ଆଜିର ଭାରତ

ଶାନ୍ତିପ୍ରଭା ନାୟକ

କର୍ପୂର ଯାଇଛି ଉଡ଼ି
କନା ରହିଅଛି ପଡ଼ି
ସୁନାର ଭାରତର ସୁନା ଚଢ଼େଇଟି
ଗଲାଣି କେବେଠୁ ଉଡ଼ି ।
ଚତୁର୍ଦ୍ଦିଗେ ଶୁଭେ
ଖାଲି ଦାନବୀୟ ସ୍ୱର
ସାରା ଦୁନିଆଟା ଦିଶଇ ଅନ୍ଧାର
ଦିଶେ ପାଦଚିହ୍ନ ପ୍ରଳୟର ।
ଯୁଆଡ଼େ ଚାହିଁଲେ ଖାଲି ଜଳୁଅଛି
ହିଂସା ଅନ୍ୟାୟ ଅତ୍ୟାଚାର ଅବିଶ୍ୱାସ
ସ୍ୱାର୍ଥପରତାର ସର୍ବଗ୍ରାସୀ ନିଆଁ
ବଞ୍ôଚବା ଦୁର୍ବିସହ ଏଠି
ସତ୍ୟ ଧର୍ମ ନ୍ୟାୟର ସତ୍ତାଟିକ
ଯାଇଅଛି ହଜି ନୀଳ ଆକାଶରେ
ଉଡ଼ୁଛନ୍ତି ମାଳମାଳ ଶାଗୁଣା ।
ରକ୍ତମାଂସର ଶରୀରକୁ
ଖଣ୍ଡଖଣ୍ଡ କରି ଭକ୍ଷିବାକୁ
ଅଙ୍କୁରିତ ହୁଏ ଏଠି
ବୀଜ ଆସୁରିକ ସଭ୍ୟତାର
ମାଟିରେ ମିଶିଯିବାକୁ ବସିଛି ଏଠି
ସୁଜଳା ସୁଫଳା ଶସ୍ୟଶ୍ୟାମଳା
ଭାରତର ଇତିହାସ ଗୌରବର ।
କାଳର କରାଳ ଗତିରେ
ହଜି ଗଲାଣି ମାଟି ମାଆର
ଗୌରବର କାହାଣୀ
ସ୍ୱପ୍ନ ଆଜି ଗୀତା ଭାଗବତର
ଅମୃତମୟ ବାଣୀ ।
ଶୁଭୁନାହିଁ ବେଦ ଉପନିଷଦର
ମଧୁର ଝଙ୍କାର
ହୋମ ଯଜ୍ଞ ଶାସ୍ତ୍ର
ପୂଜାପାଠ ମୁନି ଋଷିଙ୍କର ।
ହିମାଳୟରୁ କୁମାରିକାସ୍ଥଳ
ବଙ୍ଗୋପସାଗରରୁ ଆରବର କୂଳ
ବିସ୍ତୀର୍ଣ୍ଣ ଭୂମଣ୍ଡଳ ପ୍ରଦୂଷଣର ଶିକାର
ସତେ ଅବା ଶ୍ୱାସରୁଦ୍ଧ ହୋଇ
ଶେଷ ହୋଇଯିବ
ଏ ଜୀବନ ପାଣିଫୋଟକାର ।
ନାରୀର ସୁରକ୍ଷା ନାହିଁ ସମାଜରେ
ଫାଟି ପଡ଼ୁଛି ଧରଣୀବୁକୁ
ଅସହାୟ ଅବଳା ନାରୀର
ଆକୁଳ ଚିତ୍କାରରେ
ନର ପିଶାଚ ରାକ୍ଷସରୂପୀ ମାନବ
ଶୋଷି ନେଉଛି
ସରଳ ମନ ପ୍ରାଣ ହୃଦୟ
ଧର୍ଷଣେ ଶୋଷଣେ ବଳାତ୍କାରେ ।
ପୁଣି କେତେବେଳେ ଆତଙ୍କବାଦୀର
ଆତଙ୍କରେ ମାଆର ବକ୍ଷ ରକ୍ତରଞ୍ଜିତ
କେତେବେଳେ ସୀମାପରେ କୁରୁକ୍ଷେତ୍ର
କେତେବେଳେ ଗୃହଯୁଦ୍ଧ
କେତେବେଳେ ବନ୍ୟା ବାତ୍ୟାର
ପ୍ରାକୃତିକ ବିପର୍ଯ୍ୟୟ ତ କେତେବେଳେ
ମହାମାରୀ କରୋନାର ଆତଙ୍କ ।
ଏସବୁକୁ ନିୟନ୍ତ୍ରଣ କରିବାକୁ ନିଅଣ୍ଟ
ଧୈର୍ଯ୍ୟ ସାହସ ନିଷ୍ଠା ଶକ୍ତି ଅତୁଟ ବିଶ୍ୱାସ
ଇଏ ଅର୍ଥଲୋଭୀ ସ୍ୱାର୍ଥପର ଦୁନିଆର
ଅନ୍ୟାୟ ଅଧର୍ମର ଶାସନରେ
କେବଳ ବିଷ ହିଁ ବିଷ ।
ମଣିଷ ଗର୍ବ ଅହଙ୍କାରରେ ମାତି
ଭୁଲିଯାଇଛି ଐଶ୍ୱରୀୟ ସତ୍ତାକୁ
ସତ୍ୟ ଧର୍ମକୁ ପୁଣ୍ୟର ପସରାକୁ
ସଭ୍ୟତା ସଂସ୍କୃତି ଜାତି ଧର୍ମ ପରମ୍ପରା
ନାମରେ ସମାଜରେ ନୃତ୍ୟକରେ
ଆତଙ୍କର ଦାନବ ଭାରି ଭୟଲାଗେ
ପାପ ପଙ୍କର କଳୁଷିତ ସମାଜକୁ ।
ହାଣକାଟ ଲୁଟପାଟ ମାରପିଟ
ଅତ୍ୟାଚାର ବ୍ୟଭିଚାର ବୋମାମାଡ଼
ସାଙ୍ଗକୁ ମହାମାରୀ କରୋନାର
ମର୍ମନ୍ତୁଦ ଲୀଳା
ସାରା ବିଶ୍ୱର ଗଗନ ପବନ
ଆଜି ପ୍ରକମ୍ପିତ
ମହାକାଳ ସର୍ପ ରୂପେ ଉଦ୍‌ଗୀରଣ
କରିଚାଲିଛି ସଂକ୍ରମଣର ବିଷଜ୍ୱାଳା ।
ସଭିଏଁ ତତ୍ପର ଆଜି
ଅମୃତର ସନ୍ଧାନରେ
ଆଉ କେତେଦିନ ମୁଖାପିନ୍ଧି
ଗୃହବନ୍ଦୀ ହୋଇ କାଟିବ ଜୀବନ
ନିଜକୁ ମନେକରେ ଖୁବ୍ ଅସହାୟ…
ଖୁବ୍ ଅସହାୟ…
କେବେ ବା ମିଳିବ ଅମୃତର ସନ୍ଧାନ?
ବିକାଶର ଦୌଡ଼ରେ ସନ୍ତୁଳିତ
ହେଉଥାଏ ଦରପୋଡ଼ା ଜୀବନ ।
ବାଙ୍ଗାଲୋର

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ