ଗ୍ରାମୀଣ ଅର୍ଥନୀତିକୁ ବଦଳାଇ ଦେଇଥିବା ପୁଷ୍କରିଣୀ “ଉମ୍‌ବୁଲ୍ ପଂଗୋକ୍‌’

ଇଣ୍ଡୋନେସିଆ ଅନ୍ତର୍ଗତ କେନ୍ଦ୍ରୀୟ ଜାଭା ଅଞ୍ଚଳରେ ପଂଗୋକ୍ ନାମକ ଗ୍ରାମ ଅବସ୍ଥିତ । ଗ୍ରାମ ମଝିରେ ଥିବା ଏକ ଛୋଟିଆ ପୁଷ୍କରିଣୀର ନାମ- ଉମ୍‌ବୁଲ୍ ପଂଗୋକ୍ । ଏହାର ଦେର୍ଘ୍ୟ ଓ ପ୍ରସ୍ଥ ଯଥାକ୍ରମେ ପଚାଶ ଏବଂ କୋଡ଼ିଏ ମିଟର୍ । ଏକଦା ଏହା ଥିଲା ବିଶେଷତ୍ୱହୀନ ଅସନା ପୋଖରୀଟିଏ ମାତ୍ର । ତେବେ ଏବେ ଏହା ମାଧ୍ୟମରେ ଗ୍ରାମର ଅର୍ଥନୀତି ବେଶ୍ ସମୃଦ୍ଧ । ଏହି ପୁଷ୍କରିଣୀଟି ଦୈନିକ ଶତାଧିକ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ଏବଂ ଏହା ଦ୍ୱାରା ଗ୍ରାମବାସୀ ଉପକୃତ ହେଉଛନ୍ତି । ପୋଖରୀଟିର ରୂପ ବଦଳାଇ, ଏକ ପର୍ଯ୍ୟଟକ ଆକର୍ଷଣରେ ପରିଣତ କରିବାର ସମସ୍ତ ଶ୍ରେୟ ପାଇବେ ଗ୍ରାମର ମୁଖିଆ ଜୁନେଦି ମୁଲ୍ୟୋନୋ । ୨୦୦୬ରେ ସେ ଗ୍ରାମର ମୁଖିଆ ଭାବେ ନିର୍ବାଚିତ ହୋଇଥିଲେ । ସେତେବେଳେ ଗ୍ରାମ ସହ ପୋଖରୀର ଅବସ୍ଥା ବହୁତ ଖରାପ ଥିଲା । ବେକାରୀ ଚରମ ସୀମାରେ ଥିଲା । ଗ୍ରାମବାସୀଙ୍କର ଆୟ ବୋଲି କିଛି ନ ଥିଲା । ଶିକ୍ଷିତ ଜୁନେଦି ପୋଖରୀ ମାଧ୍ୟମରେ ଗ୍ରାମର ଅର୍ଥନୀତିର ବିକାଶ ପାଇଁ ଯୋଜନା କଲେ । ପ୍ରଥମେ ପୋଖରୀର ପୁନରୁଦ୍ଧାର ପାଇଁ ଗ୍ରାମବାସୀଙ୍କ ସହାୟତା ଲୋଡ଼ିଲେ । କିଛି ସହାୟତାର ହାତ ବଢ଼ାଇଲେ, କିଛି ହସିଲେ । ଯାହା ହେଉ ସାମୂହିକ ଉଦ୍ୟମରେ ପୋଖରୀ ସଫା ହୋଇଗଲା । ତା’ ମଧ୍ୟକୁ ଆଖପାଖରେ ପ୍ରବାହିତ ଚାଳିଶଟି ଝରଣାର ଜଳ ଭର୍ତ୍ତିକରିବାର ବ୍ୟବସ୍ଥା ହେଲା । ପୁଷ୍କରିଣୀ ଜଳ ଶରତକାଳୀନ ଜହ୍ନ ପରି ଅତି ସ୍ୱଚ୍ଛ ଓ ନିର୍ମଳ ପାଲଟିଗଲା । ତାହା ପରେ ଜୁନେଦି ବିଭିନ୍ନ ସାମାଜିକ ଗଣମାଧ୍ୟମ ମାଧ୍ୟମରେ କାଚକେନ୍ଦୁ ପୁଷ୍କରିଣୀ ବାବଦରେ ପ୍ରଚାର ଆରମ୍ଭ କଲେ । କ୍ରମେ ପର୍ଯ୍ୟଟକ ଆକର୍ଷିତ ହେଲେ । ପ୍ରଚାର ବଢ଼ିଲା ଏବଂ ତାହା ସହ ଗ୍ରାମରେ ପର୍ଯ୍ୟଟନ ଶିଳ୍ପର ବିକାଶ ଘଟିଲା । ଏବେ ଇଣ୍ଡୋନେସିଆର ପ୍ରଥମ ଦଶଟି ସମୃଦ୍ଧ ଗ୍ରାମ ମଧ୍ୟରେ ପଂଗୋକ୍ ଗୋଟିଏ । ଗ୍ରାମର ସାତ ଶହ ପରିବାର ପୁଷ୍କରିଣୀ ପର୍ଯ୍ୟଟନ ଉପରେ ନିର୍ଭରଶୀଳ । ବହୁ ସଂଖ୍ୟକ ପର୍ଯ୍ୟଟକ ଆସୁଥିବାରୁ, ସେମାନଙ୍କ ଆୟ କ୍ରମାଗତ ବଢ଼ୁଛି । ପର୍ଯ୍ୟଟକଙ୍କ ମନୋରଞ୍ଜନ ପାଇଁ ପୁଷ୍କରିଣୀ ମଧ୍ୟରେ ଡାଇଭିଂର ବ୍ୟବସ୍ଥା କରାଯାଇଛି । ସେମାନେ ଗ୍ରାମୀଣ ସ୍ୱଚ୍ଛ ପରିବେଶରେ ରହିପାରୁଛନ୍ତି । ସୁଖାଦ୍ୟ ତଥା ଅନ୍ୟ ମନୋରଞ୍ଜନ ମଧ୍ୟ ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ