ପଂଚାୟତ ସମିତି ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ କ୍ଷମତାକୁ ସଂକୁଚିତ କରାଯାଇଛି : ରଘୁନାଥ ମହାନ୍ତି
ଭୁବନେଶ୍ୱର, (ୱାଇଏନ୍ଏସ୍): ଶାସକ ବିଜେଡି ଦଳ ରାଜ୍ୟର ସମସ୍ତ ବ୍ଲକ କାର୍ଯ୍ୟାଳୟକୁ ଜୋରଜବରଦସ୍ତ ଭାବେ ଅକ୍ତିଆର କରି ଦୁର୍ନୀତିର ଗନ୍ତାଘର କରିଦେଇଛି । ସାଧାରଣ ଜନତାଙ୍କ ପାଇଁ ଆସୁଥିବା ବିଭିନ୍ନ ପ୍ରକାରର ଜନକଲ୍ୟାଣ ଯୋଜନାଗୁଡିକୁ ଶାସକ ଦଳର ପ୍ରତ୍ୟକ୍ଷ ପ୍ରରୋଚନାରେ ଅମଲାମାନଙ୍କ ଜରିଆରେ ବ୍ୟାପକ ହରିଲୁଟ୍ କରାଯାଉଛି । ବ୍ଲକ ଓ ପଂଚାୟତକୁ ଶାସକ ଦଳ ତାଙ୍କର ଅର୍ଥ ରୋଜଗାର କରିବାର ସଂସ୍ଥା ଭଳି ବ୍ୟବହାର କରୁଛନ୍ତି । ପଂଚାୟତ ସମିତି ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ କ୍ଷମତାକୁ ସଂକୁଚିତ କରାଯାଇ ତାଙ୍କ ଗୁରୁତ୍ୱକୁ ହ୍ରାସ କରାଯାଇଛି । ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ସରକାର ବିଡିଓଙ୍କୁ ଅଧିକ କ୍ଷମତାଶୀଳ କରି ବ୍ୟାପକ ଦୁର୍ନୀତିର ମାଧ୍ୟମ କରିଛନ୍ତି । ରାସନ କାର୍ଡ, ପ୍ରଧାନମନ୍ତ୍ରୀ ଆବାସ, ପାଇଖାନା ଆଦି ହିତାଧିକାରୀ ଚୟନ ପ୍ରକ୍ରିୟାରେ ପଂଚାୟତ ସ୍ତରର ନିର୍ବାଚିତ ଜନପ୍ରତିନିଧିମାନଙ୍କ କୈାଣସି ଭୂମିକା ରହୁ ନାହିଁ । ହିତାଧିକାରୀ ତାଲିକା ଦଳୀୟ ଆଧାରରେ ସିଧାସଳଖ ଶାସକ ଦଳର ବିଧାୟକଙ୍କ ଘରେ ପ୍ରସ୍ତୁତ ହେଉଛି । ସାଧାରଣ ଗରୀବ ଏବଂ ପ୍ରକୃତ ହିତାଧିକାରୀ ସେମାନଙ୍କ ନ୍ୟାର୍ଯ୍ୟ ଅଧିକାରରୁ ବଂଚିତ ହେଉଛନ୍ତି । ସାଧାରଣ ଗରୀବ ଓ ପ୍ରକୃତ ହିତାଧିକାରୀଙ୍କୁ ତାଙ୍କ ନ୍ୟାର୍ଯ୍ୟ ହକ୍ ପ୍ରଦାନ କରିବା ପାଇଁ ବିଜେପି ତରଫରୁ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଆଜି ଅନୁଷ୍ଠିତ ବ୍ଲକ ଅଧ୍ୟକ୍ଷ ଓ ଉପଧ୍ୟକ୍ଷ କର୍ମଶାଳାରେ ନିଷ୍ପତି ନିଆଯାଇଛି ବୋଲି ପଂଚାୟତରାଜ ସମିତିର ରାଜ୍ୟ ଅଧ୍ୟକ୍ଷ ତଥା ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି କହିଛନ୍ତି ।
ଆଜିର ଏହି ବୈଠକରେ ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର, ରାଜ୍ୟ ଉପସଭାପତି ଅନୀତା ଶୁଭଦର୍ଶୀନି, ରାଜ୍ୟ ସଂଯୋଜକ ଶଂକର ପରିଡା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦିଲୀପ ମଲ୍ଲିକ, ସୁଶାନ୍ତ ପ୍ରଧାନ, ବିନାୟକ ତ୍ରିପାଠୀ, ପ୍ରଶାନ୍ତ ଆଦିତ୍ୟ ଓ ପ୍ରଶାନ୍ତ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରିଥିଲେ ।


