଦାରଙ୍କ ଠାରେ ଅଭିଯୋଗ କରିବା ପରେ କୌଣସି ସୁଫଳ ନମିଳିବାରୁ ବାଧ୍ୟ ହୋଇ ଗ୍ରାମବାସୀ ମାନେ ଏହି ପନ୍ଥା ଅବଲମ୍ବନ କରିଥିବା ପୂର୍ବତନ ବିଧାୟକ ପ୍ରଫୁଲ୍ଲ ଜେନା କହିଛନ୍ତି । ପ୍ରକାଶ ଯେ, ପୂର୍ବରୁ ଏଠାରେ କେବେ ବାଲିଘାଟ ନିଲାମ ହୋଇନଥିବା ବେଳେ ୨୦୨୦-୨୧ ଆର୍ଥିକ ବର୍ଷରେ ବେଆଇନ ମାଇନିଂ ଯୋଜନା କରି ତହସିଲଦାର ବାଲିଘାଟ ନିଲାମ କରିଥିବା ପୂର୍ବତନ ବିଧାୟକ ଅଭିଯୋଗ କରିଛନ୍ତି । ନଦୀକୂଳ ଅଧିବାସୀ ତଥା ପରିବେଶ ସୁରକ୍ଷା ଦିଗ ପ୍ରତି ଯତ୍ନବାନ ନହୋଇ ଠିକାଦାରଙ୍କ ପ୍ରରୋଚନାରେ ଅଧିକାରୀ ନିଲାମ ପ୍ରକ୍ରିୟା କରିଥିବା କୁହାଯାଇଛି । ପୂର୍ବତନ ବିଧାୟକ କହିଛନ୍ତି ଯେ, ଯଦି ଆଇନ ଅନୁଯାୟୀ ନିଲାମ ହୋଇଛି ତେବେ କାହିଁକି ତହସିଲଦାର ଡିମାର୍କେସନ କରାଇ ଖୁଣ୍ଟି ପୋତିଲେ ନାହିଁ କି ଡିସପ୍ଲେବୋର୍ଡ ସ୍ଥାପନ କଲେ ନାହିଁ । ଓଏମଏମସି ରୁଲ-୨୦୧୬ ଅନୁଯାୟୀ ସର୍ବାଧିକ ୩ ମିଟର କିମ୍ବା ପାଣିସ୍ତର ପର୍ଯ୍ୟନ୍ତ ବାଲି ଉଠାଣ କରିବାର ନିୟମ ଥିଲେ ମଧ୍ୟ ସଂପୃକ୍ତ ଠିକାଦାର ଜେସିବି ମେସିନ ଲଗାଇ ସ୍ଥାନେ ସ୍ଥାନେ ୧୦ ମିଟର ଗଭୀର ପର୍ଯ୍ୟନ୍ତ ଗର୍ତ୍ତ କରିଥିବା ଅଭିଯୋଗ ହୋଇଛି । ଏପରିକି ଏହି ଲିଜ୍ ୫ ବର୍ଷ ପାଇଁ ହୋଇଥିବା ବେଳେ ପ୍ରଥମ ୨ ମାସରେ ଅନୁମୋଦିତ ପରିମାଣର ବାଲି ଉଠା ଯାଇସାରିଥିବା ଦେଖିବାକୁ ମିଳିଛି । ଆଇନ ଅନୁଯ।।ୟୀ ଏସମ୍ବନ୍ଧିତ ଅଭିଯୋଗକୁ ୩ ଦିନ ମଧ୍ୟରେ ତଦନ୍ତ କରି ରିପୋର୍ଟ ପ୍ରଦାନର ବ୍ୟବସ୍ଥା ଥିଲେ ମଧ୍ୟ ତହସିଲଦାର କୌଣସି ତଦନ୍ତ ନକରିବା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗତ କିଛି ଦିନ ପୂର୍ବେ ବଡମହିଷଗୋଠ ପଞ୍ଚାୟତର ହରିପୁର ଗ୍ରାମର ବହୁ ମହିଳା ତହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ପ୍ରଦର୍ଶନ କରିବାରୁ ସେମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରାଯାଇଥିଲା । ଯେଉଁ ସ୍ଥାନ ଗୁଡିକରେ ବାଲି ଉତ୍ତୋଳନ ପାଇଁ ଲିଜ୍ ଦିଆଯାଇଛି ସେଠାରେ ବାଲିଆ ମାଟି ରହିଛି କିନ୍ତୁ ବାଲି ନଥିବା ଗ୍ରାମବାସୀ ମାନେ କହିଛନ୍ତି । । ପରିବେଶ ଅନୁମତି ପାଇବାରେ ସଂପୃକ୍ତ ଠିକାଦାର ଓ ତହସିଲଦାର ଚଞ୍ଚକତା କରିଥିବା ପୂର୍ବତନ ବିଧାୟକ ଅଭିଯୋଗ କରିଛନ୍ତି । ଏନେଇ ପୂର୍ବରୁ ମାନ୍ୟବର ଉଚ୍ଚ ନ୍ୟାୟାଳୟରେ ଏକ ଜନସ୍ୱାର୍ଥ ମାମଲା ଦାଏର କରିଥିଲେ । ମାନ୍ୟବର କୋର୍ଟ ଜିଲାପାଳଙ୍କୁ ଏହାର ତଦନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅପରପକ୍ଷେ ଠିକାଦାର ମାନେ ବେଆଇନ ଭାବେ ବାଲି ଉଠାଇ ନେଉଥିବା ଜଣାଯାଇଛି । ବାଲି ଉଠାଣକୁ ସମର୍ଥନ କରି କିଛି ଲୋକ ଧାରଣାକାରୀକୁ ବିରୋଧ କରିବାକୁ ମେଳି ବାନ୍ଧି ଥିବା ଜଣାଯାଇଛି । ସମର୍ଥନକାରୀଙ୍କ କହିବା ଅନୁଯାୟୀ ୧୯୯୯ ବନ୍ୟାରେ ନଦୀର ପାଣି ସଠିକ୍ ଭାବେ ତଳକୁ ନିଷ୍କାସିତ ହୋଇନପାରି ବହୁ ଲୋକଙ୍କ ଘରଦ୍ୱାର କ୍ଷତି କରିଥିଲା । ବାଲି ଉଠାଣ ହେଲେ ଏହି ସମସ୍ୟା ଖୁବ୍ ଶିଘ୍ର ଦୂର ହୋଇଯିବ ବୋଲି କହିଥିଲେ । ଏହାର ଜବାବରେ ପୂର୍ବତନ ବିଧାୟକ ଶ୍ରୀ ଜେନା କହିଛନ୍ତି ଯେ, ନଦୀକୁ ଏକ ସ୍ୱତନ୍ତ ଯୋଜନାରେ ସଫା କରାଗଲେ ବନ୍ୟା ସମସ୍ୟା ଦୂର ହୋଇପାରିବ । କିନ୍ତୁ ମନଇଛା ବାଲି ଉଠାଣ ହେଲେ ସ୍ଥାନୀୟ ଲୋକ ମାନେ ଅଧିକ ପ୍ରଭାବିତ ହେବେ । ସେପଟେ ଉତ୍କଳ ଦିବସ ପାଇଁ ଏହି ଗଣଧାରଣକୁ ସ୍ଥଗିତ କରାଯାଇ ଆସନ୍ତା ୫ ତାରିଖରୁ ପୁନଃ ଧାରଣା ଚାଲୁ କରାଯିବ ବୋଲି ଜଣାଯାଇଛି । ଏହି ଘଟଣାରେ ଦୁଇ ଗୋଷ୍ଠୀ ଜଡିତ ଥିଲେ ମଧ୍ୟ ଧାରଣା ସ୍ଥଳରେ ପୋଲିସ ଉପସ୍ଥିତ ନରହିବାକୁ କିଛି ବୁଦ୍ଧିଜୀବି ନାପସନ୍ଦ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ