ପଞ୍ଚାୟତ ବିଜେଡି ସଭାପତିଙ୍କ ପରଲୋକ
ବାରିକପୁର, (ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ କାର୍ଯ୍ୟାଳୟର ଅବସରପ୍ରାପ୍ତ ଅମଲାତନ୍ତ୍ରୀ ତଥା ନେରଡା ପଞ୍ଚାୟତ ବିଜେଡି ସଭାପତି ହରେକୃଷ୍ଣ ପ୍ରଧାନଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୦ବର୍ଷ ହୋଇଥିଲା । ସ୍ୱର୍ଗତ ପ୍ରଧାନ କିଛିଦିନ ପୂର୍ବରୁ ଅସୁସ୍ଥ ଥାଇ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଥିବାବେଳେ ସେଠାରେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ଜଣାପଡିଛି । ତାଙ୍କ ମରଶରୀରକୁ ଗ୍ରାମକୁ ଅଣାଯାଇ ବୈତରଣୀ ନଦୀ ତଟରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ଶ୍ରୀପ୍ରଧାନଙ୍କ ମୃତ୍ୟୁ ଖବର ପାଇ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ସମେତ ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ପ୍ରୟାସକାନ୍ତି ସାମଲ, ଜିଲ୍ଲାପରିଷଦ ସଭ୍ୟ ଦିପ୍ତିସୂର୍ଯ୍ୟ ବିଶ୍ୱାଳ, ସରପଞ୍ଚ ବଦ୍ରୀନାରାୟଣ ରାଉତ, ପ୍ରାକ୍ତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଣିତକାନ୍ତି ସାମଲ, ସମାଜସେବୀ ଶରତ ଚନ୍ଦ୍ର ଜେନା, ବନମାଳୀ ପୃଷ୍ଟି, ଯୁବ ସାମାଜିକ କର୍ମୀ ସୌମ୍ୟରଞ୍ଜନ ଜେନା, ବିରଞ୍ଚି ନାରାୟଣ ରାଉତ, ହେମନ୍ତ ଜେନା, ଲଳିତ ରାଉତ, ସତ୍ୟାନନ୍ଦ ମହାପାତ୍ର, ଲକ୍ଷ୍ମୀଧର ସାହୁ, ପ୍ରକାଶ ମହାପାତ୍ର ପ୍ରମୁଖ ଗଭୀର ଶୋକପ୍ରକଟ କରିଛନ୍ତି । ଏହାଛଡା ବ୍ଲକ ପ୍ରଶାସନ ପକ୍ଷରୁ ଶୋକ ପ୍ରକାଶ ପାଇଛି ।


