ପିପିଲି ଉପ-ନିର୍ବାଚନରେ ଲଢିବେ୧୦ଜଣ ପ୍ରାର୍ଥୀ
ଭୁବନେଶ୍ୱର, (ୱାଇଏନ୍ଏସ୍): ୧୧୦-ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ଅନୁଷ୍ଠିତ ହେବାକୁ ଥିବା ଉପ-ନିର୍ବାଚନରେ ମୋଟରେ ୧୦ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିବ । ଗତ ମାର୍ଚ୍ଚ ୩୦ ତାରିଖ ନାମାଙ୍କନ ପତ୍ର ଦାଖଲର ଶେଷ ଦିବସ ସୁଦ୍ଧା ବିଭିନ୍ନ ରାଜନୈତିକ ଦଳ ଓ ସ୍ୱାଧୀନ ପ୍ରାର୍ଥୀ ଭାବେ ମୋଟରେ ୧୫ଜଣ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ । ମାର୍ଚ୍ଚ ୩୧ ତାରିଖ ପ୍ରାର୍ଥୀପତ୍ର ଯାଂଚବେଳେ ବିଭିନ୍ନ କାରଣରୁ ୩ଜଣ ପ୍ରାର୍ଥୀଙ୍କର ନାମାଙ୍କନ ପତ୍ର ନାକଚ ହୋଇଥିବାବେଳେ ଏପ୍ରିଲ ୩ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଦିବସର ଦୁଇଜଣ ସ୍ୱାଧୀନ ପ୍ରାର୍ଥୀ ସେମାନଙ୍କର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେଇଛନ୍ତି । ନିର୍ବାଚନ ମଇଦାନରେ ବିଭିନ୍ନ ରାଜନୈତିକ ଦଳ ଓ ସ୍ୱାଧୀନ ଭାବେ ମୋଟରେ ୧୦ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ିବେ ।
ଭାରତୀୟ ଜନତା ପାର୍ଟିର ଆଶ୍ରିତ ପଟ୍ଟନାୟକ, ସିପିଆଇ(ଏମ୍ଏଲ୍)ର ଅଶୋକ ପ୍ରଧାନ, ବିଜୁ ଜନତା ଦଳର ରୁଦ୍ର ପ୍ରତାପ ମହାରଥୀ, ରିପବ୍ଲିକାନ୍ ପାର୍ଟି ଅଫ୍ ଇଣ୍ଡିଆର ମହମ୍ମଦ ଇମାଉଦ୍ଦିନ ଅଖିଳ ଭାରତ ହିନ୍ଦୁ ମହାସଭାର ଜୟପ୍ରକାଶ ସେଠୀ, ଭାରତୀୟ ଜାତୀୟ କଂଗ୍ରେସର ଅଜିତ୍ ମଙ୍ଗରାଜ, ସ୍ୱାଧୀନ ପ୍ରାର୍ଥୀ ନଗେନ୍ଦ୍ର ନାଥ ମିଶ୍ର, ସ୍ୱାଧୀନ ପ୍ରାର୍ଥୀ ସ୍ୱପ୍ନେଶ୍ୱର ନାୟକ, ସ୍ୱାଧୀନ ପ୍ରାର୍ଥୀ ସୁଲୋଚନା ସାହୁ ଓ କଳିଙ୍ଗ ସେନାର ପିଙ୍କଲିନ୍ ମହାନ୍ତି ଆସନ୍ତା ୧୭ ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀ କରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ୧୧୦ ପିପିଲି ଉପ-ନିର୍ବାଚନ କାର୍ଯ୍ୟ ପରିଚାଳନା ନିମନ୍ତେ ମୋଟରେ ୧୭୪୦ ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି । କୋଭିଡ ମହାମାରୀ ସମୟରେ ନିର୍ବାଚନ କାର୍ଯ୍ୟ ପରିଚାଳନା କରୁଥିବାରୁ ସମ୍ମୁଖ କର୍ମୀ ଭାବେ ସମସ୍ତଙ୍କୁ କୋଗିଡ୍ ଟୀକାର ପ୍ରଥମ ଡୋଜ୍ ଦିଆଯାଇଛି ଓ ନିର୍ବାଚନ ସଂକ୍ରାନ୍ତୀୟ ସମସ୍ତ ପ୍ରକାରର ତାଲିମ୍ ପ୍ରଦାନ କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ପ୍ରକାଶ କରିଛନ୍ତି । ବରିଷ୍ଠ ନାଗରିକ ୮୦ ବର୍ଷରୁ ଉର୍ଦ୍ଧ୍ୱ, ଦିବ୍ୟାଙ୍ଗ ଭୋଟର ଏବଂ ସନ୍ଦିଗ୍ଧ କୋଭିଡ୍ ଆକ୍ରାନ୍ତ ଭୋଟରମାନଙ୍କ ନିମନ୍ତେ ପୋଷ୍ଟାଲ ବାଲାଟ୍ ମାଧ୍ୟମରେ ଭୋଟ୍ ଗ୍ରହଣର ସମସ୍ତ ବ୍ୟବସ୍ଥା କରାଯାଇଛି । ଏଥିନିମନ୍ତେ ୧୦୭୭ ଜଣ ଭୋଟର୍ ପୋଷ୍ଟାଲ ବାଲାଟ୍ ମାଧ୍ୟମରେ ଭୋଟ୍ଦେବା ପାଇଁ ଆବେଦନ କରିଛନ୍ତି । ସେଥିମଧ୍ୟରୁ ୮୦ବର୍ଷରୁ ଉର୍ଦ୍ଧ୍ୱ ୯୦୯ ଜଣ ଓ ୧୬୮ ଜଣ ଦିବ୍ୟାଙ୍ଗ ଭୋଟର୍ ରହିଛନ୍ତି । ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ପୋଷ୍ଟାଲ୍ ବାଲାଟ୍ ନିମନ୍ତେ ଜଣେ ମାଇକ୍ରୋ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି କରାଯାଇଛି ।


