ସାଉଥ- କୋ ହଟିବା ପରେ ଟାଟା କମ୍ପାନୀର ମନମୁଖୀ କାର୍ଯ୍ୟ, ଅଘୋଷିତ ବିଦ୍ୟୁତ୍ କାଟ : ସାଧାରଣରେ ତୀବ୍ର ଅସନ୍ତୋଷ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ଗ୍ରୀଷ୍ମ ପ୍ରବାହ କ୍ରମଶଃ ଅତିଷ୍ଟ ହେବାରେ ଲାଗିଛି । ରାତି ପାହିଲେ ସୂର୍ଯ୍ୟଙ୍କ ପ୍ରକୋପ ମାଡ଼ି ଆସୁଥିବା ବେଳେ ସନ୍ଧ୍ୟା ପର୍ଯ୍ୟନ୍ତ ଏହା ଲୋକଙ୍କୁ ହନ୍ତସନ୍ତ କରୁଛି । ସୂର୍ଯ୍ୟଙ୍କ ପ୍ରଚଣ୍ଡ ତାପ ଯୋଗୁଁ ଲୋକେ ଦିନ ୧୦ଟା ପରେ ଘରୁ ବାହାରକୁ ବାହାରିବା କଷ୍ଟକର ହୋଇପଡ଼ୁଛି । ଏଭଳି ସ୍ଥିତିରେ ବିଦ୍ୟୁତ ଶକ୍ତି ଲୋକଙ୍କ ପାଇଁଁ ନିହାତି ଆବଶ୍ୟକ ବୋଲି କୁହାଯାଉଛି । ଚଳିତ ଗ୍ରୀଷ୍ମ ଋତୁରେ ବିଦ୍ୟୁତ କାଟ ହେବ ନାହିଁ ବୋଲି ଘୋଷଣା କରାଯାଇଥିବା ବେଳେ ରାଜ୍ୟ ମୁଖିଆଙ୍କ ଗଡ଼ ହିଂଜିଳିକାଟୁରେ ଅଘୋଷିତ ବିଦ୍ୟୁତ କାଟ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଯଦ୍ୱାର ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଣୟନ କରାଯାଇଥିବା ବିଦ୍ୟୁତ କାଟ୍କୁ ନେଇ କୌଣସି ନିୟମ ସ୍ଥାନୀୟ ବିଦ୍ୟୁତ ବିଭାଗ ଉପରେ ଏହାର କୌଣସି ପ୍ରଭାବ ପଡ଼ିନଥିବାର ଦେଖାଯାଇଛି । କାରଣ ପ୍ରତ୍ୟେକ ଦିନ ଘଂଟା ଘଂଟା ଧରି ହଞ୍ଜିିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଅଂଚଳ ଗୁଡ଼ିକରେ ବିଦ୍ୟୁତ କାଟ୍ କରାଯାଉଥିବାର ଦେଖିବାକୁ ମିଳୁଛି । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସ୍ଥାନୀୟ ଅଂଚଳର ତାପମାତ୍ରା ୪୦ ଂ ରୁ ଉଦ୍ଧ୍ୱର୍ ରହୁଥିବା ବେଳେ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ୍ ଯୋଗୁଁ ଅଂଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗତ କିଛି ଦିନ ଧରି ସ୍ଥାନୀୟ ପୌରାଂଚଳରେ ଦିନକୁ ୫ରୁ ୬ ଘଂଟା ପର୍ଯ୍ୟନ୍ତ ଅଘୋଷିତ ଭାବେ ବିଦ୍ୟୁତ କାଟ କରାଯାଉଛି । ଆଗକୁ ପରୀକ୍ଷା ଋତୁ ଆସୁଥିବା ବେଳେ ବିଦ୍ୟୁତ କାଟକୁ ନେଇ ଶିକ୍ଷାର୍ଥୀ ମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ନେଇ ସ୍ଥାନୀୟ ବିଦ୍ୟୁତ ଡ଼ିଭିଜନ ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟ ନାରାୟଣ ଦାଶଙ୍କୁ ପଚାରିବାରୁ ସେ କହିଛନ୍ତି ବିଭିନ୍ନ ସ୍ଥାନରେ ବିଦ୍ୟୁତ ମରାମତି କାର୍ଯ୍ୟ ଚାଲୁ ରହିଥିବାରୁ ବିଦ୍ୟୁତ କାଟ କରାଯାଉଛି । ବର୍ତମାନ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଥିବାରୁ ବିଦ୍ୟୁତ ବିଭାଗୀୟ କର୍ତୁପକ୍ଷ ଦୃଷ୍ଟି ଦେଇ ବିଦ୍ୟୁତ କାଟ ବନ୍ଦ କରିବା ପାଇଁ ଅଂଚଳବାସି ଦାବି ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ