ଜିବୀକା ଉପାର୍ଜନ ସମୟରେ କୋଭିଡ୍ ଳଢ଼େଇ ଜାରି ରଖିବାକୁ ଗୁରୁତ୍ୱ

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ) : ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟରେ ଜାରି କରାଯାଇଥିବା ଆଂଶିକ ଲକ୍ଡାଉନ୍ ଯୋଗୁ କରୋନା ସଂକ୍ରମଣ ଅନେକ ପରିମାଣରେ ହ୍ରାସ ପାଇଛି ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି । ଜୁଲାଇ ୧ ତାରିଖ ବେଳକୁ ରାଜ୍ୟରେ ହାରାହାରି ସଂକ୍ରମଣ ହାର ୫ ପ୍ରତିଶତ ଥିବା ବେଳେ ବର୍ତ୍ତମାନ ଏହା ୩ ପ୍ରତିଶତକୁ କମିଛି । ଆଂଶିକ ଲକ୍ଡାଉନ୍ ରୁ ମିଳିଥିବା ସୁଫଳ ଅନୁସାରେ ଆଗାମୀ କରୋନା ପରିଚାଳନାର କାର୍ଯ୍ୟପନ୍ଥା ବିଷୟରେ ସୂଚନା ଦେଇ ମହାପାତ୍ର କହିଛନ୍ତି ଯେ ବିଭିନ୍ନ ଜିଲ୍ଲାରେ କରୋନା ସଂକ୍ରମଣ ହାରକୁ ଲକ୍ଷ୍ୟକରି ଲକ୍ଡାଉନ୍ କୋହଳ ନିମନ୍ତେ ରାଜ୍ୟର ୩୦ ଟି ଜିଲ୍ଲାକୁ ଅନ୍ଲକ୍ ପ୍ରଥମ ପର୍ଯ୍ୟାୟ ପରି ୨ ଭାଗରେ ବର୍ଗୀକରଣ କରାଯାଇଛି-: ‘ବର୍ଗ-କ’ ରେ ୨୦ ଟି ଜିଲ୍ଲା ଏବଂ ‘ବର୍ଗ-ଖ’ ରେ ୧୦ ଟି ଜିଲ୍ଲା ରହିଛି । ମୁଖ୍ୟତଃ ବରଗଡ଼, ବଲାଙ୍ଗିର, ବୌଦ୍ଧ, ଦେବଗଡ଼, ଗଜପତି, ଗଂଜାମ, ଝାରସୁଗୁଡ଼ା, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ମାଲକନାଗିରି, ନବରଙ୍ଗପୁର, ନୂଆପଡ଼ା, ରାୟଗଡ଼ା, ସମ୍ବଲପୁର, ସୁବର୍ଣ୍ଣପୁର, ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ ଏବଂ କେନ୍ଦୁଝର ଆଦି ଜିଲ୍ଲାରେ କୋଭିଡ୍ ନିୟମର ସଠିକ୍ ଅନୁପାଳନ ଯୋଗୁ ସଂକ୍ରମଣ ହାର କମ୍ ଥିବାରୁ ଏସବୁ ଜିଲ୍ଲାକୁ ବର୍ଗ-କ(କାଟେଗୋରୀ-ଏ) ଏବଂ ଅବଶିଷ୍ଟ ୧୦ ଟି ଜିଲ୍ଲାକୁ ବର୍ଗ-ଖ(କାଟେଗୋରୀ-ବି) ଜିଲ୍ଲା ଅନ୍ତର୍ଭୁକ୍ତ କରାଯାଇଛି । ବର୍ଗ-କ ଜିଲ୍ଲାମାନଙ୍କରେ ସମସ୍ତ ପ୍ରକାର ଆବଶ୍ୟକୀୟ ଦ୍ରବ୍ୟ ଦୋକାନ ସକାଳ ୬ ରୁ ସନ୍ଧ୍ୟା ୮ ପର୍ଯ୍ୟନ୍ତ ଖୋଲା ରହିବ । କିନ୍ତୁ ସପିଂ ମଲ୍, ବାର୍, ସିନେମା ହଲ୍, ମଲ୍ଟିପ୍ଲେକ୍ସ୍, ୱାଟର-ପାର୍କ ଆଦି ବନ୍ଦ ରହିବ । ଏହି ଜିଲ୍ଲା ମାନଙ୍କରେ ସପ୍ତାହନ୍ତ ସଟ୍-ଡାଉନ୍ ହେବ ନାହିଁ । ନୟାଗଡ଼, ପୁରୀ, କଟକ, ଖୋର୍ଦ୍ଧା, ଭଦ୍ରଖ, ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦ୍ରାପଡ଼ା, ଜଗତସିଂପୁର ଓ ଯାଜପୁର ଆଦି ୧୦ଟି ଜିଲ୍ଲାକୁ ବର୍ଗ-ଖ ଅନ୍ତର୍ଭୁକ୍ତ କରାଯାଇଛି । ଏସବୁ ଜିଲ୍ଲାରେ ସଂକ୍ରମଣ ହାର କମୁଥିଲେ ମଧ୍ୟ କ-ବର୍ଗ ଜିଲ୍ଲା ଠାରୁ ଅଧିକ ରହିଛି । ତେଣୁ ଏସବୁ ଜିଲ୍ଲାରେ କଟକଣା ବର୍ଗ-କ ଜିଲ୍ଲାମାନଙ୍କ ଠାରୁ ଅଧିକ ରହିବ । ସମସ୍ତ ଆବଶ୍ୟକୀୟ ପଦାର୍ଥ ଦୋକାନ ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲା ରହିବ । ବର୍ଗ-ଖ ୧୦ ଟି ଜିଲ୍ଲାରେ ଶନିବାର ଏବଂ ରବିବାର ଦିନ ସପ୍ତାହନ୍ତ ସଟ୍ଡାଉନ୍ ପୂର୍ବ ପର୍ଯ୍ୟାୟ ପରି ଜାରି ରହିବ । ଅଗଷ୍ଟ ୧ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ରାତ୍ରିକାଳୀନ କର୍ଫ୍ୟୁ ଜାରି କରାଯାଇଛି । ତେବେ ବର୍ଗ-କ ଜିଲ୍ଲାରେ ଏହି କର୍ଫ୍ୟୁ ରାତ୍ରି ୮ଟାରୁ ସକାଳ ୬ଟା ; ଏବଂ, ବର୍ଗ-ଖ ଜିଲ୍ଲାମାନଙ୍କରେ ସନ୍ଧ୍ୟା ୫ ଟାରୁ ପରଦିନ ସକାଳ ୬ଟା ପର୍ଯ୍ୟନ୍ତ ବଳବତ୍ତର ରହିବ । ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର, ପ୍ରଦର୍ଶନୀ, ମେଳା, ସିନେମାହଲ୍, ମଲ୍ଟିପ୍ଲେକ୍ସ, ଜିମ୍, ପାର୍କ, ଥଏଟର, ଯାତ୍ରା, ବାର୍, ଅଡିଟୋରିଅମ୍, ଆମୋଦ ପ୍ରମୋଦ ପାର୍କ, ସୁଇମିଂ ପୁଲ୍, ମ୍ୟାରି- ଗୋ-ରାଉଣ୍ଡ ଦୋଳି, ମୀନା ବଜାର, ଏକତ୍ର ହେବା, ହଲ୍, ସମସ୍ତ ପ୍ରକାର ସାମାଜିକ, ଧାର୍ମିକ ବା ରାଜନୈତିକ ସଭାସମିତି, ବିବାହ ଓ ବ୍ରତ ଆଦି ପାଇଁ ଶୋଭାଯାତ୍ରା ଓ ଭୋଜି, ମନ୍ଦିର ଓ ଧର୍ମାନୁଷ୍ଠାନ ଆଦିରେ ସାଧାରଣ ଦର୍ଶନ ବନ୍ଦ ରହିବ । ତେବେ ମନ୍ଦିର, ମସ୍ଜିଦ୍ ଓ ଗୁରୁଦ୍ୱାର ଓ ଚର୍ଚ୍ଚ ଆଦିରେ ପୁର୍ବ ପର୍ଯ୍ୟାୟଭଳି ସିମୀତ ପୂଜକଙ୍କୁ ନେଇ ଦୈନିକ ନୀତି ଚାଲୁ ରହିବ । ବିବାହ, ବ୍ରତ, ମୃତ୍ୟୁ କାଳୀନ ଶେଷକୃତ୍ୟ ଆଦି କାର୍ଯ୍ୟଉପରେ ପୂର୍ବବତ୍ କଟକଣା ରହିବେ । ସାରା ରାଜ୍ୟରେ ଜୀବନ ଓ ଜିବୀକା ମଧ୍ୟରେ ସମନ୍ୱୟ ରଖିବା ନିମନ୍ତେ ସାଇକେଲ୍ ମରାମତି, ଯାନବାହନ ମରାମତି, କଳକାରଖାନା, ବିଭିନ୍ନ ପ୍ରକାର ନିର୍ମାଣ କାର୍ଯ୍ୟ, ଦ୍ରବ୍ୟ ପରିବହନ, କୃଷି, ମତ୍ସ୍ୟ ଚାଷ ଓ ପଶୁପାଳନ ସମ୍ବନ୍ଧିତ ଦୋକାନ ଏବଂ କାମକୁ କଟକଣା ମୁକ୍ତ କରାଯାଇଛି । ଆତ୍ମ ନିଯୁକ୍ତ ବ୍ୟକ୍ତିମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ ନିଜର ବ୍ୟବସାୟ ଚଳାଇ ପାରିବେ । ସେହିପରି ମିଠା ଦୋକାନୀ, ଠେଲାଗାଡ଼ି, ଉଠାଦୋକାନୀ ମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ ବ୍ୟବସାୟ କରିପାରିବେ । ତେବେ ଗ୍ରାହକ କେବଳ ଖାଦ୍ୟ କିଣି ଘରକୁ ନେଇ ପାରିବେ । କେହି ଦୋକାନରେ ବସି ବା ସେଠାରେ ଠିଆ ହୋଇ ଖାଇ ପାରିବେ ନାହିଁ । ରାସ୍ତାକଡ଼ ଢାବା କେବଳ ଖାଦ୍ୟ ପାର୍ସଲ ଦେବା ପାଇଁ ଖୋଲା ରହିବ । ଘର ବାହାର ଖେଳ, ଜିମ୍ ଆଦିକୁ ଅନୁମତି ଦିଆଯିବ, ତେବେ ଖେଳକୁଦ କାର୍ଯ୍ୟକ୍ରମ ବିନା ଦର୍ଶକରେ ଆୟୋଜିତ ହେବ । ଆଉଟ୍ ଡୋର୍ ସିନେମା ସୁଟିଂ, ମର୍ଣିଂ ୱାକ୍, ଜଗିଂ ଏବଂ ସାଇକେଲିଂ ଆଦି କାର୍ଯ୍ୟକୁ ମଧ୍ୟ କଟକଣା ମୁକ୍ତ କରାଯାଇଛି । ପର୍ଯ୍ୟଟକଙ୍କ ପାଇଁ ହୋଟେଲ୍, ହୋମ୍ ଷ୍ଟେ, ଲଜ୍ ଏବଂ ମୋଟେଲ୍ ଆଦି କୋଭିଡ୍ ନିୟମ ଅନୁପାଳନ ସହ ଖୋଲା ହୋଇ ପାରିବ । ସ୍ୱାସ୍ଥ୍ୟ ସେବା, ବିଦ୍ୟୁତ୍ ଯୋଗାଣ, ଟେଲିକମ୍, ଅଗ୍ନିଶ୍ରମ ସେବା, ଅନ୍ୟାନ୍ୟ ମୌଳିକ ଏବଂ ଜରୁରୀ କାଳୀନ ସେବା ଆଦି ପୂର୍ବପରି ଚାଲୁ ରହିବ । ବିଭିନ୍ନ ପ୍ରକାର ଦ୍ରବ୍ୟର ହୋମ୍ ଡେଲିଭରି, ଇ-କମର୍ସ, ସମ୍ବାଦ ସଂଗ୍ରହ ଓ ପରିବେଷଣ କାର୍ଯ୍ୟରେ ନିୟୋଜିତ ଗଣ-ମାଧ୍ୟମ, ପେଟ୍ରୋଲ୍ ପମ୍ପ୍, ପେଟ୍ରୋଲିୟମ୍ ଗ୍ୟାସ୍, କୋଲ୍ଡ ଷ୍ଟୋର୍, କଲ୍ ସେଣ୍ଟର, ଡାଟା ସେଣ୍ଟର, ସୂଚନା ଓ ପ୍ରଯୁକ୍ତି ବିଦ୍ୟା କାର୍ଯ୍ୟାଳୟ ଆଦି ଖୋଲାହେବ । ବ୍ୟାଙ୍କ, ଏ.ଟି.ଏମ୍, ଋଣ ସମବାୟ ସମିତି ଆଦି ଖୋଲା ରହିବ । ତେବେ ଏହି ସବୁ କାର୍ଯ୍ୟାଳୟ ସର୍ବନିମ୍ନ କର୍ମଚାରୀଙ୍କୁ ନେଇ ଚାଲିବ । ଅନ୍ୟମାନେ ‘ୱାର୍କ ଫ୍ରମ୍ ହୋମ୍’ ବ୍ୟବସ୍ଥାରେ କାମ କରିବେ । କଟକଣା କୋହଳ ସମୟରେ ଏକ ଦୋକାନରୁ ଅନ୍ୟ ଦୋକାନ ମଧ୍ୟରେ ନିର୍ଦ୍ଧାରିତ ଦୁରତା ବଜାୟ ରଖିବା, ଦୋକାନ ଭିତରେ ବା ସାମ୍ନାରେ ଭିଡ଼ ନହେବା ଆଦିକୁ ସଂପୃକ୍ତ ଦୋକାନୀ ଏବଂ ବଜାର କମିଟି ନିଶ୍ଚିତ କରାଇବେ । ଏଥିପାଇଁ ଦୋକାନୀ ଓ ବଜାର କମିଟି ଦାୟୀ ରହିବେ । ନିଜର କର୍ମଚାରୀ ବା ସ୍ୱେଚ୍ଛାସେବୀଙ୍କ ମାଧ୍ୟମରେ ବଜାର କମିଟି ଭୋଭିଡ଼୍ ନିୟମ ଅନୁପାଳନ ନିଶ୍ଚିତ କରାଇବେ । ଉଭୟ ଦୋକାନୀ ଏବଂ ଗ୍ରାହକ ଉପଯୁକ୍ତ ବ୍ୟବଧାନ ରଖିବେ ଏବଂ ସଠିକ୍ ଭାବେ ମାକ୍ସ ପିନ୍ଧିବେ । ଏଥିରେ ଅବହେଳା ହେଲେ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ ବା ପୌରାଞ୍ଚଳ କମିଶନର ଦୃଢ଼ ଆଇନ୍ଗତ କାର୍ଯ୍ୟାନୁଷ୍ଠାନ ନେବେ । ସାରା ରାଜ୍ୟରେ ବସ୍, ଟ୍ୟାକ୍ସି, ଅଟୋରି୍କ୍ସା ଚଳାଚଳ କରିବ । ତେବେ ଆନ୍ତରାଜ୍ୟ ବସ୍ ଚଳାଚଳ ପାଇଁ ଅନୁମତି ନାହିଁ । ବସ୍ରେ କେବଳ ସିଟ୍ ସଂଖ୍ୟା ଅନୁସାରେ ଯାତ୍ରୀ ଯିବେ । କେହି ଠିଆ ହୋଇ ଯାଇ ପାରିବେ ନାହିଁ । ହେହିପରି ଟ୍ୟକ୍ସି ଏବଂ ଅଟୋରେ ଡ୍ରାଇଭର୍ଙ୍କ ସମେତ ଦୁଇଜଣ ଯାତ୍ରା କରିପାରିବେ । ସବୁ ଜିଲ୍ଲାରେ ବସ୍ ଚଳାଚଳ ପାଇଁ ଅନୁମତି ଥିଲେ ମଧ୍ୟ ପୁରୀ ଜିଲ୍ଲାକୁ ମହାପ୍ରଭୁଙ୍କ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ବସ୍ ଓ ଟ୍ରେନ୍ ଚଳାଚଳ ବନ୍ଦ ରହିବ । କରୋନା ପ୍ରତିରୋଧ ନିମନ୍ତେ ପରୀକ୍ଷା, ଟ୍ରାକିଂ, ଚିକିତ୍ସା, ଟିକାକରଣ ଏବଂ କୋଭିଡ଼୍ ନିୟମ ଅନୁପାଳନ ଆଦି ୫-ସୁତ୍ରୀ କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ ଓ ସଘନ କରାଯିବ ବୋଲି ମଧ୍ୟ ମୁଖ୍ୟ ଶାସନ ସଚିବକହିଥିଲେ । ନିୟମ ଅନୁପାଳନ ଏବଂ ଦୈନନ୍ଦିନ ଜିବୀକା ସହ କରୋନା ବିରୋଧି ଲଢ଼େଇ ଜାରିରହିବ ବୋଲି ସେ କହିଥିଲେ । ଲକ୍ଡାଉନ୍ ଏବଂ ସଟ୍ଡାଉନ୍ ଆଦିରେ ଜନସାଧାରଣ ସହଯୋଗ କରିଥିବାରୁ ରାଜ୍ୟରେ ସଂକ୍ରମଣ ହାର କ୍ରମାଗତ ଭାବେ ହ୍ରାସ ପାଉଥିଲେ ମଧ୍ୟ ବିପଦ ଟଳି ନାହିଁ ବୋଲି ମୁଖ୍ୟ ଶାସନ ସଚିବ କହିଥିଲେ । ସମସ୍ତେ ସଚେତନ ହୋଇ କୋଭିଡ୍ ନିୟମ ଅନୁପାଳନ ସହ ନିଜର ଦୈନନ୍ଦିନ ଜିବୀକା ନିର୍ବାହ କାର୍ଯ୍ୟ କଲେ ସ୍ଥିତି ଅଧିକରୁ ଅଧିକ ସୁଧୁରିବ । ମାନ୍ୟବର ମୁଖ୍ୟମନ୍ତ୍ରୀ କରିଥିବା ନିବେଦନ ଅନୁସାରେ ସମସ୍ତେ କୋଭିଡ୍ ନିୟମ ଅନୁପାଳନ କରି କରୋନାକୁ ପୂର୍ଣ୍ଣ ନିୟନ୍ତ୍ରଣାଧୀନ କରିବା ପାଇଁ ମହାପାତ୍ର ଜନସାଧାରଣଙ୍କୁ ଅନୁରୋଧ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ