ପୋଲ ଉପରେ ପାଣି, ଯାତାୟତରେ ବାଧା
ଯୋଡ଼ା (ଯୁଗାଦ୍ଦ) କେନ୍ଦୁଝର ଜିଲା ଯୋଡା ସହର କୁ ଦୁଇ ପାଶ୍ୱର୍ରେ ବିଭକ୍ତ କରୁଥିବା ତଥା ରାଜ୍ୟ ରାଜପଥ ନଂ ୨ ରେ ଥିବା ସୁନା ନଦୀ ପୋଲ ଉପରେ କୃତିମ ବନ୍ୟା ସୃଷ୍ଟି ହୋଇ ପୋଲ ଉପରେ ପାଣି ଜମା ହୋଇ ରହିଛି । ଘଟଣାସ୍ଥଳରୁ ଜଣାପଡିଛି ଯେ, ଗତ ୨୪ ଘଂଟା ଧରି ଝିପି ଝିପି ଲଗାଣ ବର୍ଷା ହେବା ଫଳରେ ଯୋଡା ମାର୍କେଟ ସୁନାନଦୀ ପୋଲଉପରୁ ଜଳ ନିସ୍କାସନ ହୋଇନପାରି ଏହି ଜଳ ପୋଲ ଉପରେ ଜମିରହିଛି । ଫଳରେ ପଥଚାରୀ, ଦୁଇ ଚକିଆ ଯାନବାହାନରେ ଯାଉଥିବା ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାର କାରଣ ସମ୍ପର୍କରେ ସ୍ଥାନୀୟ ଯୁବ ସଂଗଠକ ମାନସ ଦାସ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ପିଲେଟ ଲୁହାପଥର ଗୋଲି ପରିବହନ ବେଳେ ଏହା ଗାଡିରୁ ଖସି ପଡି ପୋଲ ଉପରେ ଥିବା ଜଳ ନିସ୍କାସନ ବାଟ ଗୁଡିକରେ ପଡି ଜାମ୍ ହୋଇଯାଉଛି । ଫଳରେ ଜଳ ନିଷ୍କାସନ ହୋଇପାରୁନାହିଁ । ଏହାର ରକ୍ଷଣାବେକ୍ଷଣ ଆଦୌ କରାଯାଉନଥିବାରୁ ଏହି ପୋଲର ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇପଡିଛି । ସେହିପରି ପଥଚାରୀ ରମେଶ ମାଝି , ପୁରୁଷୋତମ ଲୋହାର, ଲୋଚନ ଗିରି ଓ ମହିଳା ଶକୁନ୍ତଳା କାରୁଆ, ତାରି କାରୁଆ ପ୍ରମୁଖ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ପୂର୍ବରୁ ଏହି ପୋଲ ଉପରେ ପାଣି ଜମୁନଥିଲା । ଲୁହାପଥର ପରିବହନ ଅଧିକ ହେବା ପରେ ଗାଡିରୁ ଲୁହା ପଥର ଗୁଣ୍ଡ ଓ ଲୁହା ପଥର ଗୋଲି ଖସି ପାଣି ନିଷ୍କାସନ ବାଟ ବନ୍ଦ ହୋଇଯାଇଛି । ଫଳରେ ଯାତାୟତରେ ଘୋର ବାଧା ସୃଷ୍ଟି ହେଉଛି । ନଦୀରେ ବନ୍ୟା ନଥାଇ ପୋଲ ଉପରେ ପାଣି ରହୁଛି । ଏଦିଗରେ ପ୍ରଶାସନ ଶୀଘ୍ର ଦୃଷ୍ଟି ଦେବା ପାଇଁ ଅଂଚଳବାସୀ ଦାବି କରିଛନ୍ତି ।