ମିଥ୍ୟା ପ୍ରକଳ୍ପ ଘୋଷଣା ଆଳରେ ଜିଲାବାସୀଙ୍କୁ ଠକୁଛନ୍ତି ରାଜ୍ୟ ସରକାର : ଛାତ୍ର କଂଗ୍ରେସ

ବାଲେଶ୍ୱର,(ସରୋଜ ପଣ୍ଡା): ବାଲେଶ୍ୱର ସହର ସମେତ ଜିଲା ବିକାଶ ଆଳରେ ରାଜ୍ୟ ସରକାର ନୂଆ ନୂଆ ପ୍ରକଳ୍ପ ଘୋଷଣା କରୁଥିଲେ ବି ଏହାର ଶୂନ୍ୟ କାର୍ଯ୍ୟକାରିତାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି ଛାତ୍ର କଗ୍ରେସ । ଏନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲା ଛାତ୍ର କଂଗ୍ରେସ କର୍ମକର୍ତ୍ତାଙ୍କ ସମେତ ବରିଷ୍ଠ ନେତା ଓ ସଂଗଠକମାନେ ଯୋଗଦେଇ ନିର୍ବାଚନରେ ସମର୍ଥନ ପାଇବାକୁ ରାଜ୍ୟ ସରକାର ବାରମ୍ବାର ଜିଲାବାସୀଙ୍କ ଭାବାବେଗକୁ କୁଠାରଘାତ କରିଚାଲିଛନ୍ତି ବୋଲି ଆରୋପ ଉଠାଇଛନ୍ତି । ବାଲେଶ୍ୱରରେ ନରହରିପୁରସ୍ଥିତ ନୂଆ ବସଷ୍ଟାଣ୍ଡ ପ୍ରକଳ୍ପ ହେଉ କି ସହରାଞ୍ଚଳ ସିଟିବସ ଚଳାଚଳ ପ୍ରକଳ୍ପ ହେଉ, ପ୍ରତିଟି କ୍ଷେତ୍ରରେ ସରକାର ଜିଲାବାସୀଙ୍କ ଭାବନା ସହିତ ଖେଳ ଖେଳିଚାଲିଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଯୁବ ସଂଗଠକ ବିକ୍ରମ ପଣ୍ଡା କହିଛନ୍ତି । ୨୦୧୦ ମସିହାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିବା ନୂଆ ବସଷ୍ଟାଣ୍ଡରେ ଅଦ୍ୟାବଧି ଇଟାଖଣ୍ଡିଏ ପଡ଼ି ନଥିବା ବେଳେ ୧୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ୧୦ ଗୋଟି ସିଟିବସ ଏବେ ଖତ ଖାଉଛି ବୋଲି ଶ୍ରୀ ପଣ୍ଡା ଅଭିଯୋଗ କରିଛନ୍ତି । ସେହିଭଳି ଅଢ଼େଇବର୍ଷ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶିଳାନ୍ୟାସ ହୋଇଥିବା ଇଡକୋ ଟାୱାର, ୫ ବର୍ଷ ପୂର୍ବରୁ ବଡ଼ଖୁଆଠାରେ ଶୁଭ ଦିଆଯାଇଥିବା ଅମୃତ ପାର୍କ ପ୍ରକଳ୍ପ ଏବେ କୁଆଡ଼େ ଗଲା ବୋଲି ଶ୍ରୀ ପଣ୍ଡା ପ୍ରଶ୍ନ କରିଛନ୍ତି । ଅନୁରୂପ ଭାବେ ନିକଟ ଅତୀତରେ ୯କୋଟିରୁ ଊର୍ଦ୍ଧ୍ୱ ଟଙ୍କାରେ ଅଙ୍ଗାରଗଡ଼ିଆ ଅଞ୍ଚଳରେ ଇନଡୋର ଷ୍ଟାଡିୟମ ପ୍ରତିଷ୍ଠା ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମଧ୍ୟ ପାଣି ଫଟୋକା ଭଳି ମିଳାଇଯିବ ବୋଲି ସେ କହିଛନ୍ତି । ଷ୍ଟାଡିୟମ ପାଇଁ ନିରୂପିତ ଜମିର ବିବାଦୀୟ ମାମଲା ଏବେ କୋର୍ଟରେ ବିଚାରଧୀନ ଥିବା ବେଳେ ସଦର ବିଧାୟକ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଓ ଧ୍ୟବାଦରେ ପୋତି ପକାଇବା କେତେଦୂର ସମୀଚୀନ ବୋଲି ଶ୍ରୀ ପଣ୍ଡା କହିଛନ୍ତି । ୬ଦିନ ପୂର୍ବରୁ ୨ଘଣ୍ଟାର ବର୍ଷାରେ ସମ୍ପୂର୍ଣ୍ଣ ବାଲେଶ୍ୱର ସହରରେ କୃତ୍ରିମ ବନ୍ୟା ସୃଷ୍ଟି ସହ କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଗଲା । ବନ୍ୟାର ସ୍ଥାୟୀ ସମାଧାନ ନେଇ ସଦର ବିଧାୟକଙ୍କଠାରେ କୌଣସି ପ୍ରକଳ୍ପ ନଥିବା ବେଳେ ସାଧାରଣ ଲୋକଙ୍କୁ ଭୂଆଁ ବୁଲାଇବାକୁ ଆଉ ଧନ୍ୟବାଦ ପର୍ବ ଆୟୋଜନ ନ କରନ୍ତୁ ବୋଲି ସେ କହିଛନ୍ତି । ୨୧ ବର୍ଷର ଶାସନ କାଳରେ ମୁଖ୍ୟମନ୍ତ୍ରୀ ଶୁଭ ଦେଇଥିବା ସମସ୍ତ ପ୍ରକଳ୍ପ କିପରି କାର୍ଯ୍ୟକାରୀ ହେବ ସେନେଇ ସଦର ବିଧାୟକଙ୍କ ସମେତ ବିଜେଡି ନେତାମାନେ ଚେଷ୍ଟା କରନ୍ତୁ । ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କୌଣସି ନୂଆ ପ୍ରକଳ୍ପ ଘୋଷଣାକୁ ନେଇ ବାଲେଶ୍ୱରର ବିଜେଡି କର୍ମକର୍ତ୍ତମାନେ ଧନ୍ୟବାଦ କାର୍ଯ୍ୟକ୍ରମ କଲେ ଛାତ୍ର କଂଗ୍ରେସ ସେହି ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ଭତ୍ସର୍ନା କରିବାକୁ ଅନୁରୂପ କାର୍ଯ୍ୟକ୍ରମ ଆୟୋଜନ କରିବ ବୋଲି ଶ୍ରୀ ପଣ୍ଡାଙ୍କ ସମେତ ଉପସ୍ଥିତ ବ୍ୟକ୍ତିମାନେ ଏହି ସମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଛାତ୍ର କଂଗ୍ରେସ ରାଜ୍ୟ ସମ୍ପାଦକ ଜ୍ଞାନେନ୍ଦ୍ର ମହାନ୍ତି, ବରିଷ୍ଠ କଂଗ୍ରେସ ନେତ୍ରୀ ପ୍ରତିମା ପଣ୍ଡା, ଅଶୋକ ଆଢ଼୍ୟ, ସୁଶାନ୍ତ କୁମାର ରଣା, ନିଶିଥ ବାରିକଙ୍କ ସମେତ ବହୁ ସଂଗଠକ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ