ଅନୱାର୍ଡ଼ ଓଡ଼ିଶା’ ଚିତ୍ରକଳା ପ୍ରଦର୍ଶନୀ ଉଦ୍‌ଘାଟିତ

ଅଂଶଗ୍ରହଣ କଲେ ୬୧ଜଣ ଚିତ୍ରଶିଳ୍ପୀ

ଭୁବନେଶ୍ୱର, ମଧ୍ୟପ୍ରଦେଶର ଭୋପାଳରେ ଅବିସ୍ଥିତ ଫାଉଣ୍ଡେସନ ଅଫ ଆର୍ଟ ଆଣ୍ଡ କଲ୍‌ଚର ଦ୍ୱାରା ଓଡ଼ିଶାର ଚିତ୍ର ଓ ଭାସ୍କର୍ଯ୍ୟଶିଳ୍ପୀଙ୍କ କଳାକୃତିକୁ ନେଇ ଆୟୋଜିତ ହୋଇଛି ‘ଅନୱାର୍ଡ଼ ଓଡ଼ିଶା’ ଶୀର୍ଷକ ଅନଲାଇନ କଳା ପ୍ରଦର୍ଶନୀ । କ୍ୟୁରେଟର ଅନୁପ କୁମାର ଚାନ୍ଦ ଓ ଆସିଷ୍ଟାଣ୍ଟ କ୍ୟୁରେଟର ପୁନମ ଜୈନଙ୍କ ଦ୍ୱାରା ଓଡ଼ିଶାର ୬୧ଜଣ ଚିତ୍ରଶିଳ୍ପୀ ଓ ଭାସ୍କର୍ଯ୍ୟ ଶିଳ୍ପୀଙ୍କ କଳାକୃତି ଏଥିରେ ସ୍ଥାନ ପାଇବା ଗୌରବର ବିଷୟ । ଭୋପାଳର ବରିଷ୍ଠ ଚିତ୍ରଶିଳ୍ପୀ ଅଖିଳେଶ ଅଂଶଗ୍ରହଣ କରିଥିବା ସମସ୍ତ ଚିତ୍ରଶିଳ୍ପୀଙ୍କୁ ପ୍ରଦର୍ଶନୀ ପାଇଁ ସ୍ୱାଗତ ଜଣାଇଛନ୍ତି । ଉକ୍ତ ପ୍ରଦର୍ଶନୀରେ ଶିଳ୍ପୀମାନଙ୍କ ଦ୍ୱାରା ଅନେକ ବିଷୟବସ୍ତୁ ଓ ଶୈଳୀକୁ ନେଇ ଚିତ୍ର ଓ ଭାସ୍କର୍ଯ୍ୟଗୁଡ଼ିକ ତିଆରି ହୋଇଥିଲା । ଅଦ୍ୱୈତ ଗଡ଼ନାୟକ, ଟୁଟୁ ପଟ୍ଟନାୟକ, ନିବେଦିତା ମିଶ୍ର, ଚୁଗୁଲି ସାହୁ ଓ ଚନ୍ଦନ କୁମାର ସାମଲଙ୍କ ସୁଉଚ୍ଚ ଭାସ୍କର୍ଯ୍ୟଗୁଡ଼ିକ ଆକର୍ଷଣୀୟ ହୋଇଥିଲା । ବରିଷ୍ଠ ଶିଳ୍ପୀ ଯତୀନ ଦାସ, ଜଗନ୍ନାଥ ପଣ୍ଡା, ଜଗନ୍ନାଥ ମହାପାତ୍ର, ତପନ ଦାସ, ସଜଲ ପାତ୍ର, ରାମହରି ଜେନା, ଗଜେନ୍ଦ୍ର ପାଢୀ, ରଞ୍ଜନ ମଲ୍ଲିକ, ଗଜେନ୍ଦ୍ର ପ୍ରସାଦ ସାହୁ, ମାନସ ଜେନା, ପ୍ରଦୋଷ ସ୍ୱାଇଁ, ମୀନକେତନ ପଟ୍ଟନାୟକ, ଚକ୍ରଧର ବେହେରା, ପ୍ରବୀର ଦଳାଇ ପ୍ରମୁଖ ଚିତ୍ରଶିଳ୍ପୀଙ୍କ କଳାକୃତି ନିଜ ନିଜ ଶୈଳୀରେ ଅଦ୍ୱିତୀୟ ପରିଲକ୍ଷିତ ହୋଇଥିଲା । ଶିଳ୍ପୀ ଗୌରାଙ୍ଗ ବାରିକି, ସଙ୍ଗୀତା ପଟ୍ଟନାୟକ, ରାଜୀବ ଲୋଚନ ସାହୁ ଓ ଅରୁଣ କୁମାର ଜେନା ପାରମ୍ପରିକ କଳାକୁ ସମସାମୟିକ ଶୈଳୀରେ ବେଶ ନିଖୁଣ ଭାବରେ ଅଙ୍କନ କରିଥିଲେ । ମୁଦ୍ରଣ କଳାରେ ଚଇତାବସୁ ଜେନା, ଡ୍ରଇଁରେ ତାରାକାନ୍ତ ପରିଡ଼ା, ସେରାମିକରେ ବିଶ୍ୱଜିତା ମହାରଣା ନିଜର ଶ୍ରେଷ୍ଠ କୃତି ପ୍ରଦର୍ଶନ କରିଥିଲେ । ଚିତ୍ରଶିଳ୍ପୀ ଅନୁପ କୁମାର ଚାନ୍ଦଙ୍କ ପ୍ରଦର୍ଶିତ ତୈଳଚିତ୍ରରେ ସେ ପଶୁମାନଙ୍କ ଚିତ୍ର ଏକ ଅଲଗା ଆନ୍ଦାଜରେ ଅଙ୍କନ କରିଛନ୍ତି । ଯେଉଁଥିରେ ପଶୁମାନଙ୍କୁ ମଣିଷ ଅନେକ ପ୍ରକାରର ହଇରାଣ, ହରକତ କରୁଥିବାରୁ ପଶୁ ମଧ୍ୟ ବିଶ୍ୱାସ ହରାଉଥିବାର ଦର୍ଶାଉଛନ୍ତି । ଶିଳ୍ପୀ ଅସିତ କୁମାର ପଟ୍ଟନାୟକଙ୍କ ‘ଏଫେକ୍ସନ’ ଶୀର୍ଷକ ଏକ୍ରାୟଲିକ ଚିତ୍ରଟି ସମସ୍ତଙ୍କ ଦୃଷ୍ଟି ଆକର୍ଷିତ କରିଥିଲା । ଏହି ଚିତ୍ରରେ ଅସିତ ନାରୀ ଓ ପୁରୁଷ ଚିତ୍ରକୁ ସୃଜନଶୀଳ ଢଙ୍ଗରେ ଚିତ୍ରିତ କରିଛନ୍ତି । ଚିତ୍ରଟିରେ ଲାଲ କେଶ ଥିବା ମହିଳା ଜଣକଙ୍କ ସହ ଏକ ପ୍ରଦର୍ଶନର ସାକ୍ଷାତ ହୋଇଥିଲା ଯାହାକୁ ସେ କାନଭାସ ଉପରେ ଅଙ୍କନ କରିଥାନ୍ତି । ଶିଳ୍ପୀ ପଞ୍ଚାନନ ସାମଲଙ୍କ ଏକ୍ରାୟଲିକ ରଙ୍ଗର ‘ନେଚୁରାଲ ହାରମୋନି’ ଶୀର୍ଷକ ଚିତ୍ର ସମସାମୟିକ ଜୀବନ ଯାପନ ଶୈଳୀ କିପରି ମଣିଷର ସୁଖ ଓ ଶାନ୍ତିକୁ ହରଣ କରିନେଇଛି ଏବଂ ମଣିଷ ବିକଳ୍ପ ଶାନ୍ତିର ସନ୍ଧାନରେ ନିଜର ଅସ୍ତିତ୍ୱ ହରାଇ ବସିଛି ତାହାକୁ ସୃଜନଶୀଳ ଢଙ୍ଗରେ ଅଙ୍କନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଆଲୋକ ବଳ, ବିଜୟ ବିଶ୍ୱାଳ, ବିପିନ ମାର୍ଥା, ଦେବାର୍ଚ୍ଚନ ରାଉତ, ଦୀନବନ୍ଧୁ ସାହୁ, ଗୋପାଳ ସାମନ୍ତରାୟ, ହେଲେନବାଳା ବ୍ରହ୍ମା, ଜ୍ୟୋତିର୍ମୟ ପଟ୍ଟନାୟକ, ଲିପିଶ୍ରୀ ନାୟକ, ମମତା ସାମନ୍ତରାୟ, ମନୋଜ କୁମାର ସାହୁ, ନିବେଦିତା ପଟ୍ଟନାୟକ, ପ୍ରଦିପ୍ତ କିଶୋର ଦାସ, ପ୍ରସନ୍ନ ମହାରଣା, ସଞ୍ଜୟ କେତନ ଚୌଧୁରୀ, ସୁବ୍ରତ ମଲ୍ଲିକ, ସୂର୍ଯ୍ୟକାନ୍ତ ସ୍ୱାଇଁ ପ୍ରମୁଖ ନିଜ ନିଜର ନିଆରା ଶୈଳୀର ଚିତ୍ର ପ୍ରଦର୍ଶନୀର ଶୋଭାବର୍ଦ୍ଧନ କରିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ