ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରବୃଦ୍ଧି ପ୍ରତ୍ୟାହାର ଦାବୀରେ ଓଡ଼ିଶା ବନ୍ଦକୁ ଅଭୁତପୂର୍ବ ସମର୍ଥନ

ଭୁବନେଶ୍ୱର :(ଯୁଗାବ୍ଦ ନ୍ୟୁଜ) : ପେଟ୍ରୋଲ, ଡ଼ିଜେଲ, ରନ୍ଧନ ଗ୍ୟାସ ସମେତ ଅତ୍ୟାବଶ୍ୟକୀୟ ସାମଗ୍ରୀଗୁଡ଼ିକର ଅହେତୁକ ଦରବୃଦ୍ଧି ଫଳରେ ଜନସାଧାରଣ ଅତିଷ୍ଠ ହୋଇପଡ଼ିଲେଣି । ଏହାର ପ୍ରତିବାଦରେ ଓ ଦରବୃଦ୍ଧିର ତୁରନ୍ତ ପ୍ରତ୍ୟାହାର ଦାବୀରେ ସି.ପି.ଆଇ., ସି.ପି.ଏମ୍‌., ସି.ପି.ଆଇ.(ଏମ୍‌.ଏଲ୍‌) ଲିବରେଶନ୍ ଓ ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକ୍ ଫକ୍ଷରୁ ଓଡ଼ିଶା ବନ୍ଦର ଡ଼ାକରା ଦିଆଯାଇଥିଲା । ବିଗତ ବର୍ଷେ ମଧ୍ୟରେ ପେଟ୍ରୋଲ ଓ ଡିଜେଲ୍‌ର ଦର ପ୍ରାୟ ୫୦ରୁ ଉର୍ଦ୍ଧ ଥର ବୃଦ୍ଧି ପାଇଛି । ବିଗତ ଏକ ବର୍ଷ ମଧ୍ୟରେ ରନ୍ଧନ ଗ୍ୟାସର ମୂଲ୍ୟ ମଧ୍ୟ ସିଲିଣ୍ଡର ପ୍ରତି ୨୬୦ଟଙ୍କା ବୃଦ୍ଧି ପାଇଲାଣି । ଏହାର ପରିଣାମ ସ୍ୱରୂପ ଅତ୍ୟାବଶ୍ୟକୀୟ ସାମଗ୍ରୀଗୁଡିକର ଦର ଆକାଶଛୁଆଁ ହୋଇଛି । ଅନ୍ୟପଟରେ ଦେଶର ଅର୍ଥନୀତି ମୋଦି ସରକାରଙ୍କ ଅମଳରେ ରସାତଳଗାମୀ ହେବାରେ ଲାଗିଛି । ବିଶ୍ୱ ବଜାରରେ ଅଶୋଧିତ ତୈଳର ମୂଲ୍ୟ କମି କମି ଚାଲିଥିବା ବେଳେ ଆମ ଦେଶରେ ଲଗାମ ହୀନ ଭାବରେ ତୈଳଦର ବୃଦ୍ଧି କରି ଜନଗଣଙ୍କୁ ଶୋଷଣ କରାଯାଉଛି ବୋଲି ବାମପନ୍ଥୀ ଦଳମାନଙ୍କ ପକ୍ଷରୁ ଅଭିଯୋଗ କରାଯିବା ସହ ଜନଗଣଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ଦରବୃଦ୍ଧିକୁ ତୁରନ୍ତ ପ୍ରତ୍ୟାହାର କରିବା ନିମନ୍ତେ ଦାବୀ କରାଯାଇଛି । ଓଡ଼ିଶା ବନ୍ଦ ପରିପ୍ରେକ୍ଷିରେ ସକାଳ ୬ ଘଟିକାରୁ ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକ୍ ର ସାଥିମାନେ ଭୁବନେଶ୍ୱର ରେଳ ଷ୍ଟେସନରେ ପହଂଚି ପିକେଟିଂ କରିବା ସହ ଭୁବନେଶ୍ୱର ଲୋକମାନ୍ୟ ତିଲକ ଏକ୍ସପ୍ରେସ୍‌କୁ ଦିର୍ଘ ସମୟ ଧରି ଅଟକାଇଥିଲେ । ପରେ ବିଭିନ୍ନ ବାମପନ୍ଥୀ ଦଳ ଓ ଗଣ ସଙ୍ଗଠନଗୁଡ଼ିକର ପ୍ରତିବାଦ ଶୋଭାଯାତ୍ରା ବିଭିନ୍ନ ସ୍ଥାନରୁ ବାହାରି ପିକେଟିଂ କରି ମାଷ୍ଟର କ୍ୟାଟିଂନ ଛକରେ ପହଂଚିବା ପରେ ସେଠାରେ ବିଭିନ୍ନ ଦଳର ରାଜ୍ୟ ନେତୃତ୍ୱମାନେ ଓଡ଼ିଶା ବନ୍ଦକୁ ସମର୍ଥନ କରି ବକ୍ତବ୍ୟ ରଖିଥିଲେ । ସି.ପି.ଆଇ. ର ରାଜ୍ୟ ସଂପାଦକ ଆଶିଷ କାନୁନ୍‌ଗୋ, ଜାତୀୟ ପରିଷଦ ସଭ୍ୟ ରାମକୃଷ୍ଣ ପଣ୍ଡା, ଭୁବନେଶ୍ୱର ଜୋନ୍ ସଂପାଦକ ସୁର ଜେନା, ସି.ପି.ଆଇ.(ଏମ୍‌)ର ରାଜ୍ୟ ସଂପାଦକ ଅଳି କିଶୋର ପଟ୍ଟନାୟକ, ସଂପାଦକ ମଣ୍ଡଳି ସଭ୍ୟ ସୁରେଶ ପାଣିଗ୍ରାହୀ, ଦୁଷ୍ମନ୍ତ ଦାସ, ସି.ପି.ଆଇ(ଏମ୍‌.ଏଲ୍‌) ଲିବରେଶନର ରାଜ୍ୟ ସଂପାଦକ ଯୁଧିଷ୍ଠିର ମହାପାତ୍ର, ପୂର୍ବତନ ବିଧାୟକ ରାଧାକାନ୍ତ ସେଠୀ, ମହେନ୍ଦ୍ର ପରିଡ଼ା, ଫରୱାର୍ଡ଼ ବ୍ଲକ୍ ର ରାଜ୍ୟ ସାଧାରଣ ସଂପାଦକ ଜ୍ୟୋତି ରଂଜନ ମହାପାତ୍ର, ନାରାୟଣ ଡ଼ାଳୁଆ, ବିଜୟ ସାହୁ ପ୍ରମୁଖ ବକ୍ତବ୍ୟ ରଖି ମୋଦି ସରକାରଙ୍କ ତୈଳ, ରନ୍ଧନ ଗ୍ୟାସ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀଗୁଡ଼ିକର ଦରବୃଦ୍ଧିର ତିବ୍ର ସମାଲୋଚନା କରିବା ସହ ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବର୍ଦ୍ଧିତ ଦରକୁ କେନ୍ଦ୍ର ସରକାର ଅବିଳମ୍ବେ ପ୍ରତ୍ୟାହାର କରିନେବାକୁ ଦାବୀ କରିଥିଲେ । ଚାରିଗୋଟି ବାମପନ୍ଥୀ ଦଳମାନଙ୍କ ପକ୍ଷରୁ ଆହୁତ ଓଡ଼ିଶା ବନ୍ଦକୁ କଂଗ୍ରେସ ସମେତ ରାଜ୍ୟର ପ୍ରାୟ ସମସ୍ତ ଅଣ ବିଜେପି, ଅଣ ବିଜେଡ଼ି ରାଜନୈତିକ ଦଳମାନେ ସମର୍ଥନ ଦେଇଥିଲେ । କଂଗ୍ରେସ ପକ୍ଷରୁ ପି.ସି.ସି. ସଭାପତି ନିରଞ୍ଜନ ପଟ୍ଟନାୟକ, ବିଧାୟକ ସୁରେଶ କୁମାର ରାଉତରାୟ, ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ସମାଜବାଦୀ ପାର୍ଟିର ରାଜ୍ୟ ସଂପାଦକ ସୁଦର୍ଶନ ପ୍ରଧାନ ପ୍ରମୁଖ ଓଡ଼ିଶା ବନ୍ଦକୁ ସମର୍ଥନ କରି ପିକେଟିଂରେ ସାମିଲ ହୋଇଥିଲେ । ବାମପନ୍ଥୀ ଦଳମାନଙ୍କ ପକ୍ଷରୁ ଆହୁତ ଓଡ଼ିଶା ବନ୍ଦରେ ଓଡ଼ିଶାର ଜନସାଧାରଣଙ୍କ ଅକୁଣ୍ଠ ସମର୍ଥନ ଦେଇଥିବା ଦେଖିବାକୁ ମିଳିଥିଲା । ବନ୍ଦ ଡାକରାକୁ ଓଡ଼ିଶା ବାସୀଙ୍କ ସମର୍ଥନରେ ଅଭୂତପୂର୍ବ ଭାବରେ ସଫଳ ହୋଇଛି । ବନ୍ଦର ସଫଳତା ପାଇଁ ଚାରୋଟି ବାମପନ୍ଥୀ ଦଳ ସି.ପି.ଆଇ., ସି.ପି.ଏମ୍‌., ସି.ପି.ଆଇ.(ଏମ୍‌.ଏଲ୍‌) ଲିବରେଶନ୍ ଓ ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକ୍ ପକ୍ଷରୁ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜ୍ଞାପନ କରାଯିବା ସହ ପେଟ୍ରୋଲ, ଡ଼ିଜେଲ, ରନ୍ଧନ ଗ୍ୟାସ ସମେତ ଅତ୍ୟାବଶ୍ୟକୀୟ ସାମଗ୍ରୀଗୁଡ଼ିକର ଦରବୃଦ୍ଧି ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଆନ୍ଦୋଳନକୁ ସମସ୍ତ ସମର୍ଥନ ଦେଇ ଜାରି ରଖିବାକୁ ଆହ୍ୱାନ ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ