ପ୍ରଧାନଶିକ୍ଷୟିତ୍ରୀ, ମ୍ୟାଟ୍ରନଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଲକ୍‌ ମୁଣ୍ଡିଗଡ଼ ମା’ଭୈରବୀ ଉଚ୍ଚବିଦ୍ୟାଳୟରେ ଥିବା ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପରିଚାଳିତ ହ‌ଷ୍ଟେଲର ୨୬ ଜଣ ଛାତ୍ରୀ ଗତକାଲି ଅଧରାତିରେ ହଷ୍ଟେଲ ଛାଡ଼ିଥିଲେ। ଗୋଟିଏ କୁଡ଼ିଆରେ ରାତି କଟାଇଥିଲେ। ପ୍ରଧାନଶିକ୍ଷୟିତ୍ରୀ ଓ ହଷ୍ଟେଲ ୱା‌ର୍ଡ଼େନ ସେମାନଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ ଆଣି ସେମାନେ ଛାତ୍ରୀମାନେ ଏଭଳି ପଦକ୍ଷେପ ଗ୍ରହଣ କରିଥିବା କହିଛନ୍ତି। ତେବେ, ସ୍ଥାନୀୟ ବିଡିଓ ବୁଝାସୁଝା କରିବା ପରେ ସେମାନଙ୍କୁ ହଷ୍ଟେଲ ଫେରାଇ ଆଣିଛନ୍ତି।ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୨ ଟା ସମୟରେ ୨୬ ଜଣ ଛାତ୍ରୀ ନିଜ ନିଜ ଜିନିଷପତ୍ର ଧରି ହଷ୍ଟେଲ ଛାଡ଼ିଥିଲେ। ସାଙ୍ଗରେ ସେମାନେ ନିଜନିଜର ଜିନିଷପତ୍ର ବି ନେଇଥିଲେ। ଜଙ୍ଗଲ ରାସ୍ତାରେ ୫ କିଲୋମିଟର ଚାଲି ଚାଲି ଆଠବଡ଼ି ଗ୍ରାମର ଏକ କୁଡ଼ିଆରେ ରାତି କଟାଇଥିଲେ।ସକାଳ ହେବା ପରେ ସେମାନେ ନିଜ ନିଜ ଗାଁକୁ ଚାଲିଯାଇଥିଲେ। ଘଟଣା ପରେ ବିଡିଓ ରୀନା ପ୍ରଧାନ, ଥାନା ଅଧିକାରୀ ବାବା ଶଙ୍କର ସରାଫ୍‌ ପହଞ୍ଚି ଘଟଣା ସଂପର୍କରେ ଜାଣିବା ପରେ ଛାତ୍ରୀମାନଙ୍କ ଘରକୁ ଯାଇ ବୁଝାସୁଝା କରିଥିଲେ। ଛାତ୍ରୀ ଓ ସେମାନଙ୍କ ଅଭିଭାବକଙ୍କୁ ଆଶ୍ବାସନା ଦେବା ପରେ ଆଜି ସନ୍ଧ୍ୟା ୬ଟା ସୁଦ୍ଧା ୨୬ ଛାତ୍ରୀଙ୍କ ମଧ୍ୟରୁ ୨୨ ଜଣଙ୍କୁ ହଷ୍ଟେଲ ଫେରାଇ ଆଣିଛନ୍ତି। ଜିଲ୍ଲା ମଙ୍ଗଳ ଅଧିକାରୀ ସୀମାଞ୍ଚଳ ବେହେରା, ଉପଖଣ୍ଡ ମଙ୍ଗଳ ଅଧିକାରୀ ଜଗତ୍‌ଜୀବନ ବଗର୍ତ୍ତୀ ଓ ବ୍ଲକ୍‌ ମଙ୍ଗଳ ଅଧିକାରୀ ବୃନ୍ଦାବନ ମହାପାତ୍ର ପହଞ୍ଚି ଛାତ୍ରୀ, ମ୍ୟାଟ୍ରନ୍‌ ଓ ଅନ୍ୟ ଶିକ୍ଷୟିତ୍ରୀଙ୍କ ସହ ଘଟଣା ସଂପର୍କରେ ଆଲୋଚନା କରିଥିଲେ। ଛାତ୍ରୀମାନଙ୍କ ଅଭିଯୋଗ ଅନୁସାରେ, ପ୍ରଧାନଶିକ୍ଷୟିତ୍ରୀ ଓ ମ୍ୟାଟ୍ରନ୍‌ ସେମାନଙ୍କୁ ନିର୍ଯାତନା ଦେଉଛନ୍ତି। ଏପରିକି, ଠିକ୍‌ ଭାବେ ଖାଇବାକୁ ଦେଉନଥିବାବେଳେ ଷ୍ଟାଇପେଣ୍ଡ୍‌ ଅର୍ଥ ଫେରାଉ ନାହାନ୍ତି। ସେମାନଙ୍କ ଅଭିଯୋଗ ଉପରେ ତଦନ୍ତ ଆରମ୍ଭ ହୋଇଥିବା ଜଣାପଡ଼ିଛି। ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କହିବା ଅନୁସାରେ, ସମସ୍ତ ଛାତ୍ରୀ ଫେରିବା ପରେ ସେମାନଙ୍କ ମତାମତ ସଂଗ୍ରହ କରାଯିବ। ଏଥିରେ ଯାହାର ଭୁଲ୍‌ ଥିବ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ