ଚୁକ୍ତି ଉଲଂଘନ କରୁଛି ଆଇଆରଇ କମ୍ପାନୀ,ଗ୍ରାମବାସୀଙ୍କ ଅଭିଯୋଗ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍): ଆଇଆରଆଇ କମ୍ପାନୀ ଖଣି ଖନନ କାର୍ଯ୍ୟ ଶେଷ ପରେ ଉକ୍ତ ଜମିକୁ ସମତୁଲ କରି କାଜୁ ଓ ଝାଉଁ ଗଛ ଚାରା ଲଗାଇ ପୁଣି ସେହି ଜମି ମାଲିକଙ୍କୁ ୫ ବର୍ଷ ପରେ ହସ୍ତାନ୍ତର କରିବା ନିମନ୍ତେ ଚୁକ୍ତିରୁ ଓହରିଛି ବୋଲି କାଳିପଲ୍ଲୀ ପଞ୍ଚାୟତ ତିଅରବସାବାସୀ ଅଭିଯୋଗ କରିଛନ୍ତି । ଆଇଆରଇ ଚୁକ୍ତି ସ୍ୱାକ୍ଷର କରିବାର ଦୀର୍ଘ ୧୦ ବର୍ଷ ବିତି ଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ତିଅରବସାବାସୀଙ୍କୁ ଜମି ଗୁଡିକୁ ହସ୍ତାନ୍ତର କରିନାହିଁ । ସମସ୍ତ ଚୁକ୍ତିକୁ ଉଲ୍ଲଂଘନ କରି ଆଇଆରଇଏଲ ଆମର ଜମିକୁ ଷଡଯନ୍ତ୍ର କରି ଖଣି ଖନନ ପାଇଁ ଅକ୍ତିଆର କରିଛି ଓ ଗତ ୧୦ ବର୍ଷ ଧରି ଆମର ଜୀବନ ଜୀବିକା ସହ ଖେଳ ଖେଳି ଆମ ପରିବାରର ଭରଣ ପୋଷଣ ଓ ସର୍ବନିମ୍ନ ଆବଶ୍ୟକତା ମେଣ୍ଟାଇବାରେ ବାଧା ସୃଷ୍ଟି କରିଛି । ଏଣୁ ଉକ୍ତ ଫସଲ ଜମି ୪୦ ଏକର ଫସଲ ଜମିକୁ ତୁରନ୍ତ ଆମକୁ ଫେରସ୍ତ ଦେବା ସହ ଗତ ୧୦ ବର୍ଷର ଭରଣପୋଷଣ ଓ କ୍ଷତିପୂରଣ ଖର୍ଚ୍ଚ ପ୍ରଦାନ ପାଇଁ ତିଅରବସା ବାସୀ ଆଇଆରଇ କମ୍ପାନୀର ମୁଖ୍ୟ ପରିଚାଳକଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ସେଥିରେ ଉଲ୍ଲେଖ କରାଯାଇଛି ଯେ, ୨୦୦୯ ମସିହା ଅପ୍ରିଲ ୪ ତାରିଖ ଆଇଆରଇଏଲ୍ ଓ ବଡପୁଟି ପ୍ରାଥମିକ ମତ୍ସ୍ୟଜୀବୀ ସମବାୟ ସମିତିର ସଦସ୍ୟଙ୍କ ମଧ୍ୟରେ ଏକ ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଥିଲା । ତିଅରବସା ବାସୀଙ୍କ ଅଧିକୃତ ଜମି ବଡପୁଟି ରାଜସ୍ୱ ଗ୍ରାମର ଜାଗା ନଂ-୫୨୮, ୫୫୯, ୫୩୭, ୫୩୮, ୫୨୭, ୫୨୯, ୫୪୦, ୫୪୮, ୫୫୭, ୫୯୮, ୮୦୦, ୭୯୧, ୫୩୪, ୫୩୦, ୫୯୭/୮୫୧, ୭୯୭, ୭୯୫, ୭୯୫/୮୧୯, ୮୫୦, ୫୩୯, ୫୫୦, ୫୩୧/୮୨୮, ୫୪୭, ୭୯୭/୯୬୫ ମୋଟ ୪୦ ଏକର ଜମିରେ ଆଇଆରଇଏଲ୍ ଖଣି ଖନନ କାର୍ଯ୍ୟ କରି ଉକ୍ତ ଜମି ଗୁଡିକୁ ସମତୁଲ କରି କାଜୁ ଓ ଝାଉଁ ଗଛ ଚାରା ଲଗାଇ ପୁଣି ସେହି ଜମି ମାଲିକଙ୍କୁ ୫ ବର୍ଷରେ ହସ୍ତାନ୍ତର କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା । କିନ୍ତୁ ୨୦୦୯ ମସିହାର ୨୦୧୯ ମସିହା ଅକ୍ଟୋବର ମାସ ହୋଇଥିଲେ ସୁଦ୍ଧା ଆଜ ପର୍ଯ୍ୟନ୍ତ କୌଣସି ଜମିକୁ ସମତୁଲ କରାଯାଇ ନାହିଁ, କୌଣସି ଫଳନ୍ତି ଗଛ ଚାରା ଲଗାଯାଇ ନାହିଁ, ଜମି ମାଲିକ ବା ଦଖଲକାରୀଙ୍କ ପରିବାରରୁ କୌଣସି ଯୁବକଙ୍କୁ କର୍ମ ନିଯୁକ୍ତି ଦିଆଯାଇ ନାହିଁ, ଫଳନ୍ତି ଫସଲ ଜମି ନେଇଥିବା ବାବଦରେ ସେମାନଙ୍କ ପରିବାରର ଭରଣ ପୋଷଣ ଖର୍ଚ୍ଚ ଦିଆଯାଇ ନାହିଁ ବୋଲି ତିଅରବସାବାସୀ ମୁଖ୍ୟ ପରିଚାଳଙ୍କ ଠାରେ ଅଭିଯୋଗ କରିଥିଲେ । ଏହି ଦାବି ପତ୍ର ପ୍ରଦାନ ବେଳେ ଭୋକଲି ବେହେରା, ଅର୍ଜୁନ ବେହେରା, ଗୁରୁଦେବ ବେହେରା, ଦେବରାଜ ବେହେରା, ଦଣ୍ଡପାଣି ବେହେରା, ଲବ ବେହେରା, ହରି ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।


